ନୂଆଦିଲ୍ଲୀ,୫।୬: ଭାରତରେ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅନେକ ୟୁଟ୍ୟୁବର ଜଣାପଡିଛନ୍ତି। ଏପର୍ଯ୍ୟନ୍ତ ଗିରଫ ହୋଇଥିବା ସୋସିଆଲ ମିଡିଆରେ ଇନଫ୍ଲୁଏନ୍ସରଙ୍କୁ ପଚରା ଉଚରା ବେଳେ ଏକ ବଡ଼ ଖୁଲାସା ହୋଇଛି। ପାକିସ୍ତାନରେ ରହୁଥିବା ଜଣେ ମହିଳାଙ୍କ ନାଁ ସାମନାକୁ ଆସିଛି। ଏହି ମହିଳାଙ୍କୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ‘ମ୍ୟାଡାମ୍ N’ ନାଁ ଦେଇଛି। ଏହି ମହିଳାଙ୍କୁ କଥିତ ଭାବରେ ଭାରତ ବିରୋଧରେ ଗୁପ୍ତଚର ନେଟଓ୍ବର୍କ ଆରମ୍ଭ କରିବାର ଦାୟିତ୍ବ ଦିଆଯାଇଥିଲା। ଏହି ମହିଳା ଜଣକ ହେଉଛନ୍ତି ପାକ୍ର ଜଣାଶୁଣା-ବିଜନେସ୍ ଓ୍ବିମେନ୍ ‘ନୌଶାବା ଶହଜାଦ ମାସୁଦ’।
ନୌଶାବା ଲାହୋରରେ ‘ଜୟାନ ଟ୍ରାଭେଲ ଆଣ୍ଡ ଟୁରିଜିମ୍’ ନାମରେ ଏକ ଟ୍ରାଭେଲ ଏଜେନ୍ସି ଚଳାଉଥିଲେ। ଆଇଏସଆଇର ଇଶାରାରେ ଭାରତରେ ପ୍ରାୟ ୫୦୦ ସ୍ଲିପର ଏଜେଣ୍ଟଙ୍କ ନେଟଓ୍ବର୍କ ତିଆରି କରିବାର ଚେଷ୍ଟା କରୁଥିଲେ। ତାଙ୍କ କମ୍ପାନୀ ଭାରତୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଟାର୍ଗେଟ କରିଥିଲା। ସେ ପାକିସ୍ତାନ ଆସିବା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ। ତୀର୍ଥଯାତ୍ରା ଓ ସାଂସ୍କୃତିକ ସମ୍ପର୍କ ବଢାଇବା ନାମରେ ଡାକିଥିଲେ। କିନ୍ତୁ ପ୍ରକୃତ ଉଦେଶ୍ୟ ଥିଲା ଗୁପ୍ତଚର କାମ କରିବା ପାଇଁ ଗ୍ରାଉଣ୍ଡ ତିଆରି କରିବା।
ପଚରା ଉଚରା ବେଳେ ସାମନାକୁ ଆସିଛି ଯେ, ମାଡାମ N ଭାରତରେ ଏକ ସ୍ଲିପର ସେଲ୍ ନେଟଓ୍ବର୍କ ତିଆରି କରିବାକୁ ଷଡଯନ୍ତ୍ର କରିଥିଲେ। ଯେଉଁଥିରେ ସେ ଯୁବପିଢୀଙ୍କୁ ସୋସିଆଲ ମିଡିଆରେ ଜରିଆରେ ଯୋଡୁଥିଲେ। ଗତ ୬ ମାସରେ ସେ ୩୦୦୦ ଭାରତୀୟ ଓ ୧୫୦୦ ଏନ୍ଆରଆଇଙ୍କୁ ପାକିସ୍ତାନ ଡାକିଥିଲେ। ଅନେକଙ୍କୁ ଆଇଏସଆଇ ଅଫିସର ଓ ପାକିସ୍ତାନୀ ସେନା ସହ ସାକ୍ଷାତ କରାଇଥିଲେ। ବିଶେଷ ଭାବରେ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟର ଯୁବକଙ୍କୁ ଟାର୍ଗେଟ କରାଯାଇଥିଲା।
‘ମାଡାମ ଏନ୍’ ଖୁବ୍ ପ୍ରଭବାଶାଳୀ। କେବଳ ଗୋଟିଏ ଫୋନ୍କଲରେ ପାକିସ୍ତାନର ହାଇକମିଶନ୍ର ଭିସା ବିଭାଗରୁ କାହାକୁ ବି ଭିସା ଦେଇପାରୁଥିଲେ। ସେ ପାକ୍ ଦୂତାବାସରେ ମୁତୟନ ଆଇଏସଆଇ ଏଜେଣ୍ଟ ଦାନିଶ ଓରଫ୍ ଏହସାନ-ଉର-ରହମାନଙ୍କ ଯୋଗାଯୋଗରେ ଥିଲେ, ଯାହାଙ୍କୁ ଭାରତ ସରକାର ମଇ ମାସରେ ବହିଷ୍କାର କରିଥିଲେ। ‘ମାଡାମ ଏନ୍’ ଙ୍କ କମ୍ପାନୀ ପାକିସ୍ତାନ ସରକାରଙ୍କ ‘ଶରଣାର୍ଥୀ ଟ୍ରଷ୍ଟ ସମ୍ପତ୍ତି ବୋର୍ଡ’ ସହ ମିଶି ଶିଖ୍ ଓ ହିନ୍ଦୁ ଯାତ୍ରାର ଆୟୋଜନ କରୁଥିଲା। କିନ୍ତୁ ପରଦା ପଛରେ ସେ ଏହି ଯାତ୍ରା ଜରିଆରେ ମୋଟା ଟଙ୍କା ଆଦାୟ କରୁଥିଲେ। ତାଙ୍କୁ ଆଇଏସ୍ଆଇର ପ୍ରୋପାଗଣ୍ଡା ଓ ଅପରେସନ୍ରେ ପଠାଉଥିଲେ। ଏହି ଖୁଲାସା ପରେ ଭାରତୀୟ ଗୁଇନ୍ଦା ଏଜେନ୍ସି ଆର୍ଲଟ ମୋଡ୍ରେ ରହିଛି।