ନୂଆଦିଲ୍ଲୀ,୨୨/୨ :  ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆରମ୍ଭ ହୋଇ ସାରିଛି । କିନ୍ତୁ ଆଗାମୀ ରବିବାର ଏକ ମହାମୁକାବିଲା ହେବାକୁ ଯାଉଛି । ୨୩ଫେବୃଆରୀ ଯେତେବେଳେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ ଏହା ଟୁର୍ଣ୍ଣାମେଣ୍ଟର ୫ମ୍ୟାଚ୍ ହେବ । ଉଭୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଏବେ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ମ୍ୟାଚ୍ ଖେଳି ସାରିଛନ୍ତି । ଗୋଟିଏ ପଟେ ଟିମ୍ ଇଣ୍ଡିଆ ନିଜ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୬ଓ୍ବିକେଟରେ ହରାଇଥିଲା । ସେହିଭଳି ପାକିସ୍ତାନକୁ ନ୍ୟୁଜିଲାଣ୍ଡ ହାତରୁ ପରାଜୟ ହେବାକୁ ପଡ଼ିଥିଲା । ଏହା ପ୍ରାୟ ୬ ଥର ହେବ ଯାହାକି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ତେବେ ଆସନ୍ତୁ ଜାଣିବା ଯେତେବେଳେ ଏହି ଟୁର୍ଣ୍ଣାମେଣ୍ଟ ଉଭୟ ଦେଶ ଶେଷ ଥର ପାଇଁ ଖେଳିଥିଲେ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫିରେ ‌ଶେଷ ଥର ୨୦୧୭ରେ ହୋଇଥିଲା । ଦୁଇ ଦେଶ, ଗ୍ରୁପ ଷ୍ଟେଜ୍ ଏବଂ ପରେ ସେମିପାଇନାଲର ଟକ୍କର ପାର୍ କରି ଫାଇନାଲରେ ପହଞ୍ଚିଥିଲେ । ଚାମ୍ପିୟନ୍ସ ଟ୍ରଫି ୨୦୧୭ର ଫାଇନାଲରେ ପାକ୍ ଟିମ୍ ପ୍ରଥମେ ଖେଳି ୩୩୮ରନ୍ କରିଥିଲା । ଭାରତୀୟ ବୋଲରଙ୍କୁ ଫଖର ଜମାନ ଧୁଲାଇ କରି ୧୧୪ରନର ପାଳି ଖେଳିଥିଲେ । ଜମାନ ଆଉଟ ହେବା ପରେ ମହମ୍ମଦ ହଫିଜଙ୍କ ଉପରେ ବି ବଡ଼ ସଟ୍ ଖେଳିଥିଲେ । ହାଫିଜ ୩୭ବଲରେ ୫୭ରନ୍ ପାଳି ଖେଳିଥିଲେ। ଜସପ୍ରୀତ ବୁମରାହ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା ଏବଂ କେଦାର ଜାଦବ ବହୁ ଅଧିକ ଇକନୋମୀ ରେଟରେ ରନ୍ ଆଣିଥିଲେ ।

୨୦୧୭ଚାମ୍ପିୟନ୍ସ ଟ୍ରଫିରେ ଗତ ବିଜେତା ରୂପରେ ଆସିଥିବା ଭାରତୀୟ ଟିମ୍ ସାମ୍ନାରେ ଫାଇନାଲରେ ୩୩୯ରନର ବିଶାଳ ଟାର୍ଗେଟ ଥିଲା । ମହମ୍ମଦ ଅମିରଙ୍କ ଦ୍ରୁତ ଏବଂ ସ୍ବିଂ ବଲ୍ ଭାରତୀୟ ଟପ୍ ଅର୍ଡ଼ର ଦମ୍ ବାହାର କରିଦେଇଥିଲା । ୩୩ରନର ସ୍କୋରରେ ରୋହିତ ଶର୍ମା, ଶିଖର ଧଓ୍ବନ ଏବଂ ବିରାଟ କୋହଲୀ ତ୍ରିମୂର୍ତ୍ତି ପାଭିଲିୟନ ଫେରିଯାଇଥିଲେ।  ଯୁବରାଜ ସିଂହ କିଛି ସମୟ କ୍ରିଜରେ ରହିଥିଲେ ଯିଏ ୨୨ରନ୍ କରିଥିଲେ । ତାଙ୍କ ବ୍ୟତୀତ ଏମଏସ୍ ଧୋନୀ କେଦାର ଯାଦବ ପ୍ରାୟ ୯ରନ୍ କରି ଆଉଟ୍ ହୋଇଥିଲେ ।

୭ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ ପରିପକ୍ବତା ଦେଖାଇଥିଲେ । ତାଙ୍କ ୭୬ରନ୍ ବଦଳରେ ଭାରତ ୧୫୦ସ୍କୋରକୁ ପାର୍ କରିପାରିଥିଲା । କିନ୍ତୁ ଅନ୍ୟପଟୁ ତାଙ୍କୁ କୌଣସି ସାହାଯ୍ୟ ମିଳିପାରିନଥିଲା । ହାର୍ଦ୍ଦିକ ୪୩ବଲରେ ୭୬ରନର ପାଳିରେ ୪ଚୌକା ଏବଂ ୬ଛକ୍କା ମାରିଥିଲେ । କିନ୍ତୁ ଟିମ୍ ଇଣ୍ଡିଆ ପ୍ରାୟ ୧୫୮ରନରେ ଅଟକି ରହିଥିଲା।  ଏହିଭଳି ଭାବେ ପାକିସ୍ତାନ ପ୍ରଥମଥର ଚାମ୍ପିୟନ୍ସ ଟ୍ରଫିର ବିଜେତା ହୋଇଥିଲା ।