ଆସିକା, ୩୦/୧୦ : ବାଣ ଭିଡିବା ବେଳେ ବିସ୍ଫୋରଣ। ଗଞ୍ଜାମ ଜିଲ୍ଲା ଆସିକାର ନଳବଣ୍ଟା ଗ୍ରାମରେ ଏହି ଅଘଟଣ ଘଟିଛି। ବିସ୍ଫୋରଣ ଘଟି ଗ୍ରାମର ବାବୁଲା ନାୟକଙ୍କ ଡାହାଣ ହାତର ପାପୁଲି ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ତେବେ ଏ ସମ୍ପର୍କରେ ପୋଲିସରେ ମେଡିକାଲ କତ୍ତୃପକ୍ଷ ସୂଚନା ଦେଇନାହାଁନ୍ତି କି ଆହତଙ୍କ ନାମ ହସ୍ପିଟାଲର ରେଜିଷ୍ଟରରେ ପଞ୍ଜିକୃତ ହୋଇନାହିଁ। ସେପଟେ ପୋଲିସ ଫୋର୍ସ ଗାଁରେ ଯାଞ୍ଚ ପକ୍ରିୟା ଆରମ୍ଭ କରିଛି। ଏପରିକି ଗ୍ରାମରେ ବାଣ ବିକ୍ରି ବନ୍ଦ କରିବାକୁ ଉଦ୍ୟମ ଚଳାଇଛି। 

ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟାରେ ନଳବଣ୍ଟା ନଦୀ ସାହିରେ ବୋମା ବାଣକୁ ଫୁଟାଇବା ସମୟରେ କୋଦଳା ଥାନା ଇଲାକାର ବାବୁଲା ନାୟକଙ୍କ ଡାହାଣ ହାତର ପାପୁଲିରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ପୋଲିସ ପକ୍ଷରୁ ନଳବଣ୍ଟା ଏବଂ ଅଖପାଖ ଗ୍ରାମ ଉପରେ ତୀକ୍ଷ୍ଣ ନଜର ରଖାଯାଇ ବେଆଇନ ବାଣ ବିକ୍ରିକୁ ପ୍ରଶୟ ଦିଆଯିବ ନାହିଁ ବୋଲି କୁହାଯାଇଛି। ଆସିକା ଥାନା ଅଧିକାରୀ ଏକ ପ୍ଲାଟୁନ ପୋଲିସ ଫୋର୍ସ ଧରି ସନ୍ଧ୍ୟାରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

ପ୍ରକାଶ ଥାଉକି, ନଳବଣ୍ଟା ଗ୍ରାମରେ ବର୍ଷ ତମାମ ଭଳିକି ଭଳି ବାଣ ପ୍ରସ୍ତୁତ ହୁଏ। ବିଶେଷ କରି ପ୍ରଚଣ୍ଡ ଶବ୍ଦକାରୀ ବାଣ ପାଇଁ ଏହି ଗ୍ରାମ ପ୍ରସିଦ୍ଧ। ଖାସ୍ କରି ଦୀପାବଳି ସମୟରେ ନଳବଣ୍ଟାର ଘରେ ଘରେ ଖୋଲା ଯାଇଥାଏ କୁଟୀରଶିଳ୍ପ। ବିଲରେ, ନଦୀ ପଠା ଏବଂ ହିଡ ମାନଙ୍କରେ ଏହି ବାଣ ତିଆରି ହୁଏ। ଏଥିପାଇଁ ଗ୍ରାମ ସବୁ ବେଳେ ବାଣ ପାଇଁ ଚର୍ଚାରେ ରହିଆସୁଛି । ନଳବଣ୍ଟାରେ ଅନେକ ପରିବାର ବେଆଇନ ବାଣ କାରଖାନା କରି ବର୍ଷ ତମାମ ପରିବାର ପ୍ରତିପୋଷଣ କରୁଛନ୍ତି। ପୋଲିସ ଓ ପ୍ରଶାସନ ଏହି ବିଷୟରେ ଜାଣି ମଧ୍ୟ ଚୁପ୍ ବସୁଛି। ଯାହାଫଳରେ ପୋଲିସର ପାରିବା ପାଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। 

ନଳବଣ୍ଟା ଗ୍ରାମରେ ଗତ ମାସ ୦୭ ତାରିଖରେ ଅଚାନକ ଚଢ଼ାଉ କରି ଏକ ଅଟୋ ପ୍ରାୟ ଲକ୍ଷଲକ୍ଷ ଟଙ୍କାର ବାଣ ଜବତ ସହ ୩ ଜଣ ଗିରଫ ହୋଇଥିଲେ। ଆଜି ମଧ୍ୟ ଆସିକା ଉପଖଣ୍ଡ ଅରକ୍ଷୀ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଏବଂ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ମିଳିତ ଚଢ଼ାଉ କରି ଆସିକା ଅଞ୍ଚଳରୁ ଦୁଇ ଜଣକୁ ଗିରଫ କରିଥିବା ସୂଚନା ଦେଇଛନ୍ତି। ଆସିକା ପୋଲିସ ଥାନା କେସ ନମ୍ବର ୬୯୨/୨୪ ରେ ରାଜେଶ ନାହାକ, ୬୯୩/୨୪ ରେ ପ୍ରତାପ କେଶରୀ ଖଣ୍ଡୁଆଳକୁ ଗିରଫ କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଏଥି ସହିତ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ମଧ୍ୟ ଜବତ କରାଯାଇଥିବ ସୂଚନା ମିଳିଛି।