ନୂଆଦିଲ୍ଲୀ,୧୮/୦୧: ଚଳିତ ଡବ୍ଲ୍ୟୁପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକମାତ୍ର ଦଳ ଭାବେ ପ୍ରଥମ ୪ଟି ଯାକ ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି । ଶନିବାର  ଅନୁଷ୍ଠିତ ୧୧ତମ ଲିଗ୍ ମୁକାବିଲାରେ ଦଳ ୮ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୬୬ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ୧୮.୨ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ସ୍ମୃତି ମନ୍ଧାନା ୯୬ ରନ୍‌ର ଦମଦାର ପାଳି ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା । କେବଳ ଶେଫାଳି ବର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ରୟାଲ୍ ଚ୍ୟାଲେଞ୍ଜର୍ସ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଅନ୍ତିମ ଭାଗରେ ସ୍ନେହ ରାଣା ଓ ଲୁସି ହାମିଲଟନ ଉପଯୋଗୀ ଇନିଂସ ଖେଳିବା ଫଳରେ ଦଳୀୟ ସ୍କୋର ୧୬୬ରେ ପହଞ୍ଚିଥିଲା । ଶେଫାଳି ୫ଚୌକା ଓ ୪ଛକା ବଳରେ ୬୨ ରନ କରିଥିଲେ । ସେହିପରି ଲୁସି ୩ଚୌକା ଓ ୩ଛକା ବଳରେ ୧୯ଟି ବଲ୍ରୁ ୩୬, ରାଣା ୨୨ (୩ଚୌକା) ରନ କରିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଲାଉରେନ ବେଲ ଓ ସାୟାଲି ସତଘରେ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ୧୪ ରନ୍‌ରେ ଓପନର ଗ୍ରେସ ହ୍ୟାରିସ୍ (୧)ଙ୍କ ୱିକେଟ୍ ହରାଇଥିଲା । ଅନ୍ୟ ଓପନର ସ୍ମୃତି ମନ୍ଧନାଙ୍କ ସହ ଜର୍ଜିୟା ଭୋଲ ମିଶି ସ୍ଥିତି ସୁଧାରି ନେଇଥିଲେ । କ୍ରିଜରେ ଜମିବା ପରେ ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ବିଜୟ ପଥ ପ୍ରସ୍ତୁତ କରିଥିଲେ । ଦ୍ୱିତୀୟ ୱିକେଟ୍‌ରେ ଉଭୟ ୧୪୨ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୧୫୬ ବେଳେ ଯୋଡ଼ି ଭାଙ୍ଗିଥିଲେ ଦୀପ୍ତି ଶର୍ମା । ମନ୍ଧନା ୧୩ଚୌକା ଓ ୩ଛକା ବଳରେ ୯୬ ରନ କରି ଆଉଟ୍ ହୋଇଥିଲେ । ଭୋଲଙ୍କ ସହ ରିଚା ଘୋଷ ମିଶି ଦଳକୁ ବିଜୟୀ କରାଇଥିଲେ । ଭୋଲ୍ ୫ଚୌକା ଓ ୨ ଛକା ବଳରେ ୫୪ ଓ ରିଚା ୭ ରନ କରି ଅପରାଜିତ ରହିଥିଲେ ।