ଭୁବନେଶ୍ୱର,୨୮/୦୨: ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ୱ ରେକର୍ଡ କରିଛି ଓଡ଼ିଶା । ଏହା ଯେତିକି ଖୁସି ଦେଇଛି ସେତିକି ଆହ୍ୱାନ ବି କରିଛି । ଯେଉଁ ମାଟିକଳାକୁ ନେଇ ଓଡ଼ିଶା ଗର୍ବିତ, ସେହି କଳା ପାଇଁ ‘ମାଟିକଳା ପରିଷଦ’ ଗଠନ କରିବାକୁ ପଛଘୁଞ୍ଚା କାହିଁକି ଦେଉଛି? ତାକୁ ନେଇ ପ୍ରଶ୍ନ କରିଛନ୍ତି ମାଟି ସହିତ ମାଟି ହୋଇ କଳାକୁ ବଞ୍ଚାଇ ରଖିଥିବା ହଜାର ହଜାର ଶିଳ୍ପୀ ଓ କାରିଗର ।  ବିଶ୍ୱ ରେକର୍ଡ ପରେ ‘ମାଟିକଳା ପରିଷଦ’ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଧାନସଭାରେ ଆଲୋଚନା ହୋଇଛି । ଗତ ୧୮ ତାରିଖରେ ଗୃହରେ ମନ୍ତ୍ରୀ ଉତ୍ତର ବି ରଖିଛନ୍ତି ।

ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ରାଜ୍ୟରେ ଟେରାକୋଟା କାରିଗର ଓ କୁମ୍ଭାରଙ୍କ ବିକାଶ ଲାଗି ‘ମାଟିକଳା ପରିଷଦ’ ଗଠନ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି । ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅଧିକାରୀମାନେ ଛତିଶଗଡ଼ ଏବଂ ଗୁଜରାଟ ଗସ୍ତ କରି ସେଠାରେ ପରିଚାଳିତ ‘ମାଟିକଳା ପରିଷଦ’ର ଯୋଜନା ଏବଂ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି । ସେଗୁଡ଼ିକ କିଭଳି ଓଡ଼ିଶାରେ କ୍ରିୟାଶୀଳ କରାଯାଇପାରିବ, ସେ ସମ୍ପର୍କରେ ତଥ୍ୟ ଦେଇଛନ୍ତି । ସେହି ପ୍ରସ୍ତାବ ଗୁଡ଼ିକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ ସମୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଛନ୍ତି ।  

୨୦୨୪ ମସିହାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ‘ମାଟିକଳା ପରିଷଦ’ ଗଠନ କରି କଳାର, ସୁରକ୍ଷା ଓ ସଂରକ୍ଷଣ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲା । ରାଜ୍ୟରେ ଏହାକୁ ବୃତ୍ତି କରି ବଞ୍ଚୁଥିବା ପାଖାପାଖି ୪୦ ହଜାର ଟେରାକୋଟା ଶିଳ୍ପୀ ରହିଛନ୍ତି । ସେମାନଙ୍କ ଉନ୍ନତି ପାଇଁ ‘ରାଜ୍ୟ ମାଟିକଳା ପରିଷଦ’ ପରି ସ୍ୱତନ୍ତ୍ର ସଙ୍ଗଠନ କାର୍ଯ୍ୟ କରିବା ଜରୁରି ବୋଲି କମିଟି କହିଥିଲା । ଯେମିତି ଉତ୍ତରପ୍ରଦେଶ, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ହରିଆଣାରେ ‘ମାଟିକଳା ପରିଷଦ’ ରହିଛି ସେମିତି ଓଡ଼ିଶାରେ ବି ଏହା ବହୁତ ଆବଶ୍ୟକ ଯାହାର ପ୍ରତିଷ୍ଠା ଉପରେ କମିଟି ଜୋର୍‌ ଦେଇଥିଲା । ଏଥିସହ ଓଡ଼ିଶାର ମାଟିକଳାକୁ ସ୍ୱତନ୍ତ୍ର ଭାବେ ବିଶ୍ୱ ଦରବାରେ ଉପସ୍ଥାପିତ କରିବାକୁ ଯୋଜନା ସହ ଆବଶ୍ୟକ ପଦକ୍ଷେପ ଲାଗି ଷ୍ଟାଣ୍ଡିଂ କମିଟି ପ୍ରସ୍ତାବ ସହ ପରାମର୍ଶ ଦେଇଥିଲା ।

ଆହୁରି ପଢନ୍ତୁ-ମାର୍ଚ୍ଚ ୧୪ରେ ରାଷ୍ଟ୍ରୀୟ ଲୋକ ଅଦାଲତ, ବିନା ଫିରେ ସମସ୍ତ ପ୍ରକାର ବିଚାରାଧୀନ ମାମଲାର ହେବ ଫଇସଲା​​​​​​​

ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଛନ୍ତି, ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ୬୪ଟି ହସ୍ତଶିଳ୍ପରୁ "ଟେରାକୋଟା ଏବଂ କୁମ୍ଭାର ଶିଳ୍ପ' ଅତ୍ୟନ୍ତ ପୁରାତନ । ଏହି ଶିଳ୍ପ ମାଧ୍ୟମରେ ରାଜ୍ୟରେ ୩୬ ହଜାରରୁ ଅଧିକ କାରିଗର ଜୀବିକା ନିର୍ବାହ କରୁଥିଲା ବେଳେ ୪୦ରୁ ଅଧିକ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି । କୁମ୍ଭାର କାରିଗରଙ୍କୁ ପ୍ରୋତ୍ସାହନ ତଥା ସେମାନଙ୍କ ସାମଗ୍ରୀର ବିକ୍ରିବଟା ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ଯୋଜନା ଯଥା³ ଦକ୍ଷତା ବୃଦ୍ଧି, ଗୁରୁଶିଷ୍ୟ ପରମ୍ପରାରେ ତାଲିମ, ବିପଣନ ସହାୟତା, ଶିଳ୍ପୀ ଉନ୍ନତି ଯୋଜନା, କର୍ମଶାଳା ନିର୍ମାଣ ଏବଂ ହସ୍ତଶିଳ୍ପ ପୁରସ୍କାର କାର୍ଯ୍ୟକାରୀ ହେଉଛି । ରାଜ୍ୟର ୫ଟି ପ୍ରମୁଖ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜରେ ‘ସୃଜନିକା’ ନାଁରେ ବରଗଡ଼ର ଛଡ଼େଇଗାଁ, ତାଳପଦର, ସୁବର୍ଣ୍ଣପୁରର ସିଲାଟି ଓ କୁଇବାହାଲ, ଭଦ୍ରକର ମହାନ୍ତିପଡ଼ାରେ ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠା ହେଉଛି । ଏହାଦ୍ୱାରା ଶିଳ୍ପୀମାନେ ଉନ୍ନତ ସାମଗ୍ରୀ ପ୍ରସ୍ତୁତ ସହ ବିକ୍ରି କରି ଆତ୍ମନିର୍ଭର ହେବେ । ସେହିପରି କେନ୍ଦ୍ର ସରକାରଙ୍କ ବ୍ୟାପକ ହସ୍ତଶିଳ୍ପ ପୁଞ୍ଜ ଉନ୍ନୟନ ଯୋଜନାରେ ରାଜ୍ୟର ପ୍ରମୁଖ ୬୦ଟି ପୁଞ୍ଜରେ ୧୮୦୦ କାରିଗରଙ୍କୁ ନମୁନା ବିକାଶ ତାଲିମ ଦିଆଯାଉଛି ।