ଝରିଗାଁ ,୨୨।୩ (ଆ ପ୍ର) ; ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କୁସୁମବାହାଲ ଗ୍ରାମରେ ମଦ୍ୟପଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛି। ଗୁରୁତର ଯୁବକ ଜଣକ ହେଲେ ପାଣ୍ଡୁ ଜାନି।
ଅଭିଯୋଗ ଅନୁସାରେ ଶନିବାର ସନ୍ଧ୍ୟା ସମୟ ରେ ଝରିଗାଁ ଥାନା ଅନ୍ତର୍ଗତ ଏକମ୍ବାପଡା ଗାଁ ର ବିଷମ ଶବର ପ୍ରଚୁର ମଦ୍ୟପାନ କରି କୁସୁମବାହାଲ ଗ୍ରାମକୁ ଆସି ଲୋକଙ୍କ ସହ ଝଗଡା କରିଥିଲା । ତେବେ ଗାଁ ର ପାଣ୍ଡୁ ଯାନୀ ଓ ବନ୍ଧୁ ଯାନୀ ବୁଝା ସୁଝା କରି ବିଷମ ଶବରକୁ ନିଜ ଘରକୁ ନେଇ ଛାଡି ଦେଇଥିଲେ । ତେବେ ରାତି ସମୟରେ ପାଣ୍ଡୁ ଯାନୀ, ବନ୍ଧୁ ଯାନୀ ଓ ରାମ ଯାନୀ ତିନି ଜଣ ଗାଁ ବାହାରେ କଥା ହେଉଥିବା ସମୟରେ ବିଷମ ଶବର ହାତରେ ଏକ ବନ୍ଧୁକ ଧରି ପୁନର୍ବାର କୁସୁମ ବାହାଲ ଗାଁକୁ ଆସିଥିଲା । ବାହାରେ କଥା ହେଉଥିବା ପାଣ୍ଡୁ ଯାନୀଙ୍କ ଉପରକୁ ପଛ ପଟୁ ଗୁଳି ମାଡ଼ କରିଥିଲା । ତେବେ ପାଣ୍ଡୁ ର ଅଣ୍ଟା, ଓ ପିଠି ରେ ଗୁଳି ମାଡ଼ ହୋଇଥିଲା । ଫଳରେ ପାଣ୍ଡୁ ତଳେ ପଡି ଯାଇଥିଲା । ପାଣ୍ଡୁ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ମେଡିକାଲ ପରେ ଉମରକୋଟ ମେଡିକାଲ ନିଆଯାଇଥିଲା। ସେଠାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଏନେଇ ପାଣ୍ଡୁ ଙ୍କ ବଡ଼ ଭାଇ ଚନ୍ଦ୍ର ଯାନୀ ଝରିଗାଁ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ କୁ ଗିରଫ କରି ପୋଲିସ ପଚରା ଉଚରା କରୁଛି। ଦେଶୀ ବନ୍ଧୁକ ଅଭିଯୁକ୍ତ ବିଷମ ଶବର ନିକଟରେ କେମିତି ରହିଥିଲା ସେନେଇ ତଦନ୍ତ ଚାଲିଛି। ଅନ୍ୟ ପକ୍ଷେ ପାଣ୍ଡୁ ଜାନି ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ପୋଲିସ ସୂଚନା ଦେଇଛି।