ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ଟାଇମ୍ ମାଗାଜିନ୍ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି ।ଏହି ତାଲିକାରେ ଭାରତର ଦୁଇ ଜଣଙ୍କୁ ସାମିଲ କରାଯାଇଛି । ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ଟାଇମ୍ ଇନଫ୍ଲୁଏନ୍ସିଆଲ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂଙ୍କ ଦ୍ବାରା ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ବିରୋଧରେ ତାଙ୍କର ଲଢେଇ ପାଇଁ ସାକ୍ଷୀ ମଲିକଙ୍କୁ ଟାଇମ ମାଗାଜିନ ପ୍ରାଧାନ୍ୟ ଦେଇଛି । ସେହିଭଳି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଅଭିନୟ କ୍ଷେତ୍ର ସହ ସମାଜସେବା କାର୍ଯ୍ୟରେ ଯୋଗଦାନ ପାଇଁ ଏହି ସୂଚୀରେ ସ୍ଥାନ ମିଳିଛି ।
ଅନ୍ୟପଟେ ବ୍ୟବସାୟ କ୍ଷେତ୍ରରେ ବଡ଼ ନାଁ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଟାଇମ ମାଗାଜିନରେ ସାମିଲ କରାଯାଇଛି ।ମାଇକ୍ରୋସଫ୍ଟର ସିଇଓ ଭାରତୀୟ ବଂଶୋଦ୍ଭବ ସତ୍ୟ ନାଡେଲା, ଏନବିଡିଆର ପ୍ରେସିଡେଣ୍ଟ ଜେନସେନ୍ ହୁଆଙ୍ଗ, ବିଓ୍ବାଇଡି କାରସ୍ର ସିଇଓ ଓ୍ବାଙ୍ଗ ଚୁଆନଫୁ ଏବଂ ଆଇକିଆ ଗ୍ରୁପ୍ର ସିଇଓ ଜେସପର ବ୍ରୋଡିନ୍ ଭଳି ବଡ଼ ବଡ଼ ନାଁ ଏହି ତାଲିକାରେ ସାମିଲ ରହିଛି ।ଟାଇମ ମାଗାଜିନ ଅନୁସାରେ, ସତ୍ୟ ନାଡେଲା ମାଇକ୍ରୋସଫ୍ଟ ନେତୃତ୍ବ ନେବା ସହ ମଣିଷର ଭବିଷ୍ୟତ ଏବଂ ମାନବତାକୁ ଉନ୍ନତ୍ତ କରାଇବା ଦିଗରେ କାମ କରିଛନ୍ତି । ସେ ଓପନ ଏଆଇ ଏବି ମଷ୍ଟ୍ରାଲ ଏଆଇରେ ନିବେଶ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ କ୍ରାନ୍ତି ଆଣିବାକୁ କାର୍ଯ୍ୟ କରିଛନ୍ତି ।
ଟାଇମ୍ ମାଗାଜିନ୍ର ଏହି ତାଲିକାରେ BYD (Build Your Dreams) ସିଇଓ ଓ୍ବାଙ୍ଗ ଚୁଆନଫୁ ଏବଂ ହୋମ ଡେକର ବ୍ରାଣ୍ଡ IKEA ସିଇଓ ଜେସପର ବ୍ରୋଡିନ୍ ସାମିଲ ହୋଇଛନ୍ତି ।ଟେସଲାକୁ ବିଓ୍ବାଇଡି ଜବରଦସ୍ତ ଟକ୍କର ଦେଉଥିବା ନେଇ ଓ୍ବାଙ୍ଗ ଚୁଆନଫୁଙ୍କୁ ଶ୍ରେୟ ମିଳିଛି ।ସେ ସୋଲାର ଏନର୍ଜି ସେକ୍ଟରେ ବହୁ ଭଲ କାମ କରୁଥିବା ନେଇ ଟାଇମ ମାଗାଜିନ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ଜେସପର ବ୍ରୋଡିନ୍ଙ୍କ ନେତୃତ୍ବରେ ଆଇକିଆର ପ୍ୟାରେଣ୍ଟ କମ୍ପାନି ଇଙ୍ଗକା ଖୁବ ଭଲ ପ୍ରଦର୍ଶନ କରିପାରିଛି ।
ଏହି ଲିଷ୍ଟରେ ଭାରତୀୟ ବଂଶୋଦ୍ଭବ ହଲିଉଡ୍ ଅଭିନେତା ଦେବ ପଟେଲଙ୍କ ନାଁ ମଧ୍ୟ ରହିଛି । ଦେବ ପଟେଲ ଇଣ୍ଡୋ-ବ୍ରିଟିଶ ଅଭିନେତା । ଲିଷ୍ଟରେ ୟୁଏସ ଡିପାର୍ଟମେଣ୍ଟର ଲୋନ ପ୍ରୋଗ୍ରାମ ଅଫିସର ନିର୍ଦ୍ଦେଶକ ଜିଗର ଶାହଙ୍କ ନାଁ ମଧ୍ୟ ରହିଛି । ଶାହଙ୍କ ଜନ୍ମ ଗୁଜରାଟରରେ ହୋଇଥିଲା ।ବ୍ୟବସାୟୀ ଅଜୟ ବାଙ୍ଗାଙ୍କ ନାଁ ମଧ୍ୟ ଟାଇମ ମାଗାଜିନର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚୀରେ ସ୍ଥାନ ପାଇଛି । ଅଜୟ ବାଙ୍ଗା ୱାର୍ଲଡ ବ୍ୟାଙ୍କର ଅଧ୍ୟକ୍ଷ ଅଛନ୍ତି ଏବଂ ତାଙ୍କ ଜନ୍ମ ମହାରାଷ୍ଟ୍ରର ପୁଣେରେ ହୋଇଥିଲା । ଲୋକପ୍ରିୟ ଶେଫ୍ ଅସମା ଖାନଙ୍କ ନାଁ ମଧ୍ୟ ଏହି ସୂଚୀରେ ଅଛି । କୋଲକତାରେ ଜନ୍ମିତ ଆସମା ଖାନ ଲଣ୍ଡନର ପ୍ରସିଦ୍ଧ ରେସ୍ତୋରାଁ ଡାର୍ଜିଲିଙ୍ଗ ଏକ୍ସପ୍ରେସର ମାଲିକ ଅଛନ୍ତି ।ଟାଇମ ମାଗାଜିନର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ୟେଲ ୟୁନିଭର୍ସିଟିର ପ୍ରଫେସର ଭାରତୀୟ ବଂଶୋଦ୍ଭବ ପ୍ରିୟମ୍ବଦା ନଟରାଜନ ସ୍ଥାନ ପାଇଛନ୍ତି ।