ନୂଆଦିଲ୍ଲୀ,୦୩/୦୭; ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ, ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ପାଇଁ ନିଜର ପ୍ରଥମ ଗସ୍ତରେ ଭାରତ ଆସିଥିବା ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ସେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଏବଂ ଜଣେ ଦୂରଦୃଷ୍ଟିସମ୍ପନ୍ନ, ଜନପ୍ରିୟ ନେତା । ଏହା ସହିତ ସେ ଜାପାନର ନାରା ପ୍ରାନ୍ତରୁ ଆସିଛନ୍ତି, ଯାହା ଭାରତ ଓ ଜାପାନ ମଧ୍ୟରେ ଥିବା ବୌଦ୍ଧ ଐତିହ୍ୟର ଏକ ପ୍ରମୁଖ କେନ୍ଦ୍ର ଅଟେ । ଏହି ସମୟରେ ମୋଦି ତାକାଇଚିଙ୍କୁ ‘ସାନ ଭଉଣୀ’ କହି ସମ୍ବୋଧନ କରିଥିଲେ ।

ମୋଦି କହିଥିଲେ, ଆଜି ଉଭୟ ଭାରତ ଓ ଜାପାନ ବିଶ୍ୱ ସର୍ବବୃହତ ଅର୍ଥ ବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଛନ୍ତି । ଏକ ମୁକ୍ତ, ସମୃଦ୍ଧ ଏବଂ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର ହେଉଛି ଆମର ଆପୋସ ପ୍ରାଥମିକତା । ଅଞ୍ଚଳର ସର୍ବବୃହତ ଗଣତାନ୍ତ୍ରିକ ଏବଂ ବଜାର ଅର୍ଥନୀତି ଭାବେ ଆମେ ଆଜି ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ । ମିଳିତ ଭାବେ ଏଗୁଡ଼ିକ ସମଗ୍ର ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ବିକାଶ ପାଇଁ ପଥ ପରିଷ୍କାର କରିବ । ମୋଦି କହିଛନ୍ତି, ଗତ ବର୍ଷକ ମଧ୍ୟରେ ପ୍ରାୟ ୧୨୦ ନୂଆ ବାଣିଜ୍ୟିକ ରାଜିନାମା ହୋଇଛି, ଯାହା କି ଭାରତ ପାଇଁ ୧୦ ବିଲିୟନ ଡଲାରରୁ ଅଧିକ ଜାପାନୀ ନିବେଶ ଆଣିବ । ଆଜି ଆର୍ଥିକ ସେବା ଏଜେନ୍ସିଗୁଡ଼ିକ ମଧ୍ୟରେ ହୋଇଥିବା ରାଜିନାମା ପୁଞ୍ଜି ଓ ନିବେଶ ପ୍ରବାହକୁ ଗତିଶୀଳ କରାଇବ । ଆଗାମୀ ଦଶନ୍ଧିରେ ଜାପାନରୁ ୧୦ ଟ୍ରିଲିୟନ ୟେନ (ପ୍ରାୟ ୬ ଲକ୍ଷ କୋଟି ଟଙ୍କା) ଟାଣିବା ଆମର ଲକ୍ଷ୍ୟ । ଏଥିସହିତ ଭାରତରେ ଜାପାନୀ କମ୍ପାନି ସଂଖ୍ୟା ଦୁଇଗୁଣା କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।

ଜୁଲାଇ ୧ରୁ ୩ ପର୍ଯ୍ୟନ୍ତ ଭାରତ ଗସ୍ତରେ ଥିବା ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କୁ ଗୁରୁବାର ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ ସହଯୋଗୀ ଏବଂ ଅନ୍ୟ ପ୍ରତିନିଧିଙ୍କ ସହ ତାକାଇଚିଙ୍କର ପରିଚୟ କରାଇଥିଲେ । ମୋଦିଙ୍କ ନିମନ୍ତ୍ରଣକ୍ରମେ ତାକାଇଚି ଭାରତ ଆସିଛନ୍ତି ।

ଏହା ବି ପଢନ୍ତୁ...ନ୍ୟୁଜ୍ ଆଙ୍କରରୁ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ଏଭଳି ଥିଲା କାହାଣୀ 

 

ଭାରତ-ଜାପାନ ୨୧ ଚୁକ୍ତି- ଭାରତ ଓ ଜାପାନ ଆର୍ଥିକ ଭାଗୀଦାରିକୁ ନୂଆ ଗତି ଦେବା ଲାଗି ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭାରତ-ଜାପାନ ଯୁଗ୍ମ ଅର୍ଥନୈତିକ ଫୋରମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନୀ କମ୍ପାନିଙ୍କ ସମସ୍ୟା ଦୂର ଲାଗି ‘ଜାପାନ ବିଜନେସ ୱିକ’ ଆରମ୍ଭ ନିମନ୍ତେ ଘୋଷଣା କରିଛନ୍ତି । ଏହା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର ବରିଷ୍ଠ ଅଧିକାରୀ ସିଧାସଳଖ ଭାବେ ଜାପାନୀ ନିବେଶକଙ୍କ ସହ କଥାବାର୍ତ୍ତା କରିବେ । ଦୁଇଦେଶ ମଧ୍ୟରେ ଆଜି ପ୍ରତିରକ୍ଷା, ଏଆଇ, କ୍ୱାଣ୍ଟମ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ୨୧ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଜାପାନର ସହଯୋଗରେ ଭାରତରେ ପ୍ରାୟ ୧ ହଜାର ସାର କାରଖାନା ପ୍ରତିଷ୍ଠା କରାଯିବ । ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ୧୦ ଟ୍ରିଲିୟନ ୟେନ (ପ୍ରାୟ ୬ ଲକ୍ଷ କୋଟି ଟଙ୍କା)ର ଜାପାନୀ ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି ।