ନୂଆଦିଲ୍ଲୀ,୯।୬: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ହୋଇଥିବ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବଢିଲା ଅଡୁଆ। କୋର୍ଟରୁ ମିଳିଲାନି ଆଶ୍ବସ୍ତି। ହରିୟାଣାରେ ହିସାର କୋର୍ଟ ସୋମବାର ଜ୍ୟୋତିଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛି। ୨୩ ଜୁନ୍ରେ ଜ୍ୟୋତିଙ୍କ ମାମଲାର ହେବ ଆଗାମୀ ଶୁଣାଣି। ଏହା ପୂର୍ବରୁ ୨୬ ମଇରୁ ଜ୍ୟୋତି ୧୪ ଦିନିଆ ରିମାଣ୍ଡରେ ଥିଲେ। ଏବେ ଦ୍ବିତୀୟ ଥର ପାଇଁ ବଢିଛି ତାଙ୍କ ନ୍ୟାୟିକ ହେପାଜତ।
ଉଲ୍ଲେଖନୀୟ ଯେ, ଜ୍ୟୋତି ମାଲହୋତ୍ରା ଗତ କିଚି ମାସ ହେବ ପାକିସ୍ତାନର ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ଗିରଫ ହୋଇଥିଲେ। ପୋଲିସର କହିବା ଅନୁସାରେ, ଜ୍ୟୋତି ପାକିସ୍ତାନ ହାଇକମିଶନର ଏହସାନ ଉର ରହିମ୍ ଓରଫ୍ ଦାନିଶଙ୍କ ସହ ନଭେମ୍ବର ୨୦୨୩ ରୁ ସମ୍ପର୍କରେ ଥିଲେ। ଦାନିଶ ଗୁପ୍ତଚର ମାମଲାରେ ସାମିଲ ଥିବାର ଖୁଲାସା ପରେ ତାଙ୍କୁ ୧୩ ମଇରେ ଦେଶରୁ ବହିଷ୍କାର କରାଯାଇଥିଲା।
ସେଭଳି ପଞ୍ଜାବ ପୋଲିସ ଗତ କିଛି ଦିନ ତଳେ ଆଉ ଜଣେ ୟୁଟ୍ୟୁବ୍ ଜସବୀର ସିଂହଙ୍କୁ ମଧ୍ୟ ପାକିସ୍ତାନ ଗୁଇନ୍ଦା ନେଟଓ୍ବର୍କ ସହ ସମ୍ପର୍କ ନେଇ ଗିରଫ କରିଥିଲା। ପଞ୍ଜାବର ମୋଗାରେ ରହୁଥିବା ଜସବୀର ପୋଲିସ ଯାଞ୍ଚରେ କହିଛି, ପାକିସ୍ତାନୀ ପୋଲିସର ଜଣେ ପୂର୍ବତନ ସବ-ଇନ୍ସପେକ୍ଟର ଗୁଇନ୍ଦା ରାକେଟର ମାଷ୍ଟରମାଇଣ୍ଡ। ପୂର୍ବତନ ସବ ଇନ୍ସପେକ୍ଟର ନାସିର ଢିଲୋ ହିଁ ଜସବୀରଙ୍କୁ ଆଇଏସଆଇ ଅଧିକାରୀଙ୍କ ସହ ଲାହୋରରେ ସାକ୍ଷାତ କରାଇଥିଲେ। ଢିଲୋ ହେଉଛନ୍ତି ଜଣେ ପାକିସ୍ତାନୀ ୟୁଟ୍ୟୁବର।