ସାଲେପୁର,୨୧/୧୨: ଝିଅ ସହ ବିବାହ କରାଇ ଦେବାକୁ କହି ପୁଅକୁ ଡାକି ନେଲେ । ଘରେ ପିଟି ପିଟି ମାରିଦେବା ପରେ ବେକରେ ଗାମୁଛା ବାନ୍ଧି ଗୁହାଳ ଘରେ ଟାଙ୍ଗି ଦେଲେ । ମୃତ ଯୁବକଙ୍କ ପରିବାର ପକ୍ଷରୁ ଏପରି ଅଭିଯୋଗ ବିଞ୍ଝାରପୁର ଥାନାରେ କରାଯାଇଛି । ମୃତ ଯୁବକ ଜଣକ ହେଲେ ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତ ଦେଉଳି ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ ଦାସ(୨୦) ।
ଅଭିଯୋଗ ମୁତାବକ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଧୀନ ମଇଁଦା ଗ୍ରାମର କଇନ ଦାସଙ୍କ ଝିଅ ସାଲେପୁର ଥାନା ଅଧୀନ ଦେଉଳି ଗ୍ରାମର ଜନୈକ ଯୁବକଙ୍କୁ ବିବାହ କରିଥିଲେ । କିଛି ଦିନ ପରେ ସେହି ଗାଁର ଅଶୋକ ଦାସଙ୍କ ସହ କଇନଙ୍କ ଝିଅର ପ୍ରେମ ସମ୍ପର୍କରେ ଗଢ଼ି ଉଠିଥିଲା । ଶାଶୂଘର ଲୋକେ ଏ ସମ୍ପର୍କରେ ଜାଣିବା ପରେ କଇନ ଝିଅକୁ ବାପଘର ବିଞ୍ଝାରପୁର ପଠାଇ ଦେଇଥିଲେ । ଭୁବନେଶ୍ୱରରେ କାମ କରୁଥିବା ଅଶୋକଙ୍କୁ କଇନ ଗୁରୁବାର ଫୋନ୍ ଯୋଗେ ବିଞ୍ଝାରପୁର ମଇଁଦା ଗ୍ରାମକୁ ଡାକିଥିଲେ । ଝିଅ ସହ ବିବାହ କରାଇ ଦେବୁ ବୋଲି କହିଥିଲେ । ଏ କଥା ଶୁଣି କଇନଙ୍କ ଘରେ ପହଞ୍ଚିଥିଲା ଅଶୋକ । ପରେ କଇନ ଓ ତାଙ୍କ ପରିବାର ସଦସ୍ୟ ଅଶୋକଙ୍କୁ ଘରେ ପୁରାଇ ନିର୍ଦ୍ଧୁମ ପିଟିଥିଲେ । ପରେ ଅଶୋକଙ୍କ ବାପା ମନୋଜ ଓ ତାଙ୍କ ମା'ଙ୍କୁ ବିଞ୍ଝାରପୁର ଡକାଇଥିଲେ । ଅଶୋକଙ୍କ ପରିବାର ଲୋକେ ପହଞ୍ଚିବା ପରେ କଇନ ତାଙ୍କଠାରୁ ୫ଲକ୍ଷ ଟଙ୍କା ଦାବି କରିଥିଲେ । ପଇସା ଯୋଗାଡ଼ କରିବା ପାଇଁ ଘରକୁ ଫେରି ଆସିଥିଲେ ଅଶୋକଙ୍କ ମା, ଭାଇ ଓ ମାମୁ । ହେଲେ ଅଶୋକଙ୍କ ବାପା ମନୋଜଙ୍କୁ ଅଟକ ରଖିଥିଲେ କଇନ । ମନୋଜଙ୍କୁ ଚାହା ପିଆଇବା ବାହାନାରେ ବଜାରକୁ ଡାକି ନେଇଥିଲେ । ଏହି ସମୟରେ କଇନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଗୁରୁତର ଅଶୋକଙ୍କ ବେକକୁ ଗାମୁଛାରେ ବାନ୍ଧି ଗୁହାଳରେ ଟାଙ୍ଗି ଦେଇଥିଲେ । ବଜାରରୁ ଫେରି ପୁଅର ଝୁଲନ୍ତା ଶରୀର ଗୁହାଳରେ ଦେଖିଥିଲେ ମନୋଜ । ପୁଅକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଇନର ପରିବାର ଲୋକେ ତାଙ୍କ ପୁଅକୁ ପିଟି ପିଟି ମାରିଦେଇଥିବା ନେଇ ମୃତ ଅଶୋକଙ୍କ ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।