ରାଇଘର,୨୯।୯ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଏକ ଘର ନିର୍ମାଣ ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକର ମୃତ୍ୟୁ ଘଟିଛି l ମୃତ ଶ୍ରମିକ ଜଣକ ହେଲେ ଛେଳିଡ଼ଙ୍ଗରି ପଂଚାୟତର ସାଲେଭଟା (ସରଗିପାରା) ଗ୍ରାମର ବାବୁଲା ଗଣ୍ଡ ।
ସ୍ଥାନୀୟ ବି.ଏସ.ଏଫ୍ କ୍ୟାମ୍ପ ପଛପଟେ ରାଜକୁମାର ଲସ୍କରଙ୍କ ନୂତନ ଘର ନିର୍ମାଣ ଚାଲିଛି। କିଛି ଶ୍ରମିକ ଛାତ ନିର୍ମାଣ ପାଇଁ ଲୁହା ଛଡ଼ ବାନ୍ଧୁଥିଲେ l ଠିକ ଏହି ସମୟରେ ଛାତ ଉପରୁ ଟଣା ଯାଇଥିବା ୧୧କେଭି ତାରରେ ଲୁହା ଛଡ଼ ଲାଗିଯିବା ଫଳରେ ଉପରେ ରହି କାମ କରୁଥିବା ବାବୁଲା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ l ଏହା ଦେଖି ଅନ୍ୟ ସମସ୍ତ ଶ୍ରମିକ ତାକୁ କୌଶଳ କ୍ରମେ ଉଦ୍ଧାର କରି ନିକଟସ୍ଥ ରାଇଘର ମେଡିକାଲକୁ ନେଇ ଯାଇଥିଲେ ହେଁ ବାବୁଲାର ମୃତ୍ୟୁ ହୋଇସାରି ଥିଲା l ଖବର ପାଇ ରାଇଘର ପୁଲିସ ମେଡିକାଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି l ଅନ୍ୟପଟେ ଘର ଉପର ଦେଇ ଯାଇଥିବା ୧୧ କେଭି ତାର ପ୍ରତି ଘର ମାଲିକ କିମ୍ବା ରାଜମିସ୍ତ୍ରୀ ଧ୍ୟାନ ନଦେବାରୁ ଶ୍ରମିକର ଅକାଳରେ ଜୀବନ ଚାଲି ଯାଇଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି l