ନୂଆଦିଲ୍ଲୀ,୨୮/୧୨; ଭିସା ଅଧିକ ସମୟ ଧରି ରହିବା, ଅବୈଧ କାମ ଏବଂ ଶ୍ରମ ନିୟମାବଳୀକୁ ଅବମାନନା କରିବା ହେଉଛି ନିର୍ବାସନର ମୁଖ୍ୟ କାରଣ । ଉପସାଗରୀୟ ଦେଶଗୁଡ଼ିକରେ କମ୍ କୁଶଳୀ ଶ୍ରମିକଙ୍କ ସଚେତନତାର ଅଭାବ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଚଳିତ ବର୍ଷ ସାଉଦି ଆରବ ଭାରତୀୟଙ୍କୁ ନିର୍ବାସିତ କରାଇବାରେ ଆମେରିକାକୁ ପଛରେ ପକାଇ ପ୍ରଥମ ସ୍ଥାନରେ ପହଞ୍ଚିଛି । ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସାଉଦି ଆରବରୁ ନିର୍ବାସିତ ଭାରତୀୟଙ୍କ ସଂଖ୍ୟା ଆମେରିକାରୁ ନିର୍ବାସିତ ହୋଇଥିବା ଭାରତୀୟଙ୍କ ସଂଖ୍ୟାଠାରୁ ଅଧିକ । ୮୧ ଦେଶରେ ୨୪, ୬୦୦ରୁ ଅଧିକ ଭାରତୀୟ ନିର୍ବାସିତ ହୋଇଛନ୍ତି । ସବୁଠୁ ଅଧିକ ଆମେରିକା ନୁହେଁ ସାଉଦି ଆରବରୁ ହୋଇଛନ୍ତି । ୧୨ ମାସରେ ୧୧,୦୦୦ରୁ ଅଧିକ ଲୋକ ନିର୍ବାସିତ ହୋଇଛନ୍ତି ।
ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୫ରେ ସାଉଦି ଆରବରୁ ସର୍ବାଧିକ ଭାରତୀୟ ନିର୍ବାସିତ ହେବାର ମୁଖ୍ୟ କାରଣ ଭିସା ନିୟମ ଉଲ୍ଲଙ୍ଘନ, ଅବୈଧ ରହଣି ଓ କାର୍ୟ୍ୟ ଅନୁମତି ସମସ୍ୟା। ସାଉଦିର କଡ଼ା ଆପ୍ରବାସନ ନିୟମ ଯୋଗୁଁ ଅନେକ ଭାରତୀୟ ଶ୍ରମିକ ପ୍ରଭାବିତ ହୋଇଛନ୍ତି। ଆମେରିକାରୁ ନିର୍ବାସନ ସାଧାରଣତଃ ଅବୈଧ ପ୍ରବାସ ଓ ଭିସା ଉଲ୍ଲଂଘନ ଯୋଗୁଁ ହୋଇଥାଏ, କିନ୍ତୁ ଏବର୍ଷ ଆମେରିକା ତୁଳନାରେ ସାଉଦି ଅଧିକ କଡ଼ା ପଦକ୍ଷେପ ନେଇଛି। ୟୁଏଇ, ମାଲେସିଆ ଓ କୁଏତ୍ ମଧ୍ୟ ଭାରତୀୟଙ୍କୁ ଚଳିତ ବର୍ଷ ଅଧିକ ସଂଖ୍ୟାରେ ନିର୍ବାସିତ କରିଛନ୍ତି । ଆମେରିକାରୁ ଗୋଟିଏ ବର୍ଷରେ ୩, ୮୦୦ ଭାରତୀୟଙ୍କୁ ନିର୍ବାସନ କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଇଭେଟ କମ୍ପାନୀରେ କର୍ମଚାରୀ ଥିଲେ । ଏହି ସଂଖ୍ୟା ଗତ ୫ ବର୍ଷରେ ସର୍ବାଧିକ । ବିଶେଷଜ୍ଞଙ୍କ ଅନୁସାରେ ଏହାର କାରଣ ଟ୍ରମ୍ପ ପ୍ରଶାସନ ଦ୍ୱାରା ନିକଟରେ ନିଆଯାଇଥିବା ଦସ୍ତାବିଜ, ଭିସା ସ୍ଥିତି ଓ କାର୍ଯ୍ୟ ପ୍ରାଧିକରଣ ଆଦି ଯାଞ୍ଚ କରିବା । ୱାସିଂଟନ ଡିସିରୁ ୩୪୧୪ ଛାତ୍ରଙ୍କ ମଧ୍ୟରେ ୨୩୪ଙ୍କୁ ନିର୍ବାସନ କରିଛି ।
ସାଉଦି ଆରବରେ ପ୍ରାୟ ୨୬ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି, ଯାହା ସେଠାରେ ସର୍ବବୃହତ ପ୍ରବାସୀ ସମୁଦାୟ। ଅନେକ ନିର୍ମାଣ, ସେବା ଓ ତୈଳ କ୍ଷେତ୍ରରେ କାମ କରନ୍ତି। ସାଉଦି ନିୟମ ଅନୁଯାୟୀ ଭିସା ମିଆଦ ପୂରଣ ହେଲେ ବା କମ୍ପାନି ସହ ସମସ୍ୟା ହେଲେ ନିର୍ବାସନ ହୋଇଥାଏ । ବଢ଼ୁଥିବା ନିର୍ବାସନ ଭାରତୀୟ ଶ୍ରମିକଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।