ନୂଆଦିଲ୍ଲୀ ୨୯/୦୪: ପରିବାରରେ କୌଣସି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଲେ, ମୃତକଙ୍କ ଫିଜିକାଲ ଷ୍ଟାଟସ୍ ଅର୍ଥାତ୍ ଜମି, ଟଙ୍କା ଓ ଗହଣା ପରିବାର ନାଁରେ କରିଦିଆଯାଏ । କିନ୍ତୁ ପରିବାର ସଦସ୍ୟ କ’ଣ ମୃତକଙ୍କ ଡିଜିଟାଲ ଷ୍ଟାଟସ୍ ଯଥା- ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍ ଆଇଡି କିମ୍ବା କ୍ରିପ୍ଟୋ ଷ୍ଟାଟସ୍‌କୁ ମଧ୍ୟ ହାସଲ କରିପାରିବେ?

ଅନେକ ମାମଲାରେ କୁହାଯାଏ, ଏହି ଡିଜିଟାଲ ଷ୍ଟାଟସ୍ ବ୍ୟକ୍ତିଗତ ଆଇନ ଆଧୀନରେ ଆସେ । ସେଥିପାଇଁ ଏହାକୁ ପରିବାରକୁ ହସ୍ତାନ୍ତର କରିବା ସହଜ ନୁହେଁ । ଏହି କାରଣ ପାଇଁ ପରିବାର ସଦସ୍ୟଙ୍କୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ନୂଆ ଆଇନ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହାର ନାଁ ଡିଜିଟାଲ ଇଚ୍ଛାପତ୍ର । ଏହା ଅଧୀନରେ ଡିଜିଟାଲ ସମ୍ପତ୍ତିକୁ ମଧ୍ୟ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇ ପାରିବ ।

ଡିଜିଟାଲ ଇଚ୍ଛାପତ୍ର କ’ଣ?

ପୂର୍ବରୁ ଲୋକଙ୍କ ପାଖରେ କେବଳ ଜମିବାଡ଼ି, ଟଙ୍କା, ସୁନା ଆଦି ଥିଲା । କିନ୍ତୁ ଏବେ ସମୟ ବଦଳିଛି । ବର୍ତ୍ତମାନ ପିଢ଼ି ନିଜର ନିବେଶଠୁ ଆରମ୍ଭ କରି ସୋସିଆଲ ମିଡିଆ ଆକାଉଣ୍ଟ... ସବୁଥିରୁ ଆୟ କରୁଛନ୍ତି । ଏବେ ପ୍ରତ୍ୟେକ ଡିଜିଟାଲ ସମ୍ପତ୍ତିର ମୂଲ୍ୟ ଅଛି । ସେଥିପାଇଁ ଲୋକେ ଡିଜିଟାଲ ଇଚ୍ଛାପତ୍ର ପାଇଁ ଦାବି କରୁଛନ୍ତି, ଯଦ୍ଦ୍ୱାରା ସେମାନଙ୍କ ଡିଜିଟାଲ ସମ୍ପତ୍ତି ମଧ୍ୟ ସୁରକ୍ଷିତ ରୂପେ ତାଙ୍କ ପରିବାର ପାଖରେ ପହଞ୍ଚିପାରିବ ।

ଡିଜିଟାଲ ସମ୍ପତ୍ତି ହାସଲ କରିବା ପାଇଁ ପରିବାର ସଦସ୍ୟଙ୍କୁ କୋର୍ଟରୁ ଆଦେଶ ନେବାକୁ ପଡ଼େ । ଏହା ପରେ ହିଁ ଲାପ୍‌ଟପ୍ ଓ ଆକାଉଣ୍ଟକୁ ସେମାନଙ୍କର ପହଞ୍ଚ ସମ୍ଭବ ହୋଇପାରିବ । ଏହି ସମସ୍ୟାକୁ ଦୂର କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ବିଷୟ ଉପରେ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି । ଏହା ଦ୍ୱାରା ଏ ପ୍ରକ୍ରିୟା ସହଜ ଓ ସୁଗମ ହୋଇପାରିବ । ଏହି ମାର୍ଗଦର୍ଶିକାକୁ ଡିଜିଟାଲ ଇଚ୍ଛାପତ୍ର କୁହାଯାଉଛି । ଏହା ମାଧ୍ୟମରେ ପରିବାର ଲୋକଙ୍କୁ ବାରମ୍ବାର କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିବ ନାହିଁ । ନିଜର ପ୍ରିୟ ସଦସ୍ୟଙ୍କ ଡିଜିଟାଲ ସମ୍ପତ୍ତି ସହଜରେ ତାଙ୍କ ନାଁରେ ସ୍ଥାନାନ୍ତର ହୋଇପାରିବ । ଯେମିତି ଆପଣ ନିଜ ଘର, ଗହଣା, ଟଙ୍କା ଓ ଜମିର ମାଲିକାନା ନିଜ ପରିବାର ନାଁରେ କରନ୍ତି, ଠିକ୍ ସେମିତି ନିଜର ଡିଜିଟାଲ ଆକାଉଣ୍ଟକୁ ନିଜ ପରିବାର ସଦସ୍ୟଙ୍କ ନାଁରେ କରିପାରିବେ ।

ଏଥିରେ କ’ଣ କ’ଣ ସାମିଲ?

ଡିଜିଟାଲ ଇଚ୍ଛାପତ୍ରରେ ଅନେକ ପ୍ରକାର ଡିଜିଟାଲ ସମ୍ପତ୍ତିକୁ ସାମିଲ କରାଯାଇପାରେ ।

ସୋସିଆଲ ମିଡିଆ ଆକାଉଣ୍ଟ: ଏଥିରେ ଆପଣଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ଯଥା- ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍ ଆଦି ସାମିଲ । ଏଥିରେ ଆପଣଙ୍କ ସ୍ମୃତି, ପୋଷ୍ଟ୍ ଓ ମେସେଜ୍ ଆଦି ଥାଏ । ଏହା ଆପଣଙ୍କ ଡିଜିଟାଲ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଉପରେ ପରିବାରର ମଧ୍ୟ ଅଧିକାର ରହିପାରିବ ।

କ୍ରିପ୍ଟୋ ସମ୍ପତ୍ତି: ବର୍ତ୍ତମାନ ସମୟରେ ଅନେକ ଲୋକ କ୍ରିପ୍ଟୋରେ ନିବେଶ କରୁଛନ୍ତି । ଡିଜିଟାଲ ଇଚ୍ଛାପତ୍ର ଜରିଆରେ ନିଜ ପରିବାରକୁ ଆପଣଙ୍କ କ୍ରିପ୍ଟୋ ସଞ୍ଚୟ ରାଶି ମିଳିପାରିବ ।

ଆହୁରି ପଢ଼ନ୍ତୁ...ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଜେଲ୍‌ରେ କାଟିଲେ ୩୧ ବର୍ଷ, ଏବେ ହାଇକୋର୍ଟରେ ଓକିଲ

ଡିଜିଟାଲ ଷ୍ଟୋରେଜ୍: ଗୁଗଲ ଫଟୋ କିମ୍ବା ଅନ୍ୟ କ୍ଲାଉଡ୍ ଷ୍ଟୋରେଜ୍ ଆଦିରେ ଆପଣଙ୍କ ଫଟୋ ଓ ଭିଡିଓ ଗଚ୍ଛିତ ରହେ । ଏହାର ଅଧିକାର ମଧ୍ୟ ପରିବାରକୁ ମିଳିପାରିବ । ଏହିଭଳି ଭାବେ ଡିଜିଟାଲ ଇଚ୍ଛାପତ୍ର ଜରିଆରେ ଆପଣଙ୍କ ଡିଜିଟାଲ ଜୀବନର ଅଂଶ ଆପଣଙ୍କ ପରିବାର ପାଖରେ ସୁରକ୍ଷିତ ଭାବେ ପହଞ୍ଚିପାରିବ । ଏହି ଡିଜିଟାଲ ସମ୍ପତ୍ତି ଭିତରେ ପରିବାର ପାଇଁ କୌଣସି ନିବେଶ କିମ୍ବା ଏନ୍‌ଏଫ୍‌ଟି କିଣାଯାଇଥିବ । ଏଭଳି ସମ୍ପତ୍ତି ବିଷୟରେ ଜାଣିବା ଜରୁରି । କାରଣ ବଜାରରେ ଏଗୁଡ଼ିକର ମୂଲ୍ୟ ବହୁତ ଅଧିକ ହୋଇପାରେ । ଡିଜିଟାଲ ସମ୍ପତ୍ତିକୁ ମାନ୍ୟତା ମିଳିବା ସହିତ ଗୁଗଲ୍, ଫେସ୍‌ବୁକ, ଆପଲ ଭଳି କମ୍ପାନି ଏ ଦିଗରେ ପଦକ୍ଷେପ ନେଇଛନ୍ତି ।