କୋଲକାତା, ୩।୬: ପଶ୍ଚିମବଙ୍ଗ ରାଜନୀତିରୁ ବର୍ତ୍ତମାନର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ଏକ ବଡ଼ ଧରଣର ବିଭାଜନ ଆଶଙ୍କା ଦେଖାଦେଇଛି । ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଜଳୁଥିବା ଅସନ୍ତୋଷର ନିଆଁ ଏବେ ଚରମ ସୀମାରେ ପହଞ୍ଚିଛି । ବିଦ୍ରୋହୀ ଗୋଷ୍ଠୀର ଦାବି ଅନୁଯାୟୀ, ଦଳର ମୋଟ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ବିଧାୟକ ନିକଟରେ ବହିଷ୍କୃତ ହୋଇଥିବା ନେତା ରୀତାବ୍ରତ ବାନାର୍ଜୀଙ୍କୁ ସମର୍ଥନ କରି ଏକ ପୃଥକ ଗୋଷ୍ଠୀ ଗଠନ କରିବାକୁ ଯାଉଛନ୍ତି । ଯଦି ଏହି ବିଦ୍ରୋହ ସଫଳ ହୁଏ, ତେବେ ଟିଏମସି ସଂସଦୀୟ ଦଳ ଦୁଇ ଭାଗ (୬୦ ଏବଂ ୨୦) ରେ ବିଭକ୍ତ ହୋଇଯିବ । ଏଭଳି ପରିସ୍ଥିତିରେ ମମତା ବାନାର୍ଜୀଙ୍କ ଗୋଷ୍ଠୀ ସଂଖ୍ୟାଲଘୁ ହୋଇଯିବା ସହ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇପାରେ ।

ବାଚସ୍ପତିଙ୍କୁ ସମର୍ଥନ ପତ୍ର ଦେବେ ବିଦ୍ରୋହୀ ବିଧାୟକ:

ହିନ୍ଦୁସ୍ତାନ ଟାଇମ୍ସ ଏବଂ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ନିଜକୁ 'ପ୍ରକୃତ ଟିଏମସି' ବୋଲି ଦାବି କରୁଥିବା ଏହି ନୂତନ ଗୋଷ୍ଠୀର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଦ୍ରୋହୀ ଗୋଷ୍ଠୀର ଜଣେ ବରିଷ୍ଠ ନେତା କହିଛନ୍ତି, "ଆମର ଚିଠି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି, କାରଣ ଆମେ ହିଁ ପ୍ରକୃତ ଟିଏମସି । ଆମେ ବୁଧବାର ଦିନ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରତିନ୍ଦ୍ରନାଥ ବୋଷଙ୍କୁ ଆନୁଷ୍ଠାନିକ ଭାବେ ଏହି ସମର୍ଥନ ପତ୍ର ପ୍ରଦାନ କରିବୁ ।" ଏହି ବିଧାୟକମାନେ ମମତାଙ୍କ ଅଫିସିଆଲ୍ ପ୍ରାର୍ଥୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ବଦଳରେ ରୀତାବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରିବାକୁ ଦାବି କରୁଛନ୍ତି ।

'ଜାଲ୍ ଦସ୍ତଖତ' ବିବାଦରୁ ଆରମ୍ଭ ହେଲା ବିଦ୍ରୋହ:

ଏହି ସମଗ୍ର ବିବାଦ ବିରୋଧୀ ଦଳ ନେତା ଚୟନ ପାଇଁ ଦଳର ଜେନେରାଲ ସେକ୍ରେଟେରୀ ଅଭିଷେକ ବାନାର୍ଜୀଙ୍କ ଦ୍ୱାରା ଦିଆଯାଇଥିବା ଚିଠିରୁ ଆରମ୍ଭ ହୋଇଥିଲା । ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦୀପନ ସାହା ଅଭିଯୋଗ କରିଥିଲେ ଯେ ବିଧାୟକ ଦଳ ବୈଠକରେ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ଗୃହୀତ ହୋଇନଥିଲା ଏବଂ ଚିଠିରେ ଅନେକ ବିଧାୟକଙ୍କ 'ଜାଲ୍ ଦସ୍ତଖତ' କରାଯାଇଛି । ରୀତାବ୍ରତଙ୍କ କହିବାନୁସାରେ, ଯେଉଁ କାଗଜରେ ବିଧାୟକମାନଙ୍କ ସ୍ୱାକ୍ଷର ନିଆଯାଇଥିଲା, ତାହା କେବଳ ବୈଠକର ଉପସ୍ଥିତି ପାଇଁ ଥିଲା । ଏହି ଘଟଣା ପରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଟିଏମସି ନେତୃତ୍ୱ ରୀତାବ୍ରତ ଏବଂ ସନ୍ଦୀପନଙ୍କୁ ଦଳରୁ ବହିଷ୍କାର କରିଥିଲେ, ଯାହା ବିଦ୍ରୋହକୁ ଆହୁରି ତୀବ୍ର କରିଦେଇଛି ।

"ଟିଏମସିରେ ମହାରାଷ୍ଟ୍ର ଶୈଳୀର ବିଭାଜନ ହେବ" - ମନ୍ତ୍ରୀ ତାପସ ରାୟ

ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ନେତା ତାପସ ରାୟ ମଙ୍ଗଳବାର ଦିନ ଏକ ବଡ଼ ବୟାନ ଦେଇ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି । ସେ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ଏବେ ମହାରାଷ୍ଟ୍ରର ଶିବସେନା-ଏକନାଥ ସିନ୍ଦେ ଶୈଳୀରେ ବିଭାଜନ ଆଡ଼କୁ ଗତି କରୁଛି । "ଟିଏମସି ଏମିତି ଅନେକ ଲୋକଙ୍କୁ ଦଳରେ ସାମିଲ କରିଛି ଯେଉଁମାନଙ୍କର ରାଜନୀତି ପ୍ରତି କମ୍ ଆଗ୍ରହ ରହିଛି । ଦଳର ଆଭ୍ୟନ୍ତରୀଣ ମତଭେଦ ଏବଂ ବିରୋଧାଭାସ ଏବେ ସମ୍ପୂର୍ଣ୍ଣ ଭାବେ ପଦାକୁ ଆସିଯାଇଛି ।" ବୋଲି ଦାବି କରିଛନ୍ତି ତାପସ ରାୟ । ଦଳ ଭିତରେ ଫାଟର ସ୍ପଷ୍ଟ ସଙ୍କେତ ସେତେବେଳେ ମିଳିଥିଲା, ଯେତେବେଳେ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ବିଧାୟକ ଦଳ ବୈଠକକୁ ୮୦ ମଧ୍ୟରୁ ପ୍ରାୟ ୬୦ ଜଣ ବିଧାୟକ ବୟକଟ୍ କରିଥିଲେ । ଏହାପରେ ମଙ୍ଗଳବାର ଦିନ କୋଲକାତାର ଏସ୍ପ୍ଲାନେଡ୍‌ ସ୍ଥିତ ୱାଇ-ଚ୍ୟାନେଲରେ ଆୟୋଜିତ ଟିଏମସିର ପ୍ରତିବାଦ ସଭାରେ ମଧ୍ୟ ଖୁବ୍ କମ୍ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ମଞ୍ଚରେ ମମତାଙ୍କ ସହ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ଶୋଭନଦେବ ଚଟ୍ଟୋପାଧ୍ୟାୟ, ଡେରେକ୍ ଓ'ବ୍ରାଏନ୍ ଏବଂ ଫିରହାଦ୍ ହାକିମଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ ସତ, କିନ୍ତୁ ଅଧିକାଂଶ ସାଂସଦ ଏବଂ ବିଧାୟକ ଏହି ପ୍ରତିବାଦ ସଭାରୁ ଦୂରେଇ ରହିଥିଲେ । ଏହି ଅନୁପସ୍ଥିତି ଦଳ ଭିତରେ ଥିବା ବଡ଼ ବିଦ୍ରୋହକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ।

ଅଭିଷେକ ବାନାର୍ଜୀ ଓ I-PAC ଉପରେ ବିଧାୟକଙ୍କ କ୍ରୋଧ !

ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ବିଦ୍ରୋହୀ ବିଧାୟକମାନଙ୍କର କ୍ରୋଧ ମମତା ବାନାର୍ଜୀଙ୍କ ପ୍ରତି ନୁହେଁ, ବରଂ ତାଙ୍କ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା I-PAC ର କାର୍ଯ୍ୟଶୈଳୀ ଉପରେ ରହିଛି । ନିର୍ବାଚନ ପରାଜୟ ପରେ ଦଳର ପୁରୁଣା ନେତାମାନେ ନିଜକୁ କୋଣଠେସା ମନେ କରୁଛନ୍ତି । ସମ୍ବିଧାନର ଆଣ୍ଟି ଡିଫେନସନ ଲ ଅନୁଯାୟୀ, ଦଳ ବଦଳ ଆଇନରୁ ରକ୍ଷା ପାଇବା ପାଇଁ ଅତିକମରେ ଦୁଇ-ତୃତୀୟାଂଶ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ବିଦ୍ରୋହୀ ଗୋଷ୍ଠୀ ସହ ଥିବାରୁ ସେମାନଙ୍କ ଉପରେ ଏହି ଆଇନ ଲାଗୁ ହେବ ନାହିଁ ଏବଂ ସେମାନେ ନିଜକୁ ପ୍ରକୃତ ଟିଏମସି ଭାବେ ଦାବି କରିପାରିବେ । ବୁଧବାର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସାରା ଦେଶର ନଜର ରହିଛି ।

ଆହୁରି ପଢ଼ନ୍ତୁ... Karnataka CM DK Shivakumar: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡି.କେ. ଶିବକୁମାର; କାହାକୁ ମିଳିବ କ୍ୟାବିନେଟ୍‌ ଚେୟାର୍‌ ?