ନୂଆଦିଳ୍ଲୀ,୨୬।୬: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସ୍ସିଓ ଅର୍ଥାତ ଶଙ୍ଘାଇ ସହଯୋଗ ସଂଗଠନ ଘୋଷଣାପତ୍ର ଉପରେ ସ୍ବାକ୍ଷର କରିବା ଉପରେ ମନା କରିଦେଇଛନ୍ତି। ଏବେ ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରସଙ୍ଗ ଉପରେ ବିସ୍ତାରିତ ଭାବରେ ସୂଚନା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଶଙ୍ଘାଇ ସହଯୋଗ ସଂଗଠନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ମିଳିତ ବୟାନକୁ ନେଇ ବହୁ ପ୍ରସଙ୍ଗରେ, ବିଶେଷ ଭାବରେ ଆତଙ୍କବାଦକୁ ନେଇ ସାଧାରଣ ସହମତି ପ୍ରକାଶ ହୋଇପାରିନଥିଲା, ଏହି କାରଣରୁ ତାକୁ ସ୍ବାକ୍ଷର କରିନଥିଲୁ।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜସଓ୍ବାଲ ଗଣମାଧ୍ୟମ ଆଗରେ ଉତ୍ତର ଦେଇ କହିଛନ୍ତି, ଶଙ୍ଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ଆମର ପ୍ରତିରକ୍ଷା ମନ୍ତ୍ରୀ ଭାଗ ନେଇଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ବୈଠକ ଆଜି ଶେଷ ହୋଇଯାଇଛି। କାରଣ କିଛି ସଦସ୍ୟ ମିଳିତ ବୟାନର ପ୍ରସ୍ତାବ ଉପରେ ସାଧାରଣ ସହମତି ପ୍ରକାଶ କରିନଥିଲେ ଓ ଏଥିପାଇଁ ଦସ୍ତାବିଜକୁ ଔପଚାରିକ ରୂପ ଦିଆଯାଇ ନାହିଁ।’
ଜସଓ୍ବାଲ କୌଣସି ଦେଶର ନାଁ ନନେଇ କହିଛନ୍ତି, ଆମ ପକ୍ଷରୁ ଏହା କୁହାଯାଇଛି ଯେ ଭାରତ ଚାହୁଁଛି ମିଳିତ ବୟାନରେ ଆତଙ୍କବାଦୀ ଉପରେ ଆମର ଚିନ୍ତାକୁ ଦର୍ଶାଯାଉ। କିନ୍ତୁ ଏହି କଥାକୁ ନେଇ କିଛି ଖାସ୍ ଦେଶ ନିଜର ସହମତି ପ୍ରକାଶ କରିନଥିଲେ, ଏହାପରେ ମିଳିତ ଘୋଷଣାପତ୍ରରେ ଉପରେ ସ୍ବାକ୍ଷର କରିନଥିଲୁ।’ ଏହା ସହ ସେ କହିଛନ୍ତି ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦୀ ପ୍ରସଙ୍ଗରେ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ବାନ କରିଥିଲେ। କେବଳ ସେତିକି ନୁହେଁ ଚୀନ୍ ମାଟିରୁ ପାକିସ୍ତାନ ଉପରେ ମଧ୍ୟ ପ୍ରବଳ ବର୍ଷିଥିଲେ। ‘ଅପରେସନ୍ ସିନ୍ଦୂର’ ନେଇ କହିଛନ୍ତି, ଭାରତ ଆତଙ୍କବାଦକୁ ଏବେ କଦାପି ବରଦାସ୍ତ ନକରିବାର ନୀତି ଗ୍ରହଣ କରିବ।
ଉଲ୍ଲେଖନୀୟ ଯେ, ମିଳିତ ଘୋଷଣାପତ୍ରରେ ପହଲଗାମ ନରସଂହାର ବିଷୟରେ ଉଲ୍ଲେଖ ନଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ଭାରତର କଡ଼ା ଆଭିମୁଖ୍ୟର ପ୍ରତିଫଳନ ନାହିଁ। ମିଳିତ ଘୋଷଣାପତ୍ରରେ ପହଲଗାମ ନରସଂହାରକୁ ପାକିସ୍ତାନ ଓ ଚାଇନା ବାଦ ଦେଇଥିବା ବେଳେ ବାଲୁଚିସ୍ତାନ କଥା ଉଲ୍ଲେଖ କରିଛନ୍ତି। ଖାସ ଏହି କାରଣ ପାଇଁ ଭାରତ ମିଳିତ ଘୋଷଣାପତ୍ରରେ ଦସ୍ତଖତ କରିନାହିଁ।