ଭଦ୍ରକ, ୧୨। ୬: ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ବାସୁଆପଦା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ବାଘୁଆ ମହୁମାଛିଙ୍କ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ବାସୁଆପଦା ଗ୍ରାମର ରଜନୀକାନ୍ତ ସାହୁଙ୍କ ୪୮ ବର୍ଷୀୟ ସ୍ତ୍ରୀ ବାସନ୍ତୀ ଲତା ସାହୁ । ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଗତକାଲି ବାସନ୍ତୀ ଲତାଙ୍କ ଶାଶୂଙ୍କ ବାର୍ଷିକ ଶ୍ରାଦ୍ଧ କାର୍ଯ୍ୟ ଥିଲା । ଏଥିପାଇଁ ଘରକୁ ବହୁ ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ଆସିଥିଲେ । ଘର ବାହାରେ ସମସ୍ତଙ୍କ ପାଇଁ ରୋଷେଇବାସ ଚାଲିଥିବା ବେଳେ ହଠାତ୍ ଏହି ବିପତ୍ତି ମାଡ଼ି ଆସିଥିଲା ।  

ରୋଷେଇ କରୁଥିବା ରୋଷେୟାଙ୍କ ପାଇଁ ବାସନ୍ତୀ ଲତା ଚା’ ନେଇ ଯାଇଥିଲେ । ସେହି ସମୟରେ ଘର ସମ୍ମୁଖରେ ଥିବା ପାଣିଟାଙ୍କିରେ ବସା ବାନ୍ଧିଥିବା ଏକ ବିରାଟ ମହୁଫେଣାରୁ ‘ବାଘୁଆ ମହୁମାଛି’ ଲୋକଙ୍କୁ ଆକ୍ରମଣ କରିଥିଲେ । ମହୁମାଛିଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେଠାରେ ଉପସ୍ଥିତ ଲୋକେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହି ଆକ୍ରମଣରେ ପ୍ରାୟ ୧୨ ଜଣରୁ ଅଧିକ ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଆହତ ହୋଇଛନ୍ତି । ମାତ୍ର ବାସନ୍ତୀ ଲତାଙ୍କୁ ବହୁ ସଂଖ୍ୟାରେ ମହୁମାଛି ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାସନ୍ତୀ ଲତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଯୋଗୁଁ ପୂରା ପରିବାରରେ ଭାଙ୍ଗି ପଡ଼ିଛି ଏବଂ ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ... STF ପଞ୍ଜାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ; ୨ ଗିରଫ, ୫୦ ଲକ୍ଷର ଗଞ୍ଜେଇ ଜବତ