କୁଳିଅଣା ୨୯/୭ ( ଆ ପ୍ର ) : ସ୍ତ୍ରୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟା ପରେ ମାଟି ତଳେ ପୋତି ଦେଲା ସ୍ବାମୀ । ପୁଲିସ ମାଟିତଳୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି। କୁଳିଅଣା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ଶାଶୁ ସୁମରି ଦଲେଇ ଓ ସ୍ତ୍ରୀ ସୋନାଲି ଦଲେଇ। ଅଭିଯୁକ୍ତ ଦେବାଶିଷ ପାତ୍ରଙ୍କୁ ପୁଲିସ ଗିରଫ କରିଛି। 

କୁଳିଅଣା ଥାନା ଅନ୍ତର୍ଗତ ନୂଆଗାଁର ଦେବାଶିଷ ପାତ୍ର ଓ ତାଙ୍କ ସ୍ତ୍ରୀ ସୋନାଲି ଦଲେଇଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା। ଏହାକୁ ନେଇ ଗତ କିଛିଦିନ ତଳେ  ସୋନାଲି ନିଜ ବାପ ଘରକୁ ଚାଲି ଯାଇଥିଲା।ଗତ ୧୨ ତାରିଖରେ ସୋନାଲି  ନିଜ ମା’ ସୁମରିଙ୍କ ସହ ନୂଆଗାଁ ସ୍ଥିତ ଘରକୁ ଆସିଥିଲେ।  ପରେ ମା’ ଓ ଝିଅ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ନ ପାଇଁ ୨୫ ତାରିଖରେ  କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ମଙ୍ଗଳବାର ସୁମରିଙ୍କ  ପରିବାର  ଲୋକ ନୂଆ ଗାଁକୁ ଆସି ଖୋଜାଖୋଜି କରିଥିଲେ। ପରେ ଲେମ୍ବୁ ବାଗାନରେ ସଫା ସ୍ଥାନ ଦେଖି ସନ୍ଦେହ କରିଥିଲେ। ଘରୁ ଦେବାଶିଷ ଦୌଡି ପଳାଉଥିବା ବେଳେ  ଗ୍ରାମବାସୀ କାବୁ କରିଥିଲେ। ଦେବାଶିଷଙ୍କୁ ପଚରାଉଚରା ବେଳେ ସେ ଉଭୟଙ୍କୁ ମାରି ଲେମ୍ବୁ ବାଗାନ ମାଟି ତଳେ ପୋତି ଦେଇଥିବା କହିଥିଲା। ଖବର ପାଇ କୁଳିଅଣା ପୋଲିସ ପହଞ୍ଚି ଲେମ୍ବୁ ବାଗାନ ଖୋଲି ମୃତଦେହ ଉଦ୍ଧାର କରିବା ସହ ଦେବାଶିଷଙ୍କୁ ଗିରଫ କରିଛି।