ଭବାନୀପାଟଣା,୦୩/୦୭: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି  ପଞ୍ଚାୟତ ଅନ୍ତର୍ଗତ ତୁର୍କା ଗାଁରେ ଚର୍ମରୋଗ ଯୋଗୁଁ ଚିନ୍ତାଜନକ ସ୍ଥିତି ଦେଖାଦେଇଛି । ଗ୍ରାମର ପ୍ରାୟ ୨୦ରୁ ଅଧିକ ଶିଶୁ ଚର୍ମରୋଗରେ ଆକ୍ରାନ୍ତ ହୋଇଛନ୍ତି । ଦୀର୍ଘ ଦୁଇମାସ ଧରି ଶିଶୁମାନେ ଦେହସାରା ବଥ ଓ କ୍ଷତ(ଘା') ଯୋଗୁଁ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ସଚେତନତା ଅଭାବରୁ ଏହା ବ୍ୟାପିବାରେ ଲାଗିଛି । ଦୁଇଜଣ ଶିଶୁଙ୍କଠାରୁ  ଆରମ୍ଭ ହୋଇଥିବା ରୋଗ ଏବେ ଗାଁର ପ୍ରାୟ ସମସ୍ତ କୁନିକୁନି  ପିଲାଙ୍କୁ କବଳିତ କଲାଣି ।

​​​​​​​

ସଚେତନତା ଅଭାବରୁ ଏହାକୁ ଡାକ୍ତରୀ  ଚିକିତ୍ସା ବଦଳରେ ଠାକୁରାଣୀଙ୍କ ପ୍ରକୋପ ବୋଲି ବିଶ୍ୱାସ କରୁଛନ୍ତି ।  ଏଥିପାଇଁ ଗାଁ ଦାଣ୍ଡରେ ପୂଜାର୍ଚ୍ଚନା ଚାଲିଛି । ଆକ୍ରାନ୍ତ ଶିଶୁଙ୍କୁ ହଳଦୀ  ପାଣିରେ ଗାଧୋଇ ଦିଆଯାଉଥିବା ସ୍ଥାନୀୟ ଗ୍ରାମବାସୀ କୁମଟି ମାଝି  ଓ ନବୀନ ମାଝି ପ୍ରକାଶ କରିଛନ୍ତି । ଅପରପକ୍ଷେ, ଲାଞ୍ଜି ଅଞ୍ଚଳରେ  ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥା ଦେଖିବାକୁ ମିଳିଥିଲେ ହେଁ  ସ୍ୱାସ୍ଥ୍ୟବିଭାଗ ପାଖରେ କୌଣସି ଖବର ନଥିଲା । ଗାଁରେ ଏନେଇ  ଆଲୋଚନା ଜୋର ଧରିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ  ଉଦ୍ୟମରେ ଆକ୍ରାନ୍ତ ଶିଶୁମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି ।

​​​​​​​

ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  ଡା.ହରେକୃଷ୍ଣ ଶତପଥୀଙ୍କୁ ପଚାରିବାରୁ ଚର୍ମରୋଗ ବିଶେଷଜ୍ଞ  ଡାକ୍ତରଙ୍କ ଦ୍ୱାରା ତୁର୍କା ଗାଁର ୨୦ଜଣ ଶିଶୁଙ୍କ ଚିକିତ୍ସା କରାଯାଇଛି ।  ଏହା ଏକ ସଂକ୍ରମଣ ଚର୍ମରୋଗ । ଏଥିପ୍ରତି ସଚେତନ ରହିବାକୁ  ଆମେ କହିଛୁ । ତେବେ ଭବିଷ୍ୟତ ପାଇଁ ସଚେତନତା କିମ୍ବା ଅନ୍ୟ  କୌଣସି ପଦକ୍ଷେପ ସମ୍ପର୍କରେ ପଚାରିବାରୁ ସେ କୌଣସି ସ୍ପଷ୍ଟ  ଉତ୍ତର ଦେଇନଥିଲେ ।  ସ୍ଥାନୀୟ ବାସିନ୍ଦା ସୁକାନ୍ତି ମାଝି ଓ କିଶୋର  ମାଝିଙ୍କ ସୂଚନା ଅନୁସାରେ, ଗାଁରେ ସ୍ୱଚ୍ଛ ପାନୀୟ ଜଳର ଘୋର  ଅଭାବ ରହିଛି । ଗାଁରେ ଥିବା ଏକମାତ୍ର ନଳକୂପରୁ ଦୂଷିତ ତଥା  ଲୌହଯୁକ୍ତ ପାଣି ବାହାରୁଛି । ଫଳରେ ଗ୍ରାମବାସୀ ବାଧ୍ୟ ହୋଇ  ଦୂଷିତ ନାଳପାଣି ପିଉଥିବାରୁ ଚର୍ମ ସଂକ୍ରମଣ ବ୍ୟାପିଥିବା ଆଶଙ୍କା  କରାଯାଉଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା  ଏବଂ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଦିଗରେ ଜିଲ୍ଲା  ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି ।

ଅଧିକ ପଢ଼ନ୍ତୁ :-  ପୀତବାସ ପଣ୍ଡା ହତ୍ୟା ମାମଲା: ଅସ୍ତ୍ରୋପଚାର ପାଇଁ ଏସ୍‌ସିବି ଯିବେ ମଦନ ଦଳେଇ, ଗୋଡ଼ରୁ ବାହାରିବ ରଡ୍