ବୃକ୍ଷରୋପଣକୁ ନେଇ ଜେଜେ-ନାତି କଥୋପକଥନ ସମ୍ପର୍କିତ କାହାଣୀ ପୂର୍ବରୁ ଆପଣ ନିଶ୍ଚିତ ରୂପେ ଶୁଣିଥିବେ । ସୂର୍ଯ୍ୟାଲୋକରେ ଝଲସୁଥିବା ଏକ ନିରବ ସକାଳରେ ଜେଜେବାପା ନାତିକୁ ନେଇ ଘର ପଛ ଏକ ଫାଙ୍କା ସ୍ଥାନରେ ଗାତଟିଏ ଖୋଳିଲେ ଏବଂ ଛୋଟ ଆମ୍ବ ଚାରାଟିଏ ରୋପଣ କଲେ । ଉତ୍ସୁକତାର ସହ ନାତି ପ୍ରଶ୍ନ କଲା ‘ଚାରିପଟେ ତ ଏତେ ଗଛ ଭରି ରହିଛି, ଆଉ ଗଛ ଲଗାଇବା କ’ଣ ଆବଶ୍ୟକ?’ ହସହସ ମୁଖରେ ନାତିକୁ ଉତ୍ତର ଦେଲେ ଜେଜେ ‘ଗଛମାନେ ହେଉଛନ୍ତି ସର୍ବୋତ୍ତମ ଦାତା । ସେମାନେ ଆମ ପାଖରୁ କିଛି ନିଅନ୍ତି ନାହିଁ, କିନ୍ତୁ ଆମକୁ ଅମ୍ଳଜାନ, ଫୁଲ, ଫଳ, କାଷ୍ଠ ଏବଂ ସୁଶୀତଳ ଛାୟା ପ୍ରଦାନ କରନ୍ତି । କେତେ ପ୍ରକାର ଜୀବଜନ୍ତୁ, ପକ୍ଷୀଙ୍କୁ ରହିବା ନିମନ୍ତେ ବାସସ୍ଥଳୀ ଯୋଗାଇ ଦିଅନ୍ତି । କେବଳ ଆମ ପାଇଁ ନୁହେଁ, ଆମ ପରବର୍ତ୍ତୀ ପିଢ଼ି ନିମନ୍ତେ ମଧ୍ୟ ଏସବୁ ଉପଯୋଗିତା ଉପଲବ୍ଧ ହେବ ।’ ନାତି ପୁଣି ପ୍ରଶ୍ନ କଲା "ଏହି ଚାରାଟି ତ ଏତେ ଛୋଟ ଅଛି, କେବେ ବଡ଼ ହେବ ଆଉ ଆମ୍ବ ଫଳିବ! ତମେ କ’ଣ ତାହା ଖାଇପାରିବ?’ ଜେଜେ ଉତ୍ତର ଦେଲେ "ଆମେ ଯେଉଁ ଫଳ ଆଜି ଖାଉଛେ, ଅନେକ ଗଛ ଆମ ବାପା, ଜେଜେ ଲଗାଇ ଥିଲେ । ଆଜି ଯେଉଁ ଗଛ ଲାଗୁଛି ତା'ର ଫଳ ତମେମାନେ ବଡ଼ ହେଲେ ଖାଇବ, ଆଉ ଅନ୍ୟାନ୍ୟ ବହୁ ଦ୍ରବ୍ୟ ଓ ସେବା ମଧ୍ୟ ହାସଲ ହେବ । ବହୁ ଜୀବଜାତିଙ୍କର ସମ୍ଭାର ଏଠି ଗଢ଼ିଉଠିବ ଏବଂ ପରିବେଶ ସନ୍ତୁଳନ ରକ୍ଷାହେବ । ତେଣୁ ଗଛ ଲଗାଇବା ଆମ ଭବିଷ୍ୟତ ଏବଂ ପ୍ରକୃତିକୁ ସୁରକ୍ଷିତ ରଖିବା ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ ।’ ଜେଜେ-ନାତିଙ୍କୁ ନେଇ ଏପରି ଗଳ୍ପ କେବଳ ଛୋଟ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ନୁହେଁ, ବରଂ ସମାଜ ନିମନ୍ତେ ଏହା ଏକ ଅତୀବ ମୂଲ୍ୟବାନ ବାର୍ତ୍ତା ବହନ କରେ ।
ପ୍ରାଚୀନ ଭାରତର ପରମ୍ପରାକୁ ଅବଲୋକନ କଲେ ଆଜି ଦୃଶ୍ୟମାନ ଥିବା ବ୍ୟାପକ ଧରଣର ବାଣିଜ୍ୟିକ ବୃକ୍ଷରୋପଣ ସେତେବେଳେ ଅସ୍ତିତ୍ୱରେ ନଥିଲା । କେବଳ କର୍ପୋରେଟ୍ କିମ୍ବା ସାମ୍ରାଜ୍ୟବାଦୀ ଲାଭ ଉଦ୍ଦେଶ୍ୟରେ ଶୋଷଣ ନକରି, ବୃକ୍ଷମାନଙ୍କୁ ମଣିଷ ବଞ୍ଚିବା ନିମନ୍ତେ ଅତ୍ୟାବଶ୍ୟକୀୟ ଜୀବସତ୍ତା ଭାବରେ ପୂଜାର୍ଚ୍ଚନା ଏବଂ ବ୍ୟବହାର କରିବା ମୂଳମନ୍ତ୍ର ଥିଲା । ବୃକ୍ଷରୋପଣ ଏବଂ ଉଦ୍ୟାନ (ପବିତ୍ର ତୋଟା) ସ୍ଥାପନ ଧାର୍ମିକ କର୍ତ୍ତବ୍ୟ ରୂପେ ପରିଗଣିତ ହେଉଥିଲା । ତୁଳସୀ, ଅଶ୍ୱତ୍ଥ, ବର, ନିମ୍ବ, ବେଲ, ଆମ୍ବ, ଅଶୋକା, ନଡ଼ିଆ ଇତ୍ୟାଦି ଉଦ୍ଭିଦକୁ ଐଶ୍ୱରୀୟ ସତ୍ତାର ନିଦର୍ଶନ ଭାବରେ ପୂଜିତ କରାଯିବାର ପରମ୍ପରା ଆଜି ମଧ୍ୟ ରହିଛି । ବୃକ୍ଷଲତା କୃଷି ଏବଂ ବନୀକରଣ ପବିତ୍ର ଆୟୁର୍ବେଦ ଏବଂ ପ୍ରକୃତି ଅଧ୍ୟୟନ ସହିତ ଗଭୀର ଭାବରେ ଜଡ଼ିତ ଥିଲା । ପ୍ରକୃତି ସହ ଅନ୍ତରଙ୍ଗ ସମନ୍ୱୟ ସ୍ଥାପନ ଉପରେ ବୃକ୍ଷରୋପଣ ଏବଂ ଉଦ୍ଭିଦ କୃଷିର ଦୃଷ୍ଟିକୋଣ କେନ୍ଦ୍ରିତ ଥିଲା । ମତ୍ସ୍ୟ ପୁରାଣ ଭଳି ଗ୍ରନ୍ଥରେ ଲିପିବଦ୍ଧ ରହିଛି ଯେ ଗୋଟିଏ ବୃକ୍ଷ ଲଗାଇବା ଆଧ୍ୟାତ୍ମିକ ଭାବରେ ଦଶଟି ପୁଣ୍ୟାତ୍ମା ସନ୍ତାନ ଲାଭ ସହିତ ସମକକ୍ଷ । ପବିତ୍ର ତୋଟାସବୁର ରକ୍ଷଣାବେକ୍ଷଣ ଧର୍ମ (କର୍ତ୍ତବ୍ୟ), ଅର୍ଥ (ସମୃଦ୍ଧି), କାମ (ଇଚ୍ଛା) ଏବଂ ମୋକ୍ଷ (ମୁକ୍ତି) ପରି ଜୀବନର ଚାରିଟି ଚରମ ଲକ୍ଷ୍ୟ ହାସଲ ସହିତ ସମ୍ପୃକ୍ତ ବୋଲି ବିଚାର ହେଉଥିଲା । ଉପବନବିନୋଦ ଏବଂ ସୁରପାଳଙ୍କ ବୃକ୍ଷାୟୁର୍ବେଦ ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକ ମୃତ୍ତିକା ଚିକିତ୍ସା, ବିହନ ପ୍ରକ୍ରିୟାକରଣ, ଜଳସେଚନ ପ୍ରକ୍ରିୟା ଏବଂ ଜୈବିକ ସାର ବ୍ୟବହାର ବିଷୟରେ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରଦାନ କରିଥିଲେ । ପ୍ରାଚୀନ ପଦ୍ଧତିରେ ମହୁ, ଘିଅ, ଗୋବର ଏବଂ ଔଷଧୀୟ ପାଉଁଶ ଭଳି ସାମଗ୍ରୀର ମିଶ୍ରଣକୁ ବ୍ୟବହାର କରାଯାଇ ବୃକ୍ଷଲତାଙ୍କର ପୋଷଣ ଏବଂ ସେସବୁର ମାନବ ରୋଗ ଉପଶମରେ ବ୍ୟବହାର କରାଯାଉଥିଲା । ମାତ୍ର ଆଧୁନିକ ସମାଜରେ ଏସବୁ ପ୍ରାଚୀନ ପଦ୍ଧତି ବର୍ଜିତ ହୋଇ ଏକ ଅସନ୍ତୁଳିତ ପ୍ରକ୍ରିୟାରେ କାର୍ଯ୍ୟଧାରା ଚାଲୁରହିଛି, ଯାହା ଉଭୟ ଉଦ୍ଭିଦଜଗତ ଓ ପ୍ରାଣୀଜଗତ ପ୍ରତି ଅଶେଷ କ୍ଷତିସାଧନ କରୁଛି ।
ତେବେ, ପରିବେଶର ଗୁଣବତ୍ତା ଅବକ୍ଷୟିତ ହେଉଥିବା ଆଧୁନିକ ବିଶ୍ୱରେ ବୃକ୍ଷରୋପଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ପରିବେଶୀୟ ସ୍ଥିରତା, ଆଥି ର୍କ ବିକାଶ ଏବଂ ସାମାଜିକ କଲ୍ୟାଣରେ ଯୋଗଦାନ ରଖେ । ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ହ୍ରାସ, ବିଭିନ୍ନ ପ୍ରଦୂଷଣ, ଜୈବବିବିଧତା ଅବକ୍ଷୟ ତଥା ଅନ୍ୟ ପରିବେଶଜନିତ ସମସ୍ୟା ସମ୍ପର୍କରେ କ୍ରମଶଃ ସଚେତନତା ବୃଦ୍ଧି ପାଉଥିବାରୁ, ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ମାନବ ସମାଜର ହିତ ସାଧନ ହେବା ନିମନ୍ତେ ବୃକ୍ଷରୋପଣର ଗୁରୁତ୍ୱକୁ ଜନସମାଜ ହୃଦୟଙ୍ଗମ କଲାଣି । ବୃକ୍ଷଲତାମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରନ୍ତି ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ କରନ୍ତି । ଏଥିସହ ପ୍ରଦୂଷିତ ବାୟୁକୁ ବିଶୁଦ୍ଧ କରନ୍ତି ତଥା ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପର ମାତ୍ରାକୁ ହ୍ରାସ କରି ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରନ୍ତି ।
ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଅଙ୍ଗାରକ ଭଣ୍ଡାର (କାର୍ବନ ସିଙ୍କ୍) ଭାବରେ କାର୍ଯ୍ୟ କରି ରାଷ୍ଟ୍ରମାନଙ୍କର ଜଳବାୟୁ ଲକ୍ଷ୍ୟ ପୂରଣ ଏବଂ ସେମାନଙ୍କର ପରିବେଶଗତ ପଦଚିହ୍ନକୁ ହ୍ରାସ କରିବାରେ ସହାୟତା କରନ୍ତି । ଏତଦ୍ ବ୍ୟତୀତ, ରୋପିତ ବୃକ୍ଷମାନେ ମାଟିକୁ ମୂଳ ସହିତ ଧରିରଖି ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରନ୍ତି, ଯାହା ଉର୍ବର ଭୂମିକୁ ସୁରକ୍ଷା ଦିଏ ଏବଂ ଭୂସ୍ଖଳନ ଓ ମରୁଭୂମିକରଣ ପରି ବିପଦରେ ହ୍ରାସ ଘଟାଏ । ଏ ସମସ୍ତ ବିଷୟକୁ ପୂର୍ବାବଲୋକନ ଓ ହୃଦୟଙ୍ଗମ କରି ଭାରତର ପୂର୍ବତନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡ. କେ.ଏମ୍. ମୁନସୀ ୧୯୫୦ ମସିହାରେ ନିଷ୍ପତ୍ତି ଗ୍ରହଣ କରିଥିଲେ ଯେ, ଜୁଲାଇ ମାସ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ବା ‘ବୃକ୍ଷର ପର୍ବ' ରୂପେ ଦେଶବ୍ୟାପୀ ପାଳନ କରାଯିବ । ମୌସୁମୀ ଋତୁର ପ୍ରାରମ୍ଭରେ ବ୍ୟକ୍ତିସମୂହ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସଂଗଠନ ଦ୍ୱାରା ବ୍ୟାପକ ସଂଖ୍ୟାର ଚାରା ରୋପଣ ସମ୍ପାଦିତ ହେବା ସହ ବୃକ୍ଷଲତାଙ୍କର ଗୁରୁତ୍ୱ ଏବଂ ଜଙ୍ଗଲ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟିର ପ୍ରୟାସ କରିବା ଏହି ପର୍ବ ପାଳନର ପ୍ରମୁଖ ଲକ୍ଷ୍ୟ ।
ଅର୍ଥନୈତିକ ଦୃଷ୍ଟିକୋଣରୁ ବୃକ୍ଷରୋପଣ ହେଉଛି କଞ୍ଚାମାଲ ଏବଂ ନିଯୁକ୍ତି ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଚା, କଫି, ରବର, ନଡ଼ିଆ ଓ ପାମ୍ ତେଲ ଏବଂ କାଷ୍ଠ ଭଳି ବୃହତ୍ ବୃକ୍ଷ ରୋପଣଜନିତ କୃଷି ଜାତୀୟ ଅର୍ଥନୀତିରେ, ବିଶେଷକରି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ । ଏହି ଶିଳ୍ପଗୁଡ଼ିକ କୃଷକ, ଶ୍ରମିକ ଏବଂ ବ୍ୟବସାୟୀଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କ ନିମନ୍ତେ ଜୀବିକା ଉପାର୍ଜନର ଉତ୍ସ ଅଟେ । ବୃକ୍ଷରୋପଣରୁ ପ୍ରାପ୍ତ ଉତ୍ପାଦଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ, ବିଭିନ୍ନ ଦ୍ରବ୍ୟ ନିର୍ମାଣ, କାଷ୍ଠ ସରଞ୍ଜାମ ପ୍ରସ୍ତୁତି ଏବଂ କାଗଜ ଉତ୍ପାଦନ ସମେତ ବିଭିନ୍ନ ଶିଳ୍ପରେ ବ୍ୟବହୃତ ହୁଏ । ଔଷଧୀୟ ଉଦ୍ଭିଦରାଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟସେବାର ମୂଳଦୁଆ, ଯାହା ସ୍ୱଳ୍ପ ଖର୍ଚ୍ଚରେ ଏବଂ ପାରମ୍ପରିକ ଭାବରେ ବିଭିନ୍ନ ରୋଗର ସୁଲଭ ପ୍ରତିକାର ପ୍ରଦାନ କରେ । ବୃକ୍ଷଲବ୍ଧ ଉତ୍ପାଦର ରପ୍ତାନି ଅନେକ ରାଷ୍ଟ୍ର ନିମନ୍ତେ ମୂଲ୍ୟବାନ ବୈଦେଶିକ ମୁଦ୍ରା ରୋଜଗାରର ମାଧ୍ୟମ ଅଟେ । ଦାୟିତ୍ୱପୂର୍ଣ୍ଣ ଭାବରେ ପରିଚାଳିତ ହେଲେ, ବୃକ୍ଷରୋପଣ ପ୍ରକୃତି ସଂରକ୍ଷଣ ପ୍ରୟାସକୁ ସମର୍ଥନ କରିବା ସହିତ ବନଜାତ ଦ୍ରବ୍ୟର ବଦ୍ଧି ର୍ତ ଚାହିଦା ପୂରଣ କରିବାରେ ସକ୍ଷମ ହେବ । ସାମାଜିକ ବନୀକରଣ ପ୍ରକ୍ରିୟା ସ୍ଥାନୀୟ ଜନସଂଖ୍ୟାର ପ୍ରତ୍ୟକ୍ଷ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଅବକ୍ଷୟିତ, ସାର୍ବଜନୀନ କିମ୍ବା ଅବ୍ୟବହୃତ ସମ୍ପ୍ରଦାୟ ଜମିରେ ଜନସାଧାରଣଙ୍କ ସାମୂହିକ ଯୋଗଦାନରେ ବୃକ୍ଷରୋପଣ ଏବଂ ସେସବୁର ପରିଚାଳନାକୁ ଅନ୍ତର୍ଭୁକ୍ତ କରେ । ଏହାର ଗୁରୁତ୍ୱ ଦାରିଦ୍ର୍ୟ ଦୂରୀକରଣ, ପରିବେଶ ପୁନରୁଦ୍ଧାର ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବାରେ ନିହିତ ।
ଶିକ୍ଷାନୁଷ୍ଠାନ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବୃକ୍ଷରୋପଣ ଅଭିଯାନ ନାଗରିକମାନଙ୍କ ମଧ୍ୟରେ ପ୍ରକୃତି ଓ ପରିସଂସ୍ଥାର ସ୍ଥାୟିତ୍ୱ ପ୍ରତି ଦାୟିତ୍ୱବୋଧକୁ ଜାଗ୍ରତ କରେ । ସବୁଜିମା ବୃଦ୍ଧି ବାୟୁ ଗୁଣବତ୍ତାକୁ ଉନ୍ନତ କରି, କଣିକା ପଦାର୍ଥ ଓ ଶବ୍ଦ ପ୍ରଦୂଷଣ ହ୍ରାସ କରେ ଏବଂ ସୁସ୍ଥ ଜୀବନଯାପନ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରି ଜନସ୍ୱାସ୍ଥ୍ୟରେ ଉନ୍ନତି ଘଟାଏ । ପୁନଶ୍ଚ, ଏହା ଜଳ ସଂରକ୍ଷଣ ସହ ଜଡ଼ିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ସହାୟତା କରେ । ବୃକ୍ଷମାନଙ୍କର ଉପସ୍ଥିତି ଭୂତଳ ଜଳ ପୁନଃଭରଣାକୁ ସମର୍ଥନ, ଜଳଚକ୍ରକୁ ନିୟନ୍ତ୍ରଣ ଏବଂ ଜଳପ୍ରବାହକୁ ହ୍ରାସ କରେ । କୃଷିକ୍ଷେତ୍ରରେ ବାତ୍ୟାରୋଧୀ ବୃକ୍ଷରୋପଣ ଫସଲକୁ ପ୍ରବଳ ପବନରୁ ରକ୍ଷା କରେ ଏବଂ କୃଷି ଉତ୍ପାଦନରେ ବୃଦ୍ଧି ଘଟାଏ । କୃଷି ବନୀକରଣ ପ୍ରଣାଳୀ କୃଷି କାର୍ଯ୍ୟକଳାପ ସହିତ ଅନ୍ୟ ଲାଭଦାୟକ ଉଦ୍ଭିଦ ରୋପଣକୁ ମିଶ୍ରଣ କରି ସହନୀୟ ଭୂମି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୁଏ ।
ଏହା ଗୁରୁତ୍ୱପୂର୍ଣ୍ଣ ଯେ ପ୍ରାକୃତିକ ଜଙ୍ଗଲଗୁଡ଼ିକ ଅତ୍ୟନ୍ତ ଜୈବବିବିଧ, ସ୍ୱାବଲମ୍ବୀ ପରିସଂସ୍ଥା, ଯାହା ଲକ୍ଷ ଲକ୍ଷ ବର୍ଷର ଅବଧିରେ ବିକଶିତ ହୋଇଛି । ବୃକ୍ଷରୋପଣରେ ସାଧାରଣତଃ କେବଳ ଅଳ୍ପ କେତୋଟି ଦ୍ରୁତ ବଢ଼ୁଥିବା, କେତେକ କ୍ଷେତ୍ରରେ ୟୁକାଲିପଟସ୍ ବା ଆକାସିଆ ପରି ବାହ୍ୟ, ବାଣିଜ୍ୟିକ ବୃକ୍ଷଜାତି ରହିଥାଏ । ମାତ୍ର ପ୍ରାକୃତିକ ଜଙ୍ଗଲରେ ଦେଶୀୟ ଉଦ୍ଭିଦ, ପ୍ରାଣୀ, କବକ ଏବଂ ଅଣୁଜୀବମାନଙ୍କର ଏକ ଜଟିଳ, ବହୁସ୍ତରୀୟ ମିଶ୍ରଣ ରହିଥାଏ, ଯାହା ପରିସଂସ୍ଥାର ସକ୍ରିୟ କାର୍ଯ୍ୟକଳାପ ନିମନ୍ତେ ଅତ୍ୟନ୍ତ ସହାୟକ ହୋଇଥାଏ । ପ୍ରାକୃତିକ ଜଙ୍ଗଲଗୁଡ଼ିକ ବିଭିନ୍ନ ଦ୍ରବ୍ୟ ଓ ସେବା ପ୍ରଦାନର ଅସରନ୍ତି ଉତ୍ସ ହେବା ସହିତ ଜଳବାୟୁ ବିଭ୍ରାଟ ପ୍ରତି ଅଧିକ ପ୍ରତିରୋଧୀ ଏବଂ ସ୍ଥାନୀୟ ପାଣିପାଗ ଧାରାକୁ ଉତ୍ତମ ରୂପେ ନିୟନ୍ତ୍ରଣ କରନ୍ତି । ଅତଏବ, ବନ ମହୋତ୍ସବ ଅବସରରେ ଜଙ୍ଗଲ ସୁରକ୍ଷାକୁ ଶକ୍ତିଶାଳୀ କରିବା ନିମନ୍ତେ ସଚେତନତା ବୃଦ୍ଧି ଏବଂ କାର୍ଯ୍ୟପନ୍ଥା ଗ୍ରହଣ ଅତ୍ୟନ୍ତ ପ୍ରୟୋଜନୀୟ ଅଟେ । ଅଧିକନ୍ତୁ, ହ୍ରାସ ପାଉଥିବା ସବୁଜିମାର ବୃଦ୍ଧି ଲକ୍ଷ୍ୟରେ ବିବିଧ ଜାତିର ସ୍ଥାନୀୟ ବୃକ୍ଷରାଜିର ଚାରାରୋପଣ ମାଧ୍ୟମରେ ଜାତିସଂଘର ‘ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି (୨୦୨୧-୨୦୩୦)' ଅଭିଯାନରେ ଆମେ ଆମର ବଳିଷ୍ଠ ଅବଦାନ ରଖିପାରିବା । ଯଦିଓ ବୃକ୍ଷରୋପଣ ପ୍ରାକୃତିକ ଜଙ୍ଗଲକୁ ସମ୍ପୂର୍ଣ୍ଣ ଭାବରେ ପୁନଃସ୍ଥାପିତ କରିପାରିବ ନାହିଁ, ତଥାପି ଏହା କ୍ଷୟପ୍ରାପ୍ତ ଜମିର ପୁନରୁଦ୍ଧାର, ସମ୍ପଦ ସଂରକ୍ଷଣ ଏବଂ ଏକ ସବୁଜ ତଥା ସୁସ୍ଥ ଭବିଷ୍ୟତ ସୃଷ୍ଟି ଦିଗରେ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରେ । ତେଣୁ ସରକାର, ବିବିଧ ସଂଗଠନ ଏବଂ ବ୍ୟକ୍ତିବିଶେଷ ସମ୍ମିଳିତ ଭାବରେ ଭବିଷ୍ୟତ ପିଢ଼ି ନିମନ୍ତେ ନିରନ୍ତର ବିକାଶ ଏବଂ ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସଂକଳ୍ପବଦ୍ଧ ହେବା ଏବଂ ସକ୍ରିୟ ଭାବରେ ବୃକ୍ଷରୋପଣ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ବାଞ୍ଛନୀୟ ।