ଲକ୍ଷ୍ନୌ, ୦୩/୦୩: ଡବ୍ଲ୍ୟୁପିଏଲ୍‌ର  ୧୫ତମ ଲିଗ୍‌ ମୁକାବିଲାରେ ଆଜି ୟୁପି  ୱାରିଅର୍ସ ଓ ଗୁଜରାଟ ଜାଏଣ୍ଟ୍‌ସ ପରସ୍ପରକୁ  ଭେଟିବାକୁ ଯାଉଛନ୍ତି । ୟୁପି ପୂର୍ବ ମ୍ୟାଚରେ  ପରାଜିତ ହୋଇଥିଲା । ଆଜିର ମ୍ୟାଚ୍‌ ଜରିଆରେ ଦଳ ବିଜୟକୁ ଫେରିବା ପାଇଁ  ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଗୁଜରାଟ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ । 

ୟୁପି ୱାରିଅର୍ସ ୫ଟି ମ୍ୟାଚ୍‌ ଖେଳି ୨  ବିଜୟ, ୩ ପରାଜୟ ସହ ମୋଟ ୪ପଏଣ୍ଟ  ପାଇ ତାଲିକାରେ ତୃତୀୟ ସ୍ଥାନରେ ରହିଛି ।  ଦଳ ଗତ ୨୬ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ  ନିକଟରୁ ୮ ୱିକେଟ୍‌ରେ ପରାଜିତ ହୋଇଥିଲା ।  ଆସନ୍ତାକାଲି ଗୁଜରାଟକୁ ହରାଇ ଦଳ ପ୍ଲେ- ଅଫ୍‌ ଆଶା ଦୃଢ଼ କରିବାକୁ ପ୍ରୟାସ କରିବ । ମ୍ୟାଚ୍‌ ଜିତିବାକୁ ହେଲେ ବ୍ୟାଟିଂ ବିଭାଗରେ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଅଧିନାୟିକା  ଦୀପ୍ତି ଶର୍ମା, ସ୍ପିନର ସୋଫି ଏକ୍ଲେଷ୍ଟୋନ୍‌ ଓ  ଚିନେଲି ହେନରୀଙ୍କ ଉପରେ  ସମସ୍ତଙ୍କ ନଜର ରହିବ । 

ଗୁଜରାଟ ମୋଟ ୪ପଏଣ୍ଟ  ସହ ତାଲିକାରେ ସବା  ଶେଷରେ ରହିଛି । ଗତ ୨୭ ତାରିଖରେ ଦଳ  ୬ ୱିକେଟ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ହରାଇଥିଲା । ଏହି ବିଜୟ ଦଳର ମନୋବଳ  ଦୃଢ଼ କରିଛି । ଅଧିନାୟିକା ଆସଲି ଗାର୍ଡନର  ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିବା  ସହ ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଟପ୍‌ ଅର୍ଡର ବ୍ୟାଟର ଦକ୍ଷତା ମୁତାବକ  ପ୍ରଦର୍ଶନ କଲେ ଦଳ ବଡ଼ ସ୍କୋର କରିପାରିବ ।

ସମ୍ଭାବ୍ୟ ଦଳ

ୟୁପି ୱାରିୟର୍ସ: କିରଣ ନଭଗିର, ଗ୍ରେସ୍‌  ହ୍ୟାରିସ୍‌, ବ୍ରିନ୍ଦା ଦିନେଶ, ଦୀପ୍ତି ଶର୍ମା  (ଅଧିନାୟିକା), ଶ୍ୱେତା ସେହରାୱତ,  ଉମା ଚେତ୍ରୀ, ଚିନେଲି ହେନରୀ,  ସାଇମା ଠାକୁର, ଆଲାନା କିଙ୍ଗ୍‌,  ସୋଫି ଏକ୍ଲେଷ୍ଟୋନ୍‌, କ୍ରାନ୍ତି ଗୌଡ଼ । 

ଗୁଜରାଟ: ବେଥ୍‌ ମୁନି, ଡି.  ହେମଲତା, ହର୍ଲିନ ଦେଓଲ, ଆସଲି  ଗାର୍ଡନର (ଅଧିନାୟିକା), ଫୋଏବ  ଲିଚଫିଲ୍ଡ, ଡିଣ୍ଡ୍ରା ଡଟିନ, କାଶଭୀ  ଗୌତମ, ଭାରତୀ ଫୁଲମାଳି,  ତନୁଜା କନୱାର, ମେଘନା ସିଂ/ ରାଜେଶ୍ୱରୀ ଗାଏକୱାଡ୍‌, ପ୍ରିୟା ମିଶ୍ରା