ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (WPL) ଲାଗି ସଂପୂର୍ଣ୍ଣ ଖେଳ ସୂଚୀ ଘୋଷଣା କରିଛି ବିସିସିଆଇ । ଫେବୃଆରୀ ୧୪ରୁ ମହିଳା ପ୍ରିମିୟର ଲିଗ୍‌ ଆରମ୍ଭ ହେବାକୁ ଥିବା ବେଳେ ଉଦଘାଟନୀ ମ୍ୟାଚ୍‌ ଆରସିବି ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଗୁରୁବାର WPL 2025 ପାଇଁ ସୂଚୀ ଜାରି କରିଛି ବିସିସିଆଇ । ଭଦୋଦରା, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ମୁମ୍ବାଇରେ ମୋଟ ୨୨ ଟି ମ୍ୟାଚ୍‌ର ଆୟୋଜନ ହେବ । 

 


ମୁମ୍ବାଇରେ ଏଲିମିନେଟର ଏବଂ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ସ୍ମୃତି ମନ୍ଧାନାଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଗତ ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ  ହରାଇ ଟାଇଟଲ୍‌ ହାସଲ କରିଥିଲା । ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ମେଗ୍‌ ଲାନିଂଙ୍କ ନେତୃତ୍ବରେ ଫାଇନାଲ୍‌ରେ ପହଞ୍ଚିଥିବା ଦିଲ୍ଲୀ ୨୦୨୫ ସିଜିନ୍‌ରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଏହି ମ୍ୟାଚ୍‌ ଫେବୃଆରୀ ୧୫ରେ ଭଦୋଦରାରେ ଖେଳାଯିବ ।  ଫେବୃଆରୀ ୧୪ରେ ନବନିର୍ମିତ ବିସିଏ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଆରସିବି ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ହେବ ।

ବେଙ୍ଗାଲୁରୁରେ ଖେଳ ପୂର୍ବରୁ ପ୍ରଥମେ ଭଦୋଦରାରେ ୬ ଟି ମ୍ୟାଚ୍‌ ଖେଳାଯିବ । ଆରସିବି ଘରୋଇ ମୈଦନାରେ ଫେବୃଆରୀ ୨୧ରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।  ଭଦୋଦରାରେ ନବନିର୍ବିତ ବିସିଏ ଷ୍ଟାଡିୟମରେ ୬ଟି ମ୍ୟାଚ୍‌ ହେବା ପରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ପରବର୍ତ୍ତୀ ୮ଟି ମ୍ୟାଚ୍‌ ଖେଳାଯିବାର ଅଛି । ସେହିଭଳି ଲକ୍ଷ୍ନୌରେ ୪ ଏବଂ ମୁମ୍ବାଇରେ ଦୁଇଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଏବଂ ଦୁଇଟି ନକ୍‌ ଆଉଟ୍‌ ମ୍ୟାଚ୍‌ ଖେଳାଯିବା ନେଇ ଘୋଷଣା କରିଛି ବିସିସିଆଇ ।