ନୂଆଦିଲ୍ଲୀ, ୪।୬: ନୀଟ୍ ପେପର ଲିକ୍, ସିବିଏସଇ ଏବଂ ସିୟୁଇଟି ଦେଶର ବଡ଼ ବଡ଼ ଜାତୀୟ ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଯୁବ ଆନ୍ଦୋଳନ ଏବେ ଏକ ଦେଶବ୍ୟାପୀ ଅଭିଯାନର ରୂପ ନେଇଛି । ବୁଧବାର ଦିନ ନୂଆଦିଲ୍ଲୀର 'କନଷ୍ଟିଚ୍ୟୁସନ କ୍ଲବ ଅଫ୍ ଇଣ୍ଡିଆ'ଠାରେ 'କାକ୍ରୋଚ୍ ଜନତା ପାର୍ଟି' (ସିଜେପି) ନିଜର ପ୍ରଥମ ପ୍ରେସ୍ କନଫରେନ୍ସ କରି ସରକାରଙ୍କ ବିରୋଧରେ ଯୁଦ୍ଧ ଦେହୀ ଡାକରା ଦେଇଛି । ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆସନ୍ତା ଜୁନ୍ ୬ ତାରିଖରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ହେବାକୁ ଥିବା ଗଣବିକ୍ଷୋଭ କେବଳ କୌଣସି ଗୋଟିଏ ପରୀକ୍ଷା ବିରୋଧରେ ନୁହେଁ, ବରଂ ଦେଶର ସମ୍ପୂର୍ଣ୍ଣ ସଢ଼ି ଯାଇଥିବା ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ସ୍ଥିର କରିବା ପାଇଁ ଉଦ୍ଦିଷ୍ଟ ।

କାକ୍ରୋଚ୍ ଜନତା ପାର୍ଟି (ସିଜେପି)ର ୪ଟି ମୁଖ୍ୟ ଦାବି:

୧. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା

୨. ପରୀକ୍ଷା ପ୍ରଣାଳୀରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା

୩. ଶିକ୍ଷା ବ୍ୟବସ୍ଥାରେ ଥିବା ଗଭୀର ସମସ୍ୟାଗୁଡ଼ିକର ସ୍ଥାୟୀ ଓ ଠୋସ୍ ସମାଧାନ

୪. ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ

ସିବିଏସଇରେ ଅଫିସରଙ୍କ ବଦଳି କେବଳ ଏକ 'ଛଳନା':

ପ୍ରେସ୍ କନଫରେନ୍ସ ସମୟରେ ସିଜେପିର ପ୍ରବକ୍ତାମାନେ ସରକାରଙ୍କ ଦ୍ୱାରା ନିକଟରେ ସିବିଏସଇରେ କରାଯାଇଥିବା ପ୍ରଶାସନିକ ପରିବର୍ତ୍ତନ ଏବଂ ଅଧିକାରୀମାନଙ୍କ ବଦଳି ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ସେମାନେ ଏହାକୁ କେବଳ ଏକ 'ଛଳନା' ବା ଆଖିରେ ଆଙ୍ଗୁଠି ଗୁଞ୍ଜିବା ଭଳି କାମ ବୋଲି ଅଭିହିତ କରିଛନ୍ତି । କିଛି ଅଧିକାରୀଙ୍କୁ ଏପଟ ସେପଟ କରିଦେଲେ ସିଷ୍ଟମର ଭିତରେ ଥିବା ମୂଳ ରୋଗ ଭଲ ହେବ ନାହିଁ ବୋଲି ପାର୍ଟି କହିଛି । ପାର୍ଟିର ନବନିଯୁକ୍ତ ମୁଖ୍ୟ ପ୍ରବକ୍ତା ତଥା ଜଣାଶୁଣା ସୋନସେସନାଲ ଜର୍ଣ୍ଣାଲିଷ୍ଟ ସୌରଭ ଦାସ କହିଛନ୍ତି, "ଆମେ କ୍ରମାଗତ ଭାବେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛୁ, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କିଛି ଅଫିସରଙ୍କ ବଦଳି କରି ସରକାର ଏହାକୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ଦେଖାଉଛନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ୍ । ଅସଲ କଥା ହେଉଛି, ଆମ ଦେଶର ପୂରା ସିଷ୍ଟମ ସଢ଼ି ଗଲାଣି ।"

ଗଣମାଧ୍ୟମ ସାମ୍ନାକୁ ଆସିଲେ ସିଜେପିର ନୂଆ କୋର୍ ଟିମ୍:

ଏହି ପ୍ରେସ୍ କନଫରେନ୍ସରେ ପାର୍ଟି ନିଜର ତିନିଜଣ ଉଚ୍ଚଶିକ୍ଷିତ ତଥା ଯୁବ ପ୍ରବକ୍ତାଙ୍କୁ ଦେଶ ସାମ୍ନାକୁ ଆଣିଛି, ଯେଉଁମାନେ ଏହି ଆନ୍ଦୋଳନର ନେତୃତ୍ୱ ନେବେ:

ସୌରଭ ଦାସ: ଦେଶର ଜଣାଶୁଣା ସାମ୍ବାଦିକ

ବିଜେତା ଦହିୟା: ରାଜନୈତିକ ଗବେଷକ ଏବଂ ଚଳଚ୍ଚିତ୍ର ନିର୍ମାତା

ଆଶୁତୋଷ ରାଙ୍କା: ପୂର୍ବତନ ମ୍ୟାନେଜମେଣ୍ଟ କନସଲଟାଣ୍ଟ

ପାର୍ଟି ପ୍ରବକ୍ତା ବିଜେତା ଦହିୟା କହିଛନ୍ତି ଯେ, ଯେଉଁଭଳି ଭାବେ ଏହି ଆନ୍ଦୋଳନ ଦେଶର କୋଣ ଅନୁକୋଣରୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଛି, ତାହା ପ୍ରମାଣ କରୁଛି ଯେ ଆଜିର ନୂତନ ପିଢ଼ି ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଏବଂ ସରକାରଙ୍କ ଉପରେ କେତେ କ୍ଷୁବ୍ଧ ଓ ଅସନ୍ତୁଷ୍ଟ ।

ଆମ ଆଦମୀ ପାର୍ଟି (ଆପ୍) ସହ ସମ୍ପର୍କକୁ ନେଇ ସ୍ପଷ୍ଟୀକରଣ:

ପ୍ରେସ୍ କନଫରେନ୍ସରେ ଯେତେବେଳେ ସିଜେପିର ରାଜନୈତିକ ପୃଷ୍ଠଭୂମି ଏବଂ 'ଆମ ଆଦମୀ ପାର୍ଟି' (ଆପ୍) ସହ ରହିଥିବା କଥିତ ସମ୍ପର୍କକୁ ନେଇ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ପାର୍ଟି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲା । ପ୍ରବକ୍ତା ଆଶୁତୋଷ ରାଙ୍କା ସ୍ପଷ୍ଟ ଭାଷାରେ କହିଛନ୍ତି, "ଆମର ଅତୀତ କ'ଣ ଥିଲା ବା ଆମେ ପୂର୍ବରୁ କେଉଁଠି ଥିଲୁ, ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହି ଲଢ଼େଇ ସେସବୁ ଜିନିଷଠାରୁ ବହୁତ ବଡ଼ । କାକ୍ରୋଚ୍ ଜନତା ପାର୍ଟି କୌଣସି ଜଣେ ବ୍ୟକ୍ତି କିମ୍ବା ଗୋଟିଏ ସଂଗଠନ ମଧ୍ୟରେ ସୀମିତ ନୁହେଁ ।" ସେ କହିଛନ୍ତି ଯେ ଏହି ଆନ୍ଦୋଳନକୁ କୌଣସି ନିର୍ଦ୍ଦିଷ୍ଟ ଦଳୀୟ ଚଷମାରେ ନଦେଖି ସ୍ୱତନ୍ତ୍ର ଭାବେ ଦେଖିବା ଉଚିତ୍ । ସୌରଭ ଦାସ ଏକ ଖୋଲା ଆହ୍ୱାନ ଦେଇ କହିଛନ୍ତି, "ଆମେ ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ରଖିଛୁ । ଦେଶର ଯେ କୌଣସି ଛାତ୍ର, ଅଭିଭାବକ କିମ୍ବା ଯୁବକ, ସେମାନଙ୍କର ରାଜନୈତିକ ଚିନ୍ତାଧାରା ଯାହା ବି ହୋଇଥାଉ ନା କାହିଁକି, କୌଣସି ଦଳୀୟ ବ୍ୟାନର ନ ଧରି ଆମ ସହ ସାମିଲ ହୋଇପାରିବେ । ଆମେ ଶାସକ ଦଳ ଏବଂ ବିରୋଧୀ ଦଳ, ଉଭୟଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ।"

ଜୁନ୍ ୬ ତାରିଖର ପୂରା ଆକ୍ସନ ପ୍ଲାନ୍:

ସିଜେପିର ପ୍ରତିଷ୍ଠାତା ଅଭିଜିତ ଦିପକେ ଜୁନ୍ ୬ ତାରିଖରେ ଆମେରିକାରୁ ଭାରତ ଫେରୁଛନ୍ତି । ସେ ବିମାନବନ୍ଦରରୁ ସିଧା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନ ଯାଇ ଜନ୍ତର-ମନ୍ତରରେ ପ୍ରଦର୍ଶନ ପାଇଁ ଆଧିକାରିକ ଅନୁମତି ନେବା ପ୍ରକ୍ରିୟା ଆରମ୍ଭ କରିବେ । ଅନ୍ୟପଟେ ଦେଶର ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ଅଭିଜିତ ଦିପକେ ଏବଂ ଛାତ୍ରମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହେବେ ବୋଲି ପାର୍ଟି ସ୍ପଷ୍ଟ କରିଛି । ଆଶୁତୋଷ ରାଙ୍କା ଆଶା ପ୍ରକଟ କରିଛନ୍ତି ଯେ, ଦିଲ୍ଲୀ ପୁଲିସ ନିଶ୍ଚିତ ଭାବେ ଏହି ପ୍ରଦର୍ଶନ ପାଇଁ ଅନୁମତି ଦେବ, କାରଣ ଜନ୍ତର-ମନ୍ତର ସର୍ବଦା ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରତିବାଦର କେନ୍ଦ୍ରସ୍ଥଳ ହୋଇ ରହିଆସିଛି । ସେହିପରି ସୌରଭ ଦାସ ମନେ ପକାଇ ଦେଇଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ନିଜର ପ୍ରତିବାଦ ସାବ୍ୟସ୍ତ କରିବା ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଆମର ଏକ ମୌଳିକ ଅଧିକାର ।

ଆହୁରି ପଢ଼ନ୍ତୁ... Bihar Hospital Fire: ICUରେ ରୋଗୀଙ୍କୁ ଜଳନ୍ତା ଅବସ୍ଥାରେ ଛାଡ଼ି ଫେରାର ହେଲେ ଡାକ୍ତର ଓ ଷ୍ଟାଫ୍‌, ମୁଜାଫରପୁର ଅଗ୍ନିକାଣ୍ଡରେ ବଡ଼ ଖୁଲାସା