ନୂଆଦିଲ୍ଲୀ, ୧।୧: ନୂଆବର୍ଷରେ ଲୋକେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଥିବା ବେଳେ ଏବେ ନୂଆବର୍ଷକୁ ନେଇ ଏକ ନୂଆ ଠକେଇ କାରବାର ସାମନାକୁ ଆସିଛି । ହାଇଦ୍ରାବାଦ ସାଇବର କ୍ରାଇମ୍ ୟୁନିଟ୍ ଏନେଇ ସତର୍କତା ଜାରି କରିଛି । ହ୍ୱାଟ୍ସଆପ୍ ୟୁଜର୍ସମାନଙ୍କୁ ଏକ ନୂତନ ପ୍ରକାର ହ୍ୱାଟ୍ସଆପ୍ ଠକେଇ ବିଷୟରେ ସତର୍କ କରିଛି, ଯାହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ହାଇଦ୍ରାବାଦ ସାଇବର କ୍ରାଇମ୍ ୟୁନିଟ୍ କହିଛି ଯେ, ହ୍ୱାଟ୍ସଆପ୍ରେ ନକଲି ‘Happy New Year’ ଶୁଭେଚ୍ଛା, ଉପହାର ଅଫର୍, ଏସ୍ବିଆଇ କ୍ରେଡିଟ୍ କାର୍ଡ ଡିଲ୍, ଯାତ୍ରା ରିହାତି ଏବଂ ଇଭେଣ୍ଟ ଟିକେଟ୍ ଭଳି ସ୍କାମ୍ ବ୍ୟାପକ ଭାବେ ପ୍ରସାରିତ ହେଉଛି ।
ଏହି ନକଲି ଲିଙ୍କଗୁଡ଼ିକ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣ ସାଇବର ଠକେଇର ଶିକାର ହୋଇପାରନ୍ତି । ଏପରି ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କ ମୋବାଇଲ ଫୋନ୍ ରେ କ୍ଷତିକାରକ ଆପ୍ଲିକେସନ୍ ସଂସ୍ଥାପନ ହୋଇପାରେ । ଏହା ଓଟିପି ଏବଂ ବ୍ୟାଙ୍କିଂ ବିବରଣୀ ଚୋରି, ହ୍ୱାଟ୍ସଆପ୍ ଆକାଉଣ୍ଟର ଅବବ୍ୟବହାର ଏବଂ ଅନ୍ୟାନ୍ୟ ଗୁରୁତର ସାଇବର ବିପଦ ସୃଷ୍ଟି କରିପାରେ । ଏଥିପାଇଁ ସତର୍କ ରୁହନ୍ତୁ । ସନ୍ଦିଗ୍ଧ କିମ୍ୱା ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ । ସାଇବର ଠକେଇ କ୍ଷେତ୍ରରେ ତୁରନ୍ତ ୧୯୩୦କୁ କଲ୍ କରନ୍ତୁ ନଚେତ୍http://cybercrime.gov.inରେ ରିପୋର୍ଟ କରନ୍ତୁ ।
‘Happy New Year’ ସ୍କାମ୍ରୁ କିପରି ସୁରକ୍ଷିତ ରହିବେ ?
-ଅଜଣା କିମ୍ୱା ଅନାବଶ୍ୟକ ଲିଙ୍ଗଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ ନାହିଁ ।
-ଯେ କୌଣସି ଫରୱାର୍ଡ ହୋଇଥିବା ମେସେଜ ସହିତ ଜଡ଼ିତ ହେବା ପୂର୍ବରୁ ସର୍ବଦା ମେସେଜ୍ ପଠାଇଥିବା ଲୋକଙ୍କ ନମ୍ୱର ଯାଞ୍ଚ କରନ୍ତୁ ।
-ଆପଣଙ୍କ ହ୍ୱାଟ୍ସଆପ୍କୁ ଅପଡେଟ୍ ରଖନ୍ତୁ ଏବଂ ନିୟମିତ ଭାବେ ଫୋନର ସୁରକ୍ଷା ସେଟିଂସକୁ ଯାଞ୍ଚ କରନ୍ତୁ ।
-ଯେ କୌଣସି ସନ୍ଦିଗ୍ଧ ମେସେଜ ଆସିଲେ ସାଇବର ଅପରାଧ ହେଲ୍ପଲାଇନ କିମ୍ୱା ସରକାରଙ୍କ ସାଇବର ଅପରାଧ ପୋର୍ଟାଲ ମାଧ୍ୟମରେ ରିପୋର୍ଟ କରନ୍ତୁ ।