ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ପ୍ରଚାର କରୁଛନ୍ତି ।ଏହାରି ଭିତରେ ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । କେରଳରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ରାଜନାଥ ସିଂହ କହିଛନ୍ତି ଯେ, ୨୦୧୯ରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଥିରୁ ଲୋକସଭା ନିର୍ବାଚନ ଲଢ଼ି ହାରିଥିଲେ । ତେଣୁ ଆମେଠିରୁ ଏଥର ନିର୍ବାଚନ ଲଢ଼ିବା ଲାଗି ତାଙ୍କର ସାହସ ନାହିଁ ବୋଲି ରାଜନାଥ ଦାବି କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଉତ୍ତର ପ୍ରଦେଶରୁ ନିର୍ବାଚନ ହାରିବା ପରେ ରାହୁଲ ଗାନ୍ଧୀ କେରଳ ଚାଲିଆସିଛନ୍ତି । ହେଲେ ଓ୍ବାୟନାଡାର ଲୋକେ ତାଙ୍କୁ ଏଥର ଭୋଟ ଦେବେ ନାହିଁ ବୋଲି ସ୍ଥିର କରିଛନ୍ତି । ଦେଶରେ ବିଭିନ୍ନ ମହାକାଶ କାର୍ଯ୍ୟକ୍ରମ ଏବଂ ପ୍ରୋଜେକ୍ଟ ଲଞ୍ଚ ହୋଇସାରିଛି । କିନ୍ତୁ ଗତ ୨୦ ବର୍ଷ ହେଲା କଂଗ୍ରେସ ନିଜର ଏହି ଯୁବ ନେତାଙ୍କୁ ଲଞ୍ଚ କରିପାରିଲା ନାହିଁ ବୋଲି କହିଛନ୍ତି ରାଜନାଥ ସିଂହ ।
କେରଳରେ ବିଜେପି ଲୋକସଭା ପ୍ରାର୍ଥୀ ଅନୀଲ କେ ଆଣ୍ଟୋନିଙ୍କୁ ହରାଇବା ନେଇ ମନ୍ତବ୍ୟ ଦେଇଥିଲେ ତାଙ୍କ ପିତା ତଥା କଂଗ୍ରେସ ନେତା ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନି । ଏହା ଉପରେ ପ୍ରତିକ୍ରିୟା ଦେଇ ରାଜନାଥ କହିଛନ୍ତି, ଅନୀଲ ଆଣ୍ଟୋନି ହାରନ୍ତୁ ବୋଲି ଏ.କେ. ଆଣ୍ଟୋନିଙ୍କ ମନ୍ତବ୍ୟ ଶୁଣି ମୁଁ ଚକିତ ହୋଇପଡ଼ିଛି । ସେ ଆହୁରି କହିଛନ୍ତି ଯେ, ‘ମୁଁ ଜାଣିଛି ଏକେ ଆଣ୍ଟୋନି ଜଣେ ସିଦ୍ଧାନ୍ତବାଦୀ ନେତା । ତାଙ୍କର ସମସ୍ୟା ବୁଝିପାରୁଛି । ତାଙ୍କ ପକ୍ଷରେ ଅନୀଲଙ୍କୁ ସମର୍ଥନ କରିବା କଷ୍ଟକର । ଅନୀଲଙ୍କୁ ଭୋଟ ଦିଅନ୍ତୁ କି ନାହିଁ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ ।’ ସୂଚନାଯୋଗ୍ୟ, ଏପ୍ରିଲ ୨୬ରେ କେରଳର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ ୪ରେ ଫଳାଫଳ ଘୋଷଣା ହେବ ।