ବାରଙ୍ଗ, ୨୪।୮ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ମୌସୁମୀର ଅଢେଇ ମାସର ଅଣ୍ଡିରା ଧଳା ଶାବକ ମୃତ। ଗତ ଜୁନ ୭ ତାରିଖରେ ଜନ୍ମ ହୋଇଥିବା ବେଳେ ୧୧ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲା। ଶିଶୁ ଯତ୍ନ ଗୃହରେ ପ୍ରାଣୀ ଚିକିତ୍ସକଙ୍କ ଅଧିନରେ ଚିକିତ୍ସିତ ହେଉଥିଲା। ଶନିବାର ସକାଳେ  ତାର ହଠାତ ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର୍ ନାରାୟଣ ସୂଚନା ଦେଇଛନ୍ତି। ଏବେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮ କୁ ଖସିଆସିଛି। 

ପ୍ରାଣୀ ଉଦ୍ୟାନର ୨୮ ନଂ ଫିଡ଼ିଂ ଚ୍ୟାମ୍ୱରରେ ରହୁଥିବା ୯ ବର୍ଷିଆ ଧଳା ବାଘୁଣୀ ମୌସୁମୀ ଗତ ଜୁନ ୭ ତାରିଖ ରାତିରେ  ଦୁଇ ଘଣ୍ଟା ଅନ୍ତରରେ ଦୁଇଟି ଶାବକ ଜନ୍ମ ଦେଇଥିଲା।  ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା’ ଉପରେ ନଜର ରଖାଯାଇଥିଲା। ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀର ପାନ୍ କରୁଥିବା ଦେଖିବାକୁ ମିଳିଥିଲା। ଜୁନ ୧୧ ତାରିଖରେ ଧଳା  ଛୁଆଟି  ଅସୁସ୍ଥ ଥିବା ସିସିଟିଭି ରେ ଦେଖିବାକୁ ମିଳିଥିଲା। ବାଘୁଣୀ ଦୁଇ ଶାବକକୁ ପାଖରେ ପୂରାଇ ଦେଇ ନଥିଲା। ତେଣୁ ଦୁଇ ଶାବକଙ୍କୁ ବଞ୍ଚାଇବା ପାଇଁ କର୍ତ୍ତୃପକ୍ଷ   ସନ୍ଧ୍ୟାରେ ମାଆ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ଶିଶୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ।  ଧଳା ଅଣ୍ଡିରା ବାଘ ଶାବକ ଓଜନ କମ ଥିବା ବେଳେ ଗୁରୁତର ହୋଇ ଯାଇଥିଲା। ତେଣୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା’ ଉପରେ ନଜର ରଖାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାର ଶନିବାର ସକାଳୁ ହଠାତ ମୃତ୍ୟୁ ହୋଇଛି।