ଓ୍ବାଶିଂଟନ୍ ଡିସି: ଯୁଦ୍ଧଗ୍ରସ୍ତ ଇସ୍ରାଏଲକୁ ସହାୟତା କରିବ ଆମେରିକା। କେବଳ ଇସ୍ରାଏଲ ନୁହେଁ ୟୁକ୍ରେନ୍କୁ ପୁଣି ସହାୟତା କରିବାକୁ ଆମେରିକା ପ୍ରସ୍ତୁତି କରିଛି । ଏହା ବ୍ୟତୀତ ତାଇଓ୍ବାନକୁ ମଧ୍ୟ ସାହାଯ୍ୟ କରିବ ହ୍ବାଇଟ ହାଉସ୍ । ଇସ୍ରାଏଲ ଏବଂ ୟୁକ୍ରେନ୍ ଯୁଦ୍ଧ ସହ ଯୁଝୁଥିବା ଥିବା ବେଳେ ତାଇଓ୍ବାନ୍ ଚୀନ୍ ପଟୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଭୟରେ ରହିଛି । ଇସ୍ରାଏଲ, ୟୁକ୍ରେନ୍ ଏବଂ ତାଇଓ୍ବାନକୁ ସହାୟତା ଦେବା ଲାଗି ଆମେରିକା ସିନେଟରେ ଆଜି ୯୫ ବିଲିୟନ୍ ଡଲାରର ଏଡ୍ (ସହାୟତା) ପ୍ୟାକେଜ୍ ପାଇଁ ଭୋଟିଂ ହୋଇଛି ।
ସେପଟେ ସିନେଟ୍ରେ ସ୍ପଷ୍ଟ ବହୁମତରେ ବିଲ୍ ପାସ ହୋଇଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହୋଇଯିବ । ବିଲ୍ ପାସ ହେବା ପରେ ସିନେଟର ନେତା ଚକ୍ ଶୁମର କହିଛନ୍ତି ଯେ, ‘ଏହା ସବୁଠୁ ବଡ଼ ଉପଲବ୍ଧି । ଜରୁରୀ ସମୟରେ ଲୋକତନ୍ତ୍ରର ରକ୍ଷା କରିପାରିବା ନେଇ ଆଜି ଆମେରିକା ସମଗ୍ର ବିଶ୍ବକୁ ସନ୍ଦେଶ ପଠାଇଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ତ୍ରୁଟି ବିନା ଆମେରିକା ବିଶ୍ବସ୍ତରରେ ଏକ ଲିଡର ଭାବେ ଛିଡ଼ା ହେବାକୁ ଏବଂ ଭ୍ଲାଦିମିର ପୁଟିନଙ୍କ ଭଳି ଜଣେ ଏକଛତ୍ରବାଦୀ ଠକଙ୍କୁ ବାଟକୁ ଆଣିବା ଲାଗି ନିଜର ପ୍ରତିଶ୍ରୁତି ପୁରଣ କରିବ ।
ଅନ୍ୟପଟେ, ସହାୟତା ପ୍ୟାକେଜ୍ ବିଲ୍ ପାସ ହେବା ପରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସକି ଆମେରିକା ସିନେଟକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ମୁଁ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆଶା କରୁଛି ସେ ଖୁବଶୀଘ୍ର ଏହି ବିଲକୁ ଅନୁମୋଦନ କରିବେ । ଋଷିଆ ଯୁଦ୍ଧ ଆରମ୍ଭ କରିବା ପାଖରୁ ୟୁକ୍ରେନ୍କୁ ସାମରିକ ସହାୟତା ଦେଇଆସିଛି ଆମେରିକା। ଆଉ ଏବେ ପୁଣି ଥରେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆମେରିକା ଆଗେଇ ଆସିଛି। ସେହିଭଳି ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଆମେରିକା ସହାୟତା କରିବାକୁ ଥିବା ବେଳେ ଚୀନ୍ର ସମ୍ଭାବ୍ୟ ଆକ୍ରମଣ ଭୟରେ ଥିବା ତାଇଓ୍ବାନକୁ ବି ସାହାଯ୍ୟ କରିବାକୁ ଯାଉଛି ।