ଆସିକ, ୧୨।୬: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଜଙ୍ଗଲୀ ବାରହା ଆତଙ୍କ l କୋଟିନଡ଼ା ଥାନା ଅନ୍ତର୍ଗତ ହରିଡ଼ା ପଦର ଏବଂ କୁମ୍ଭାରୀ ଗାଁରେ ଏକ ଜଙ୍ଗଲୀ ବାରହା ଉନ୍ମତ୍ତ କାଣ୍ଡ ଭିଆଇଛି l ବାରହା ଆକ୍ରମଣରେ ପ୍ରାୟ ୮ରୁ ଅଧିକ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି l ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି l ସୂଚନା ଅନୁଯାୟୀ, ଆଜି ସକାଳୁ କୁମ୍ଭାରୀ ଓ ହରିଡ଼ା ପଦର ଅଞ୍ଚଳରେ ଏକ ଜଙ୍ଗଲୀ ବାରହା ହଠାତ୍ ଗାଁ ଭିତରକୁ ପଶି ଆସିଥିଲା l ସେହି ସମୟରେ ଘରୁ ବାହାରି ଶୌଚ ହେବାକୁ ଏବଂ ନିଜ ନିଜ ଜମିକୁ କାମ କରିବାକୁ ଯାଉଥିବା ଗ୍ରାମବାସୀମାନଙ୍କୁ ଏକ ଜଙ୍ଗଲୀ ବାରହା ଅତର୍କିତ ଭାବେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା l

ଦଣ୍ଡପାଣି ସାହୁ, ସଜନୀ ଗୌଡ଼, ସୂର୍ଯ୍ୟ କାଜି, ସୁରେନ୍ଦ୍ର ରଣା, ମିଟୁ ଗୌଡ଼ ବାରହା ଆକ୍ରମଣରେ ଗୁରୁତର ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ l ତେବେ ସେମାନଙ୍କ ମଧ୍ୟରୁ ସଜନୀ ଗୌଡ଼ ଏବଂ ଦଣ୍ଡପାଣି ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ, ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ଏହି ଘଟଣାର ଖବର ପାଇ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ହରିଡ଼ା ପଦର ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ବାରହାଟି ଏବେ ମଧ୍ୟ ଆଖପାଖ ଅଞ୍ଚଳରେ ବୁଲୁଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ତାକୁ ତୁରନ୍ତ କାବୁ କରିବାକୁ ଦାବି କରିଛନ୍ତି l

ଆହୁରି ପଢ଼ନ୍ତୁ... ଭଦ୍ରକରେ ବାଘୁଆ ମହୁମାଛି ଆତଙ୍କ; ଜଣେ ମହିଳା ମୃତ, ୧୨ରୁ ଅଧିକ ଆହତ