ନୂଆଦିଲ୍ଲୀ,୧୪/୦୪; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଥିଲା । କିନ୍ତୁ ପରବର୍ତ୍ତୀ ୩ଟି ମ୍ୟାଚ୍ରେ ପରାଜିତ ହୋଇଛି । ସବୁଠୁ ବଡ଼ କଥା ହେଉଛି, ଦଳର ଭେଟେରାନ ୟର୍କର କିଙ୍ଗ୍ ବୋଲର ଯଶପ୍ରୀତ ବୁମରା ଏପର୍ଯ୍ୟନ୍ତ ଫର୍ମକୁ ଫେରି ନାହାନ୍ତି । ସିଜନରେ ଏ ପର୍ଯ୍ୟନ୍ତ ବୁମରା ୪ଟି ମ୍ୟାଚ ଖେଳି ସାରିଲେଣି । କିନ୍ତୁ ୱିକେଟ୍ ଖାତା ଖୋଲି ପାରି ନାହାନ୍ତି । ଯାହା ଏବେ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମନେ ହେଉଛ ଆଇପିଏଲରେ ବୁମରାଙ୍କ ଭୟ ଯୁଗ ସରିଛି ।

କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବୁମରା ୪ ଓଭର ବୋଲିଂ କରି ୫୧ ରନ ଦେଇଥିଲେ । ୱିକେଟ୍ ପାଇ ନଥିଲେ । ଦଳ ଏହି ମ୍ୟାଚରେ ବିଜୟୀ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪ ଓଭର ବୋଲିଂ କରି ୨୧ ରନ୍ ଦେଇଥିଲେ । ସେମିତି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୩ ଓଭର ବୋଲିଂ କରି ୩୨ ରନ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୪ ଓଭର ବୋଲିଂ କରି କରି ୩୫ ରନ୍ ଦେଇଥିଲେ । ଦଳ ଏ ସମସ୍ତ ମ୍ୟାଚରେ ପରାଜିତ ହୋଇଛି । ୨୦୧୪ ସିଜନରେ ମଧ୍ୟ ବୁମରାଙ୍କ ସହ ଏଭଳି ଘଟିଥିଲା । କ୍ରମାନ୍ୱୟରେ ୪ଟି ମ୍ୟାଚରେ ସେ ୱିକେଟ୍ ପାଇ ପାରିନଥିଲେ । ଚଳିତ ଆଇପିଏଲ ସିଜିନ ୧୯ ଏଯାବତ୍ ବୁମରାଙ୍କ ପାଇଁ ନୈରାଶ୍ୟଜନକ ରହିଛି । ୱିକେଟ୍ ହାସଲ ପାଇଁ ବ୍ୟାକୁଳ ଅଛନ୍ତି ବୁମରା ।

ଏହା ବି ପଢନ୍ତୁ...ଟିମ୍ ଇଣ୍ଡିଆରେ ହେବ ବିସ୍ଫୋରକ ବୈଭବଙ୍କ ଏଣ୍ଟ୍ରୀ; ଏହି ସିରିଜରେ ଖେଳିବା ସମ୍ଭାବନା, ବିପଦରେ ସଚିନ୍ଙ୍କ ରେକର୍ଡ  

ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ରେ ଯଶପ୍ରୀତ ବୁମରା ବରୁଣ ଚକ୍ରବର୍ତ୍ତୀଙ୍କ ସହ ସଯୁକ୍ତ ସର୍ବାଧିକ ୱିକେଟ ହାସଲକାରୀ ହୋଇଥିଲେ । ସେ ୧୪ଟି ୱିକେଟ୍ ଅକ୍ତିଆର କରିଥିଲେ । କିନ୍ତୁ ଚଳିତ ଆଇପିଏଲରେ ଏଯାବତ ଫ୍ଲପ୍ ଆରମ୍ଭ କରିଛନ୍ତି । ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ରନରେ ହରାଇଥିଲା । ଏହା ଦଳର ବ୍ୟାକ ଟୁ ବ୍ୟାକ୍ ତୃତୀୟ ପରାଜୟ । ଆରସିବି ଶୀର୍ଷକ୍ରମ ବ୍ୟାଟର ପିଲ ସଲ୍ଟ ୭୮ରନ୍, ଅଧିନାୟକ ରଜତ ପାଟିଦାର ୫୩ ଏବଂ କୋହଲି ୫୦ ରନ୍ କରିଥିଲେ । ମୁମ୍ବାଇ ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ଜିତିଛି । ୨ ପଏଣ୍ଟ ସହ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।