ଭୁବନେଶ୍ୱର,୨୧/୦୭: ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲ ଜୁଲାଇ ୨୦ରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଆଇଏଚଏମ)ରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି । ମିଶନଶକ୍ତି ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ ୩୦ଟି ଏସଏଚଜି ଦଳ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।
ହୋଟେଲ ମେ ଫେୟାରର ସେଫ ସୂରଜ କୁମାର ସାହୁ, ଆଇଏଚଏମର ବିଭାଗୀୟ ମୁଖ୍ୟ ସେଫ ସଂବିତ ସୁମନ ଏବଂ ଲାଇଫ ହୋଟେଲର ଶୈଳେଶ ଶେଖର ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗଦେଇ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା, ସ୍ଵାଦ ଓ ପରିବେଷଣକୁ ଦୃଷ୍ଟିରେ ରଖି ୧୦ଟି ଏସଏଚଜି ଦଳକୁ ଚୟନ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ସମସ୍ତ ସେମିଫାଇନାଲିଷ୍ଟଙ୍କୁ ସାର୍ଟିଫିକେଟ ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କଟକ, ମୟୁରଭଞ୍ଜ, ଢେଙ୍କାନାଳ, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ନବରଙ୍ଗପୁର ଏବଂ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ୧୦ଟି ଏସଏଚଜି ଦଳମାନେ ସେମିଫାଇନାଲରେ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି । ଜୁଲାଇ ୨୨ରେ ହେବାକୁ ଥିବା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ପାଇଁ ମନୋନୀତ ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ, ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ହୋଇସାରିଥିବା ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତ୍ୟେକ ଦଳରେ ଜଣେ ଜଣେ ମୁଖ୍ୟ ପାଚିକା, ସହାୟକ ପାଚିକା ଏବଂ ରୋଷେଇ ସହାୟିକା ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ଜୁଲାଇ ୧୪ରୁ ୧୯ ପର୍ଯ୍ୟନ୍ତ ଏକ ସପ୍ତାହ ପର୍ଯ୍ୟନ୍ତ ମେ ଫେୟାରର ସେଫ ସୂରଜ କୁମାର ସାହୁ ଏବଂ ମାଷ୍ଟର ସେଫ ଇଣ୍ଡିଆ ସିଜନ-୬ର ବିଜେତା ଅବିନାଶ ନାୟକଙ୍କ ଦ୍ଵାରା ଭୁବନେଶ୍ୱରସ୍ଥିତ ଆଇଏଚଏମରେ ପ୍ରଶିକ୍ଷଣ ନେଇଥିଲେ।
ଓଡ଼ିଶା ସରକାରଙ୍କ ମିଶନଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ଅଧୀନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିର ପୁନରୁଦ୍ଧାର ଓ ଏସଏଚଜି ସଦସ୍ୟାମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଦ୍ୟୋଗୀ ହେବା ସ୍ଵପ୍ନକୁ ପୂରଣ କରିବା ଦିଗରେ ଏକ ଅଭିନବ ପଦକ୍ଷେପ ।