ନୂଆଦିଲ୍ଲୀ ୨୯/୦୪: ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ଏଜି ପେରାରିବଲନ୍ଙ୍କ ପାଇଁ ସ୍ୱାଧୀନତାର ଅର୍ଥ କେବଳ ଜେଲରୁ ବାହାରକୁ ଆସିବା ନ ଥିଲା, ଏକ ନୂଆ ଜୀବନର ଶୁଭାରମ୍ଭ ଥିଲା । ସେହି ନୂଆ ଆରମ୍ଭ ଏବେ ତାମିଲନାଡୁର କୋର୍ଟରୁମ୍ରେ ବାସ୍ତବତାର ରୂପ ନେଉଛି । ୨୦୨୨ରେ ଜେଲରୁ ମୁକ୍ତ ହେବା ପରେ ପେରାରିବଲନ୍ ବେଙ୍ଗାଲୁରୁର ଡ. ବିଆର୍ ଆମ୍ବେଦକର ଲ’ କଲେଜରେ ଆଇନ ଅଧ୍ୟୟନ କଲେ । ୨୦୨୫ରେ ଅଲ୍ଇଣ୍ଡିଆ ବାର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏବେ ସେ ଓକିଲ ହୋଇଛନ୍ତି । ଯେଉଁ ନ୍ୟାୟିକ ବ୍ୟବସ୍ଥାରେ ପେରାରିବଲନ୍ ଜଣେ ଅଭିଯୁକ୍ତ ଓ ଦୋଷୀ ଭାବେ ନିଜ ଜୀବନର ୩୧ ବର୍ଷ ବିତାଇଲେ, ସେଠାରେ ସେ ଆଇନ ଅଭ୍ୟାସ କରିବେ । ୫୪ ବର୍ଷ ବୟସରେ ମାଡ୍ରାସ ହାଇକୋର୍ଟରେ ସେ ଆଇନ ଅଭ୍ୟାସ କରିବେ । ଗତ ସୋମବାର କଳା ରଙ୍ଗର ଓକିଲ ପୋଷାକରେ ପେରାରିବଲନ୍ ତାମିଲନାଡୁ ଓ ପୁଡୁଚେରୀ ବାର୍ ଆସୋସିଏସନ୍ରେ ଓକିଲ ଭାବେ ନାମ ଲେଖାଇଲେ । ଏ ଅବସରରେ ସେ ଗଣମାଧ୍ୟମକୁ କହିଲେ, ପ୍ରଭାବଶାଳୀ ପ୍ରତିନିଧିତ୍ୱର ସମର୍ଥନ ପାଇପାରୁନଥିବା କଏଦୀଙ୍କୁ ନ୍ୟାୟିକ ସାହାଯ୍ୟ ପ୍ରଦାନରେ ଫୋକସ୍ କରିବେ ।
ଓକିଲ ଭାବେ ପେରାରିବଲନ୍ଙ୍କ ନାମଲେଖା ସମାରୋହରେ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଯୋଗ ଦେଇଥିଲେ । ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ମାମଲାରେ ପେରାରିବଲନ୍ ମାତ୍ର ୧୯ ବର୍ଷ ବୟସରେ ଗିରଫ ହୋଇଥିଲେ । ତାଙ୍କୁ ତାଙ୍କ ଘରୁ ପୁଲିସ ଉଠାଇ ନେଇଥିଲା । କମ୍ ସମୟର ପଚରାଉଚରା ପରେ ପର ଦିନ ଛାଡ଼ିଦିଆଯିବ ବୋଲି ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦିଆଯାଇଥିଲା । ସେହି ଭରସାରେ ମା’ବାପା ତାଙ୍କୁ ପୁଲିସ ହାତରେ ଦେଇଥିଲେ । କିନ୍ତୁ ତାଙ୍କୁ ଆଉ ଛଡ଼ାଗଲା ନାହିଁ । ସିବିଆଇ ତାଙ୍କୁ ହେପାଜତକୁ ନେଲା । ମା’ଙ୍କୁ ମଧ୍ୟ ତାଙ୍କ ସହ ଦେଖା କରିବାକୁ ଦିଆଯାଇନଥିଲା ।
ପେରାରିବଲନ୍ଙ୍କ ବିରୋଧରେ ଅଭିଯୋଗ ଥିଲା- ସେ ଏକ ୯ ଭୋଲ୍ଟର ବ୍ୟାଟେରୀ କିଣି ଯୋଗାଇଥିଲେ, ଯାହା ରାଜୀବ ଗାନ୍ଧୀଙ୍କ ହତ୍ୟା ଲାଗି ବୋମା ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା । ଏହାର ସମର୍ଥନରେ ଜଣେ ଦୋକାନୀ ସାକ୍ଷୀ ଦେଇଥିଲେ । ପେରାରିବଲନ୍ ତାଙ୍କ ଦୋକାନରୁ ବ୍ୟାଟେରୀ କିଣିଥିଲେ ବୋଲି ସେ କହିଥିଲେ । ଆତଙ୍କବାଦୀ ଓ ବିଧ୍ୱଂସକ ଗତିବିଧି (ନିରୋଧ) ଅଧିନିୟମ (ଟାଡା) ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୧୯୯୮ରେ ଟାଡା କୋର୍ଟ ପେରାରିବଲନ୍ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପେରାରିବଲନ୍ଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା । ୧୯୯୯ରେ ସୁପ୍ରିମକୋର୍ଟ ଏହି ରାୟକୁ ବଳବତ୍ତର ରଖିଲେ । ତାଙ୍କର ଦୟା ଆବେଦନ ନିଷ୍ପତ୍ତିରେ ଭାରତ ସରକାରଙ୍କର ୧୧ ବର୍ଷ ବିଳମ୍ବ ଯୋଗୁ ୨୦୧୪ରେ ସୁପ୍ରିମ୍କୋର୍ଟ ତାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କଲେ ।
ଆହୁରି ପଢ଼ନ୍ତୁ...West Bengal Election: ଭବାନୀପୁରରେ ଜୋରଦାର୍ ଲଢେଇ, ଦିଦିଙ୍କୁ ପୁଣି ମାତ୍ ଦେବେ କି ଶୁଭେନ୍ଦୁ ?
ପେରାରିବଲନ୍ଙ୍କ ପରିବାରର ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ପରେ ସୁପ୍ରିମ୍କୋର୍ଟ ୨୦୨୨, ମେ’ ୧୮ରେ ପେରାରିବଲନ୍ଙ୍କୁ ମୁକ୍ତ କଲେ । କିନ୍ତୁ ଜେଲଦଣ୍ଡ ତାଙ୍କ ଶିକ୍ଷାପ୍ରାପ୍ତି ଇଚ୍ଛାରେ ବାଧକ ହୋଇପାରିନଥିଲା । ଜେଲରେ ଥାଇ ସେ ଅଧ୍ୟୟନ ଜାରି ରଖିଲେ । ତାମିଲନାଡୁ ଓପନ୍ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ଡିପ୍ଲୋମା କୋର୍ସରେ ଶୀର୍ଷ ସ୍ଥାନ ହାସଲ କରି ସେ ସ୍ୱର୍ଣ୍ଣ ପଦକ ପାଇଲେ । ଯୁକ୍ତ ୨ ପରୀକ୍ଷାରେ ଜେଲସାଥୀଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ । କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବାବେଳେ କମ୍ପ୍ୟୁଟର ଆପ୍ଲିକେସନ୍ରେ ସେ ସ୍ନାତକ ଡିଗ୍ରୀ ଶେଷ କଲେ । ଇନ୍ଦିରା ଗାନ୍ଧୀ ଓପନ୍ ୟୁନିଭର୍ସିଟିରୁ ଏହି ବିଷୟରେ ମାଷ୍ଟର ଡିଗ୍ରୀ ଲାଭ କଲେ । ଏଥିସହିତ ୭ ଅତିରିକ୍ତ ଡିପ୍ଲୋମା କୋର୍ସ ମଧ୍ୟ ଶେଷ କଲେ । ତନ୍ମଧ୍ୟରୁ କିଛି ପାଠ୍ୟକ୍ରମ ମୃତ୍ୟୁ ଦଣ୍ଡର ସମ୍ମୁଖୀନ ହେଉଥିବା ସମୟରେ ଶେଷ କରିଥିଲେ । ଜେଲରୁ ମୁକ୍ତ ହୋଇ ସେ ଡ. ବିଆର୍ ଆମ୍ବେଦକର ଲ କଲେଜ, ବେଙ୍ଗାଲୁରୁରେ ଡିଗ୍ରୀ ଶେଷ କଲେ । ତା’ପରେ ଅଲ୍-ଇଣ୍ଡିଆ ବାର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏହି ଯାତ୍ରା ବିଷୟରେ ପେରାରିବଲନ୍ କହିଛନ୍ତି, ଜଣେ ପ୍ରସିଦ୍ଧ ଅପରାଧିକ ଓକିଲ ହେବା ମୋର ଅଭିଳାଷ ନୁହେଁ, ବରଂ ନ୍ୟାୟିକ ସହଯୋଗ ପାଉନଥିବା ଜେଲ ଭିତରେ ଥିବା ହଜାର ହଜାର କଏଦୀଙ୍କ ସ୍ୱର ହେବା ମୋର ଲକ୍ଷ୍ୟ ।