ନୂଆଦିଲ୍ଲୀ, ୨୭/୦୪ : ହ୍ୱାଇଟ୍‌ ହାଉସ୍‌ର ବାର୍ଷିକ ମିଡିଆ ଡିନର ପାର୍ଟିରେ ଗୁଳିମାଡ଼ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା। ସିବିଏସ୍ ନ୍ୟୁଜ୍ କୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି ଯେ, ଯେତେବେଳେ ଗୁଳିମାଡ଼ ହେଲା ମୁଁ ଏବଂ ଫାର୍ଷ୍ଟ ଲେଡି ମେଲାନିଆ ତଳକୁ ପଡି ଯାଇଥିଲୁ। ହଠାତ୍ କଣ ହେଲା ବୋଲି ମୁଁ ଜାଣିବା ପୂର୍ବରୁ ସିକ୍ୟୁରିଟି ଫୋର୍ସ ତୁରନ୍ତ ଆକ୍ଟିଭ୍ ହୋଇଯାଇଥିଲେ। କଣ ଚାଲିଛି ଜାଣିବା ପାଇଁ ମୁଁ ସେମାନଙ୍କୁ ଧୀରେ ସହ କାମ କରିବାକୁ ବାଧ୍ୟ କଲି। ସୁଟରଙ୍କ ଟାର୍ଗେଟ୍‌ ରେ ଥିଲେ ବୋଲି ଜାଣିଛନ୍ତି କି ନାହିଁ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ଯେ, ମୋତେ ଜଣା ନଥିଲା। ମୁଁ ଏକ ମେନିଫେଷ୍ଟୋ ପଢିଲି। ସେ ଜଣେ ମୌଳବାଦୀ। ସେ ଜଣେ ଖ୍ରୀଷ୍ଟିଆନ ବିଶ୍ୱାସୀ ଥିଲେ ଏବଂ ତା’ପରେ ସେ ଖ୍ରୀଷ୍ଟିଆନ ବିରୋଧୀ ହୋଇଗଲେ।

ଟ୍ରମ୍ପ ପୁଣି କହିଛନ୍ତି ଯେ, ମୋତେ ମରିବାକୁ ଭୟ ନାହିଁ। ମୁଁ ଜୀବନକୁ ବୁଝିଛି। ଆମେ ଏକ ପାଗଳ ଭରା ଦୁନିଆରେ ରହୁଛେ। ତେବେ ସୁରକ୍ଷା ବ୍ୟବସ୍ଥାକୁ ଟ୍ରମ୍ପ ପ୍ରଶଂସା କରି କହିଛନ୍ତି ଯେ, ଡିନର ପାର୍ଟିରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ତାଙ୍କର ଡ୍ୟୁଟି ଭଲ ଭାବରେ ନିର୍ବାହ କରିଛନ୍ତି। ଆକ୍ରମଣକାରୀ ଖୁବ୍ ଦ୍ରୁତ ଥିଲା। ପୂର୍ବରୁ ମୁଁ ଏଭଳି ପରିସ୍ଥିତିର ସାମ୍ନା କରିଛି। ତେବେ ମେଲାନିଆ ଏହି ପରିସ୍ଥିତିକୁ ଭଲ ଭାବରେ ସମ୍ଭାଳି ନେଲେ। ମୁଁ ଏବେ ବ୍ୟସ୍ତ ରହୁଛି। କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଇଚ୍ଛୁକ ନାହିଁ। ହେଲେ ପୁଣି ଥରେ ଡିନର ପାର୍ଟି ଆୟୋଜନ କରିବା ଉଚିତ୍। ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକାରେ ସର୍ବଦା ରାଜନୈତିକ ହିଂସା ଲାଗି ରହିଛି। ଡେମୋକ୍ରାଟିକ୍ ପାର୍ଟିର ହେଟ୍ ସ୍ପିଚ୍ ଦେଶ ପାଇଁ ବିପଦଜନକ। 

ସୂଚନା ଅନୁସାରେ, ୱାଶିଂଟନ ଡିସିର ହିଲଟନ ହୋଟେଲରେ ହ୍ୱାଇଟ୍‌ ହାଉସ୍‌ର ବାର୍ଷିକ ମିଡିଆ ଡିନର ପାର୍ଟି ଆୟୋଜନ କରାଯାଇଥିଲା। ବଲ୍‌ରୁମ୍‌ରେ ରାଷ୍ଟ୍ରପତି ଟ୍ରମ୍ପ, ଫାର୍ଷ୍ଟ ଲେଡି ମେଲାନିଆ, ଉପରାଷ୍ଟ୍ରପତି ଜେ.ଡି ଭାନ୍ସ, ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଥ୍‌, ବିଦେଶ ସଚିବ ମାର୍କୋ ରୁବିଓ, ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲଙ୍କ ସମେତ ଟ୍ରମ୍ପଙ୍କ କ୍ୟାବିନେଟର ବହୁ ସଦସ୍ୟ, ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଡିନର ପାର୍ଟିରେ ଯୋଗଦେଇଥିଲେ । ସ୍ଥାନୀୟ ସମୟ ରାତି ୮ଟା ୩୦ ବେଳକୁ ଜଣେ ୩୨ ବର୍ଷୀୟ ଯୁବକ ଟ୍ରମ୍ପ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିବା ବଲ୍‌ରୁମ୍‌କୁ ପ୍ରବେଶ ଉଦ୍ୟମ କରିଥିଲା । କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା କ୍ଷଣି ସେ ପାଖରେ ରଖିଥିବା ସଟଗନ୍‌ରେ ଗୁଳିମାଡ଼ କରିଥିଲା । ସେ ପ୍ରାୟ ୭ ରାଉଣ୍ଡ ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ଜଣେ ସିକ୍ରେଟ ସର୍ଭିସ ଅଫିସର ଆହତ ହୋଇଛନ୍ତି । ସେ ବୁଲେଟପ୍ରୁଫ୍‌ ଜ୍ୟାକେଟ ପିନ୍ଧିଥିବାରୁ ରକ୍ଷା ପାଇଯାଇଛନ୍ତି । କିଛି ସମୟର ଗୁଳିମାଡ଼ ପରେ ସୁରକ୍ଷାକର୍ମୀ ଅଭିଯୁକ୍ତକୁ କାବୁ କରିଥିଲେ । ତାର ନାଁ କୋଲ ଟମାସ ଆଲେନ ଓ ସେ କାଲିଫର୍ଣ୍ଣିଆର ଟରେନ୍ସ ଅଞ୍ଚଳର ବାସିନ୍ଦା । ସେ କାଲିଫର୍ଣ୍ଣିଆରୁ ଟ୍ରେନ ଯୋଗେ ଶିକାଗୋ ଆସିଥିଲା ଏବଂ ସେଠାରୁ ୱାଶିଂଟନରେ ପହଞ୍ଚିଥିଲା । ସେ ନିଜକୁ ଜଣେ ଅତିଥି ବୋଲି ପରିଚୟ ଦେଇ ଉକ୍ତ ହିଲ୍‌ଟନ ହୋଟେଲରେ ରହିଥିଲା । 

ଏହି ଖବରଟିକୁ ପଢନ୍ତୁ- କେବେ କେବେ ଟାର୍ଗେଟ ହୋଇଛନ୍ତି ଟ୍ରମ୍ପ? ୨୦୧୬ ରୁ ୨୦୨୪ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଥିବା ବିପଦର ସମ୍ପୁର୍ଣ୍ଣ ଟାଇମଲାଇନ