ଆଳି,୦୫/୦୫: ରଙ୍ଗର ପର୍ବ ହୋଲିରେ ଅଘଟଣ। ଖରସ୍ରୋତା ନଦୀରେ ଭାସିଯାଇ ଯୁବକ ନିଖୋଜ । ଆଳି ଥାନା ଅନ୍ତର୍ଗତ ଟୁଙ୍ଗା ପଞ୍ଚାୟତରୁ ଏହି ଘଟଣା ସାମ୍ନାକୁ ଆସିଛି। ନିଖୋଜ ଯୁବକ ଜଣକ ଟୁଙ୍ଗା ଗ୍ରାମର ପ୍ରକାଶ ବାରିକ ଙ୍କ ଏକମାତ୍ର ପୁଅ ଶୁଭ ସଂକଳ୍ପ ବାରିକ ବୋଲି ଜଣାପଡିଛି।

ଆହୁରି ପଢନ୍ତୁ-ଖରସ୍ରୋତା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ, ଅଳ୍ପକେ ବଞ୍ଚିଗଲା ଜୀବନ

ସୂଚନା ମୁତାବକ, ଗତକାଲି ହୋଲିରେ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ପ୍ରାୟ ସାଢ଼େ ୪ ଟା ସମୟରେ ଶୁଭସଂକଳ୍ପ ହୋଲି ଖେଳ ସାରି ସାଙ୍ଗମାନଙ୍କ ସହ ନିକଟସ୍ଥ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ସେ ଗାଧୋଇବା ବେଳେ ନଦୀର ପ୍ରଖର ସ୍ରୋତରେ ହଠାତ ସେ ଭାସିଯାଇଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ,ସେ ଭାସିଯାଇ ଚିତ୍କାର କରିଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ଚେଷ୍ଟା କରି ମଧ୍ୟ ଉଦ୍ଧାର କରି ପାରି ନ ଥିଲେ । ଏନେଇ ଖବର ପାଇ ଆଳି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଯନ୍ତ୍ରଚାଳିତ ବୋଟ ସାହାଯ୍ୟରେ ଖୋଜାଖୋଜି ଜାରି ରଖିବା ସହ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଡ଼ଙ୍ଗା ସାହାଯ୍ୟରେ ଶୁଭ ସଂକଳ୍ପଙ୍କୁ ଖୋଜାଖୋଜି ଜାରି ରଖାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଯୁବକ ଉଦ୍ଧାର ହୋଇ ପାରିନଥିବା ଜଣାପଡିଛି।