ସୁନ୍ଦରଗଡ, ୨୮।୨ : ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଝିରିପାଣି ଗ୍ରାମରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତା ମହିଳା ହେଲେ ଉକ୍ତ ଗ୍ରାମର ସରୋଜିନୀ ଏକ୍କା (୪୨)। ଏନେଇ କୁତ୍ରା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଖୁବ୍ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ରାଜଗାଙ୍ଗପୁର ଏସଡିପିଓ ବିଭୂତି ଭୂଷଣ ଭୋଇ କହିଛନ୍ତି।
ସୂଚନା ଅନୁଯାୟୀ, ସରୋଜିନୀଙ୍କ ସ୍ୱାମୀଙ୍କର ଗତ ୨ ବର୍ଷ ତଳେ ମୃତ୍ୟୁ ଘଟିଛି। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି | ଝିଅ ସମ୍ବଲପୁରରେ ରହି ଯୁକ୍ତ ୩ ପଢୁଛନ୍ତି। ପୁଅ ବାହରୁ ଘରକୁ ଫେରି ଦେଖିଥିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା'ଙ୍କ ମୃତଦେହ ପଡିଛି। ଏହା ଦେଖ୍ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କୁତ୍ରା ପୁଲିସକୁ ସୂଚନା ଦେଇଥିଲେ। କୁତ୍ରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ପ୍ରାରମ୍ଭିକ ତଦନ୍ତରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣା ପରେ ଝିରିପାଣି ଗ୍ରାମରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଘଟଣାର ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି।