ନୂଆଦିଲ୍ଲୀ ୨୮/୦୪: ଆର୍ଜେଣ୍ଟିନାର ୬୦ ବର୍ଷୀୟା ଆଲେଜାଣ୍ଡ୍ରା ମାରିସା ରୋଡ୍ରିଗୁଏଜ ଇତିହାସରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଆର୍ଜେଣ୍ଟିନା ରାଜଧାନୀ ବ୍ୟୁନସ ଆୟର୍ସ ପାଇଁ ସେ ଗୌରବ ଆଣିଦେଇଛନ୍ତି । ୬୦ ବର୍ଷ ବୟସରେ ଆଲେଜାଣ୍ଡ୍ରା ୩୪ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ବ୍ୟୁନସ ଆୟର୍ସ ଟାଇଟଲ ବିଜୟିନୀ ହୋଇଛନ୍ତି । ଏହା ଜରିଆରେ ସେ ସୁନ୍ଦରୀ ପ୍ରତିଯୋଗିତାର ପରିଭାଷା ବଦଳାଇଛନ୍ତି । ଆଲେଜାଣ୍ଡ୍ରାଙ୍କ ବିଜୟ କେବଳ ତାଙ୍କ ଉଲ୍ଲେଖଯୋଗ୍ୟ ଯାତ୍ରାକୁ ଦର୍ଶାଇଛି ତାହା ନୁହେଁ, ବିବିଧତା ଓ ସମାବେଶୀକୁ ଆପଣେଇବାରେ ତାଙ୍କ ସମର୍ପଣଭାବକୁ ଉଜାଗର କରିଛି ।
ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ ଆୟର୍ସ ପ୍ରଦେଶର ଲା ପ୍ଲାଟା ସହର ବାସିନ୍ଦା ଆଲେଜାଣ୍ଡ୍ରା କେବଳ ଜଣେ ବିଉଟି କୁଇନ୍ ନୁହଁନ୍ତି, ଜଣେ ପେସାଦାର ଓକିଲ ଓ ସାମ୍ବାଦିକ ମଧ୍ୟ । ଏହି ପ୍ରତିଭା ସହିତ ସେ ସମସାମୟିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିଜକୁ ସାମିଲ କରିଛନ୍ତି । ତାଙ୍କ ବିଜୟ ତାଙ୍କ ଧୈର୍ଯ୍ୟର ପ୍ରମାଣ ପ୍ରଦର୍ଶନ କରିଛି । ଆଲେଜାଣ୍ଡ୍ରା ବାଧାବିଘ୍ନର ପ୍ରାଚୀରକୁ ଭାଙ୍ଗି ସୌନ୍ଦର୍ଯ୍ୟ ଓ ବୟସର ପାରମ୍ପରିକ ମାନଦଣ୍ଡକୁ ନୂଆ ପରିଭାଷା ଦେଇଛନ୍ତି ।
ଏହି ସମ୍ମାନାସ୍ପଦ ଟାଇଟଲ ପାଇଥିବା ସମବୟସ୍କ ବିଭାଗରେ ପ୍ରଥମ ମହିଳା ହୋଇଛନ୍ତି ଆଲେଜାଣ୍ଡ୍ରା । ତାଙ୍କ ବ୍ୟକ୍ତିତ୍ୱ, ସୌନ୍ଦର୍ଯ୍ୟ, ଶାଳୀନତା ଏବଂ ମନୋରମ ହସ ଉଭୟ ବିଚାରକ ଓ ଦର୍ଶକଙ୍କୁ ମୁଗ୍ଧ କରିଥିଲା ତାହା ନୁହେଁ, ବିଶ୍ୱବାସୀଙ୍କ ମନ ମଧ୍ୟ କିଣିଥିଲା । ଆସନ୍ତା ମେ’ ୨୫ ତାରିଖରେ ହେବାକୁ ଥିବା ମିସ୍ ୟୁନିଭର୍ସ ଆର୍ଜେଣ୍ଟିନା ପ୍ରତିଯୋଗିତା ପାଇଁ ସେ ଏବେ ପ୍ରସ୍ତୁତ ହେଉଛନ୍ତି । ଏଥିରେ ବିଜୟୀ ହେଲେ, ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ହେବାକୁ ଥିବା ମିସ୍ ୟୁନିଭର୍ସ ୱର୍ଲଡ ପ୍ରତିଯୋଗିତାରେ ବିଶ୍ୱ ମଞ୍ଚରେ ଆର୍ଜେଣ୍ଟିନା ପତାକା ଧରି ସେ ଦେଶକୁ ପ୍ରତିନିଧିତ୍ୱ କରିବେ ।
ଏହି ଯାତ୍ରା ବିଷୟରେ ଆଲେଜାଣ୍ଡ୍ରା କହିଛନ୍ତି, ସୁନ୍ଦରୀ ପ୍ରତିଯୋଗିତାରେ ନୂଆ ଧାରାକୁ ପ୍ରତିନିଧିତ୍ୱ କରୁଥିବାରୁ ମୁଁ ଖୁବ୍ ଉତ୍ସାହିତ । ଆମେ ଏକ ନୂଆ ମଞ୍ଚର ଉନ୍ମୋଚନ କରୁଛୁ, ଯେଉଁଠି ମହିଳା କେବଳ ଶାରୀରିକ ସୌନ୍ଦର୍ଯ୍ୟକୁ ନୁହେଁ ନିଜ ମୂଲ୍ୟକୁ ମଧ୍ୟ ନୂଆ ସ୍ତରକୁ ନେଇପାରିବେ । ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ପାଇଁ ବୟସ ସୀମା ରହିବ ନାହିଁ ବୋଲି ଗତ ବର୍ଷ ବ୍ରହ୍ମାଣ୍ଡ ସୁନ୍ଦରୀ ସଂଗଠନ ଘୋଷଣା କରିଥିଲା ।
ଏଣିକି ୧୮ ବର୍ଷରୁ ଊଦ୍ଧ୍ୱର୍ ଯେକୌଣସି ବୟସର ମହିଳା ଏଥିରେ ଭାଗ ନେଇପାରିବେ । ପୂର୍ବରୁ କେବଳ ୧୮-୨୮ ବର୍ଷୀୟ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେବାର ନିୟମ ଥିଲା । ଆଲେଜାଣ୍ଡ୍ରାଙ୍କ ଭଳି ଆଉ ଜଣେ ସୁନ୍ଦରୀ ପ୍ରତିଯୋଗୀ ବି ଖବରରେ ଅଛନ୍ତି । ସେ ହେଉଛନ୍ତି ୪୭ ବର୍ଷୀୟା ହୈଡୀ କ୍ରୁଜ । ସେ ଆଗାମି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଡୋମିନିକାନ ରିପବ୍ଲିକ୍କୁ ପ୍ରତିନିଧିତ୍ୱ କରିବେ।