ପଦ୍ମପୁର, ୧୧/୦୫ : ସପ୍ତମ ଶ୍ରେଣୀ ସାହିତ୍ୟ ବହିର ନୂତନ ସଂସ୍କରଣରେ ସହିଦ ବୀର ମାଧୋ ସିଂଙ୍କ ଜୀବନୀ ଓ ସଂଗ୍ରାମ ସମ୍ପର୍କିତ ତଥ୍ୟରେ ବ୍ୟାପକ ତ୍ରୁଟି। ତାଙ୍କର ଜନ୍ମସ୍ଥାନର ଭୌଗୋଳିକ ଅବସ୍ଥିତି ନେଇ ବିଭ୍ରାଟ ସୃଷ୍ଟି କରାଯାଇଛି। ଇଂରେଜମାନଙ୍କ ସହିତ ହୋଇଥିବା ଯୁଦ୍ଧରେ ସେହି ସମୟର ଗମନାଗମନ ବ୍ୟବସ୍ଥାକୁ ଭୁଲ ଭାବେ ଚିତ୍ରଣ କରାଯାଇଛି ଏବଂ ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି, ବୀର ମାଧୋ ସିଂଙ୍କ ଫାଶୀ ତାରିଖ ମଧ୍ୟ ଭୁଲ ଲେଖାଯାଇଛି। ଏହି ଭ୍ରମାତ୍ମକ ତଥ୍ୟ ପ୍ରକାଶନକୁ ନେଇ ଓଡ଼ିଶାର ଗର୍ବ ଲୋକ କବିରତ୍ନ ପଦ୍ମଶ୍ରୀ ହଲଧର ନାଗ ଏବଂ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହିଦ କୁଞ୍ଜଳ ସିଂ କ୍ଲବ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଇତିହାସ ସହିତ ଏଭଳି ଅସାବଧାନତା ଜଣେ ମହାନ ସଂଗ୍ରାମୀଙ୍କ ପ୍ରତି ଅସମ୍ମାନ ବୋଲି ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, ସପ୍ତମ ଶ୍ରେଣୀ ନୂତନ ପାଠ୍ୟପୁସ୍ତକରେ ମାଧୋ ସିଂଙ୍କ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭୁଲ ଭାବେ ଦର୍ଶାଯାଇଛି। ଏନେଇ ପଦ୍ମଶ୍ରୀ ହଲଧର ନାଗ କହିଛନ୍ତି ଯେ, ଆମ ମାଟିର ବୀର ସଂଗ୍ରାମୀଙ୍କ ବଳିଦାନର ଇତିହାସକୁ ଯଦି ଆମେ ଆସନ୍ତା ପୀଢ଼ି ପାଖରେ ଭୁଲ ଭାବେ ଉପସ୍ଥାପନ କରିବା, ତେବେ ଏହା ଆମ ସଂସ୍କୃତି ଓ ସ୍ଵାଭିମାନ ପ୍ରତି ଏକ ବଡ଼ ଆଘାତ।" ଏହି ଗୁରୁତର ତ୍ରୁଟିକୁ ସଂଶୋଧନ କରିବା ପାଇଁ ପଦ୍ମଶ୍ରୀ ହଲଧର ନାଗ ଏବଂ ସହିଦ କୁଞ୍ଜଳ ସିଂ କ୍ଲବର ସଭାପତି ଅଶୋକ କୁମାର ପୂଝାରୀ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଛାତ୍ରଛାତ୍ରୀମାନେ ଯେପରି ବିଭ୍ରାନ୍ତ ନହୁଅନ୍ତି ଏବଂ ବୀର ସଂଗ୍ରାମୀଙ୍କ ସଠିକ୍ ଗାଥା ପଢ଼ିବାକୁ ପାଆନ୍ତି, ସେଥିପାଇଁ ପାଠ୍ୟପୁସ୍ତକରେ ତୁରନ୍ତ ପରିବର୍ତ୍ତନ ଆଣିବାକୁ ସେମାନେ ଦୃଢ଼ ଦାବି କରିଛନ୍ତି ।
ଇତିହାସ ହେଉଛି ଏକ ଜାତିର ପରିଚୟ। ସହିଦ ମାଧୋ ସିଂଙ୍କ ପରି ଜଣେ ବିପ୍ଳବୀଙ୍କ ଗାଥାରେ ଥିବା ତ୍ରୁଟିକୁ ସରକାର ଶୀଘ୍ର ସଂଶୋଧନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସହିଦ ମାଧୋ ସିଂଙ୍କ ଭଳି ଜଣେ ବୀର ଯୋଦ୍ଧାଙ୍କ ଇତିହାସ ସମ୍ପର୍କିତ ଭୁଲ୍ ତଥ୍ଯ ପ୍ରକାଶନ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଖବରଟିକୁ ପଢନ୍ତୁ- ବଙ୍ଗୋପସାଗରରେ ବାତ୍ୟା ! ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର ,୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା