କୋକସରା/ଜୟପାଟଣା୨୦/୧୦: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାଲପାଳି ଗାଁର ଜଣେ ବିବାହିତ ମହିଳା ସୁସ୍ମିତା ନାଏକଙ୍କର (୪୨) ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମହିଳାଙ୍କ ବାପା ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ରେଙ୍ଗାଳପାଳି ଗାଁର ଭୋଳନାଥ ନାଏକଙ୍କ ସ୍ତ୍ରୀ ସୁସ୍ମିତା ନାଏକ ଗତ ୧୭ ତାରିଖରେ ଦେହ ଅସୁସ୍ଥତା ଯୋଗୁଁ କୋକସରା ମେଡ଼ିକାଲରେ ଚିକିତ୍ସା ହୋଇ ସୁସ୍ଥ ଅବସ୍ଥାରେ ୧୮ ତାରିଖରେ ଘରକୁ ଫେରିଥିଲେ । କିନ୍ତୁ ୧୯ ତାରିଖ ଦିନ ପୁଣି ତାଙ୍କ ଦେହ ଅସୁସ୍ଥ ହେବାରୁ ସୁସ୍ମିତାଙ୍କୁ ତାଙ୍କ ସ୍ବାମୀ ପୁଣି କୋକସରା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଆଜି ସୁସ୍ମିତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୧୦ ଟା ସମୟରେ ମୃତ୍ୟୁ ହୋଇଯାଇଛି। ଏ ନେଇ ସୁସ୍ମିତାଙ୍କ ବାପା ଘର ଲୋକେ ବିଭିନ୍ନ ସନ୍ଦେହ କରି ତାଙ୍କ ଝିଅ କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ସୁସ୍ମିତାଙ୍କ ବାପଘର କୋକସରା ଥାନା ଅନ୍ତର୍ଗତ ବରାଡୋଙ୍ଗା ହୋଇଥିବା ବେଳେ ମୃତ ମହିଳାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି।ବିବାହ ହୋଇ ତାଙ୍କୁ ୨୫ ବର୍ଷ ହୋଇଛି । ଅଭିଯୋଗ ପରେ ଜୟପାଟଣା ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।