ସମ୍ବଲପୁର,୧୦/୦୨: ସମୟ ସୁଅରେ ସମ୍ପର୍କର ସଂଜ୍ଞା  ବଦଳିଛି । ସ୍ୱାର୍ଥରେ ଆଞ୍ଚ୍‌ ଆସିଲେ ରକ୍ତର ଭାଇ ବି ରାକ୍ଷସ ସାଜୁଛି । ଯାହାକୁ ମଣିଷ ଜନ୍ମ ଦେଉଛି ସେ ବି ଜୀବନ ନେଉଛି ।  ଆଉ ଦୁଇ ଯା’ଙ୍କ ସମ୍ପର୍କକୁ ନେଇ କେତେ ଅପବାଦ ରହିଛି ।  ହେଲେ କିଛି ବର୍ଷ ତଳେ ଯୋଡ଼ି ହୋଇଥିବା ସମ୍ପର୍କ ପାଇଁ  ନିଜ ଜୀବନକୁ ତୁଚ୍ଛ ମଣିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରା  ଝାଙ୍କରପାଲି ଗାଁର ପ୍ରତିମା ପ୍ରଧାନ । ସାନ ଯା’କୁ ନିଜର ଯକୃତ ଦେଇ ନୂଆ ଜୀବନ ଦେଇଛନ୍ତି ସେ । ତାଙ୍କର ଏହି  ନିଃସ୍ୱାର୍ଥପର ସମ୍ପର୍କ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । 

ଯକୃତ ରୋଗରେ ପୀଡ଼ିତ ସାନ ଯା’ ଉମାକାନ୍ତି ପ୍ରଧାନଙ୍କୁ ଯକୃତ ଦାନକରି ନୂଆ ଜୀବନ ଦେଇଛନ୍ତି ପ୍ରତିମା । ଏ ନେଇ  ସେ କହିଛନ୍ତି, ମୋ ସ୍ୱାମୀ ଓ ଦିଅରଙ୍କ ମା’ ନାହାନ୍ତି । ମୁଁ  ବାହାଘର ହୋଇ ଆସିବା ଦିନଠୁ ଦିଅରକୁ ପୁଅ ଭଳି ଦେଖିଛି । ବାହା ହୋଇ ଉମାକାନ୍ତି ଘରକୁ ଆସିଲା । ସେ  ବି ଝିଅ ହୋଇ ରହିଲା । ଏବେ ତା’ର ଏଭଳି ସମୟରେ କେମିତି ପଛକୁ ହଟିଯିବି । ମୋ ଯା’ ନୁହେଁ, ମୋ ଝିଅକୁ  ଯକୃତ ଦେଇଛି । ମୋ ପିଲାଙ୍କ ଭଳି ତା’ର ବି ଛୁଆଟେ  ଅଛି । ତା’ ଆଖିକୁ ଦେଖିଲେ ଭାରି କଷ୍ଟ ଲାଗେ । ଏଥିଲାଗି  ମୋ ଜୀବନକୁ ବାଜି ଲଗାଇବାକୁ ବି ପ୍ରସ୍ତୁତ ଥିଲି ।  

ଯକୃତ ନଷ୍ଟ ହେବାକୁ ନେଇ ଉମାକାନ୍ତିଙ୍କ ସ୍ୱାମୀ  ମହାଦେବ ପ୍ରଧାନ କହିଛନ୍ତି, ୨୦୨୦ ଫେବ୍ରୁଆରୀ ୧୬ରେ  ସମ୍ବଲପୁର ଜାତୀୟ ରାଜପଥକୁ ଲାଗିଥିବା ଏକ ଘରୋଇ  ହସ୍ପିଟାଲରେ ସ୍ତ୍ରୀଙ୍କ ଅସ୍ତ୍ରୋପଚାର ହୋଇଥିଲା । ପିତ୍ତକୋଷରେ  ପଥୁରି ରୋଗ ହୋଇଥିବାରୁ ସେଠାରେ ଅପରେସନ କରାଗଲା ।  ହେଲେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଲା ।  ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ ୨୦୨୪ ଡିସେମ୍ବର ୫ରେ  ସ୍ତ୍ରୀଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ହାଇଦ୍ରାବାଦର ଏକ  ଡାକ୍ତରଖାନାରେ ଜଣାପଡ଼ିଲା । ଲିଭର ପ୍ରତିରୋପଣ ନ ହେଲେ  ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ଡୋନର୍‌ ଖୋଜିବାକୁ  ପରାମର୍ଶ ଦେଇଥିଲେ । ମୋର ବ୍ଲଡଗ୍ରୁପ୍‌ ମ୍ୟାଚ୍‌ କଲା ନାହିଁ ।  ହେଲେ ଭାଉଜ ପ୍ରତିମାଙ୍କ ବ୍ଲଡଗ୍ରୁପ ମ୍ୟାଚ୍‌ ହୋଇଥିଲା । ନିଜ  ସ୍ୱାସ୍ଥ୍ୟବସ୍ଥା କଥା ନ ଭାବି ସେ ଯକୃତ ଦେବାକୁ ତୁରନ୍ତ ରାଜି  ହୋଇଗଲେ । ଗତ ୬ ତାରିଖରେ ହାଇଦ୍ରାବାଦରେ ଅସ୍ତ୍ରୋପଚାର  ହୋଇଛି । ରବିବାର ପ୍ରତିମା ଆଇସିୟୁରୁ ବାହାରିଛନ୍ତି । ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ମୋ ସ୍ତ୍ରୀ ଏବେ ବି ଆଇସିୟୁରେ  ରହିଛନ୍ତି । ପ୍ରତିମାଙ୍କ ତ୍ୟାଗ ହିଁ ଉମାକାନ୍ତିଙ୍କୁ ନୂଆ ଜୀବନ  ଦେଇଛି । ଯକୃତ ଦେବାକୁ କାଗଜପତ୍ର ପାଇଁ ଜଟିଳ ସମସ୍ୟା  ହୋଇଥିଲା । ହେଲେ ଭଟ୍‌ଲି ବିଧାୟକ ଈରାଶିଷ ଆଚାର୍ଯ୍ୟ  ବହୁତ ସାହାଯ୍ୟ କରିଥିଲେ ବୋଲି ମହାଦେବ କହିଛନ୍ତି ।