ନୂଆଦିଲ୍ଲୀ,୩୦/୦୪: ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଖୁବ୍ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ମଙ୍ଗଳବାର ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଅହମ୍ମଦାବାଦରେ ଏକତ୍ରିତ ହୋଇ ଏକ ୧୫ଜଣିଆ ଦଳ ପ୍ରସ୍ତୁତ କରିବ । ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ସ୍ୱୀକୃତି ପରେ ୧ ତାରିଖ ଦିନ ଦଳ ଘୋଷଣା ହେବ ।
ଗତ କିଛି ଦିନ ହେଲା ବିଶ୍ୱକପ୍ ଦଳ ଚୟନକୁ ନେଇ ଜୋରଦାର ଆଲୋଚନା ଚାଲିଛି । ଚଳିତ ଆଇପିଏଲ୍ର ପ୍ରଦର୍ଶନକୁ ନେଇ ବହୁ ପୂର୍ବତନ ଖେଳାଳି, ଭାଷ୍ୟକାର ପ୍ରମୁଖ ନିଜ ନିଜ ପସନ୍ଦର ଦଳ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ମାତ୍ର ଚୟନ କମିଟି ଆଇପିଏଲ୍ ପ୍ରଦର୍ଶନକୁ ପ୍ରାଥମିକତା ଦେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ଅନ୍ତର୍ଜାତୀୟ ପ୍ରଦର୍ଶନ, ଫିଟ୍ନେସ୍ ଓ ସାମ୍ପ୍ରତିକ ଫର୍ମ ଉପରେ ଖେଳାଳି ଚୟନ କରାଯିବ । ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଓ ରବିନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବା ନିଶ୍ଚିତ ରହିଛି । ରିଷଭ ପନ୍ତ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ଦ୍ୱିତୀୟ ୱିକେଟ୍ କିପର ସ୍ଥାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇ ଚୟନ କମିଟି ବିସ୍ତୃତ ଆଲୋଚନା କରିବା ସମ୍ଭବାନା ରହିଛି ।
ଦ୍ୱିତୀୟ ୱିକେଟ୍ କିପର ଦୌଡ଼: ବର୍ତ୍ତମାନ ସଞ୍ଜୁ ସାମସନ, କେଏଲ ରାହୁଲ, ଜିତେଶ ଶର୍ମା ଓ ଧ୍ରୁବ ଜୁରେଲ ଦ୍ୱିତୀୟ ୱିକେଟ୍ କିପର ସ୍ଥାନ ଦୌଡ଼ରେ ରହିଛନ୍ତି । ସାମସନ ଓ ରାହୁଲ ଚମତ୍କାର ଫର୍ମରେ ରହିଥିଲେ ହେଁ ଦଳର ଆବଶ୍ୟକତା ଅନୁଯାୟୀ ଉପଯୋଗୀ ସାବ୍ୟସ୍ତ ହେଉ ନାହାନ୍ତି । ଚୟନ କମିଟି ନିମ୍ନ ଭାଗରେ(ଡେଥ୍ ଓଭର ଗୁଡ଼ିକରେ) ଦ୍ରୁତ ବ୍ୟାଟିଂ କରିପାରୁଥିବା ଜଣେ ୱିକେଟ୍ କିପର/ବ୍ୟାଟରଙ୍କ ଆବଶ୍ୟକତା ଲୋଡ଼ୁଛି । ରାହୁଲ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପକ୍ଷରୁ ଓପନ୍ କରୁଛନ୍ତି ଓ ସାମସନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୩ନଂ ସ୍ଥାନରେ ଖେଳୁଛନ୍ତି । ରୋହିତ, ଯଶସ୍ୱୀ ଜୈସ୍ୱାଲ ଓ ବିରାଟ କୋହଲି ବ୍ୟାଟିଂ କ୍ରମର ପ୍ରଥମ ୩ଟି ସ୍ଥାନ ସମ୍ଭାଳିବେ । ତେଣୁ ସାମସନ ଓ ରାହୁଲ ଏହି ସ୍ଥାନରେ ଖେଳିପାରିବେ ନାହିଁ ।
ସାମସନ ଭାରତ ପକ୍ଷରୁ ୨୫ଟି ଟି-ଟ୍ୱେଣ୍ଟି ଖେଳି ୨୦ ହାରରେ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କ ଷ୍ଟ୍ରାଇକ ରେଟ୍ ୧୩୫ ରହିଛି । ତେଣୁ କରି ଗୋଟିଏ ଆଇପିଏଲ୍ ସିଜନର ପ୍ରଦର୍ଶନକୁ ଆଧାର କରି ତାଙ୍କୁ ଦଳରେ ସ୍ଥାନ ଦିଆଯାଇ ପାରିବ ନାହିଁ । ଦ୍ୱିତୀୟ ୱିକେଟ୍ କିପର ଦୌଡ଼ରେ ସାମସନଙ୍କ ତୁଳନାରେ ରାହୁଲ ଆଗରେ ରହିଥିଲେ ହେଁ ସୀମିତ ଓଭର କ୍ରିକେଟ୍ରେ ତାଙ୍କ ମନ୍ଥର ବ୍ୟାଟିଂ କିଛି ଚୟନକର୍ତ୍ତାକୁ ନିରାଶ କରୁଛି ।
ଜୁରେଲ ନିମ୍ନ ଭାଗରେ ବ୍ୟାଟିଂ କରୁଥିଲେ ହେଁ ଏଥର ଆଇପିଏଲ୍ରେ ୱିକେଟ୍ କିପିଙ୍ଗ୍ କରୁନାହାନ୍ତି କିମ୍ବା ବ୍ୟାଟିଂ କରିବା ପାଇଁ ଯଥେଷ୍ଟ ସୁଯୋଗ ପାଇ ନାହାନ୍ତି । ସେହିପରି ଜିତେଶ ଶର୍ମା ଉନ୍ନତ କିପିଙ୍ଗ୍ କରୁଥିଲେ ହେଁ ବ୍ୟାଟିଂରେ ବିଫଳ ହୋଇଛନ୍ତି ।
ପେସ୍ ବୋଲିଂ ଅଲରାଉଣ୍ଡର ଦୌଡ଼ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକମାତ୍ର ବିକଳ୍ପ । ୱେଷ୍ଟ ଇଣ୍ଡିଜ୍ର ମନ୍ଥର ପିଚ୍ରେ ତାଙ୍କ ବୋଲିଂ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଚୟନକର୍ତ୍ତା ଅନୁଭବ କରୁଛନ୍ତି । ତଥାପି ବୈଠକରେ ତାଙ୍କୁ ନେଇ ଜୋରଦାର ଆଲୋଚନା ହୋଇପାରେ । ପାଣ୍ଡ୍ୟା ଦଳକୁ ଫେରିଲେ ଉପ ଅଧିନାୟକ ପଦ ଫେରିପାଇବା କଷ୍ଟକର ହେବ । କାରଣ ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ଫେରାଇ ଦେବାକୁ ଚୟନ କମିଟି ଚିନ୍ତା କରୁଛି ।
ଚହଲଙ୍କ ପାଇଁ ସ୍ଥାନ ନାହିଁ: ଲେଗ ସ୍ପିନର ୟୁଝବେନ୍ଦ୍ର ଚହଲ ସମ୍ପ୍ରତି ଆଇପିଏଲ୍ରେ ଉନ୍ନତ ପ୍ରଦର୍ଶନ କରୁଥିଲେ ହେଁ ଦଳକୁ ଫେରିବା ସମ୍ଭବାନା କ୍ଷୀଣ । ଇତି ମଧ୍ୟରେ ସେ ୧୩ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ମାତ୍ର ଦୁର୍ବଳ ଫିଲ୍ଡିଂ ଯୋଗୁଁ ତାଙ୍କୁ ଦଳରେ ସ୍ଥାନ ଦେବାକୁ ଚୟନକର୍ତ୍ତା ଚାହୁଁ ନାହାନ୍ତି । ଅଲ୍ରାଉଣ୍ଡର ଭାବେ ଜାଡେଜା ପ୍ରତ୍ୟେକ ମ୍ୟାଚ୍ ଖେଳିବା ନିଶ୍ଚିତ । ତେଣୁ ଅନ୍ୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ପ୍ରଥମିକତା ମିଳିବ।
ବୁମରା ସମ୍ଭାଳିବେ ପେସ୍ ବିଭାଗ: ବୁମରା ପେସ୍ ବୋଲିଂ ବିଭାଗ ସମ୍ଭାଳିବେ । ତେଣୁ ଅନ୍ୟ ୨ଜଣ ପେସ୍ ବୋଲରଙ୍କୁ ୧୫ଜଣିଆ ଦଳରେ ସ୍ଥାନ ମିଳିବ । ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ଦଳରେ ସ୍ଥାନ ପାଇବା ନିଶ୍ଚିତ ।
ଅତିରିକ୍ତ ସଦସ୍ୟ ଭାବେ ଶୁଭମନ ଗିଲ, ଅଭେଶ ଖାନ, ତିଳକ ବର୍ମା, ଖଲିଲ ଅହମ୍ମଦ, ରବି ବିଷ୍ଣୋଇ ପ୍ରମୁଖ ଦଳ ସହ ଯାତ୍ରା କରିବାର ସମ୍ଭାବନା ରହିଛି।