କନ୍ଦ୍ରାପଡ଼ା, ୨୫/୦୨ : ପ୍ରକଳ୍ପ ନିର୍ମାଣ କରାଗଲା । ପାଣି ପାଇପ୍ ବି ବିଛାଗଲା । ଷ୍ଟାଣ୍ଡପୋଷ୍ଟ ଲାଗିଲା । ଉଦ୍ଦେଶ୍ୟ ଥିଲା ଲୋକେ ହାତପାଆନ୍ତାରେ ପିଇବା ପାଣି ପାଇବେ । ହେଲେ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରୁନାହିଁ । ଅଥଚ ପାଣିର ଅପଚୟ ହେଉଛି । କେଉଁଠି ପରିବା କିଆରିକୁ ପାଣି ମାଡ଼ୁଛି ତ ପୁଣି କେଊଁଠି ମୋଟର ସାଇକେଲ ଧୁଆଯାଉଛି ନହେଲେ ଇଟା କାରଖାନା ଓ ବରଫ ଫ୍ୟାକ୍ଟ୍ରିକୁ ପାଣି ଗଲାଣି । ବେଆଇନ ଭାବେ ସଂଯୋଗ ନିଆଯିବାରୁ ସ୍ୱାଭାବିକ ଜଳ ଯୋଗାଣ ସେବା ବାଧାପ୍ରାପ୍ତ ହୋଇଛି । ପୁଣି ଯେଉଁ କିଛି ଅଂଶକୁ କେବେ କେମିତି ପାଣି ଯୋଗାଣ ହେଉଛି ତା’ର ମଧ୍ୟ କୌଣସି ନିର୍ଦ୍ଦିଷ୍ଟତା ନାହିଁ । କେତେବେଳେ ସକାଳେ ତ ପୁଣି କେତେବେଳେ ଦିନ ୧୨ଟାରେ ପାଣି ମିଳୁଛି । ଯାହା ବି ପାଣି ଆସୁଛି ତା’ ନଆସିବା ପ୍ରାୟ । ବାଲ୍ଟିଏ ପାଣି ପୂର୍ଣ୍ଣ ହେବାକୁ ଅଧଘଣ୍ଟାରୁ ଘଣ୍ଟାଏ ସମୟ ଲାଗିଯାଉଛି । ତଳମୁଣ୍ଡରେ ପାଣି ଆଦୌ ପହଞ୍ଚି ପାରୁନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍ ଅଧୀନ କପାଳେଶ୍ୱର ପଞ୍ଚାୟତର ଆଳିଜଙ୍ଗା ଓ ବାଣେଶ୍ୱରପୁର ଗାଁରୁ ଏଭଳି ଅଭିଯୋଗ ଆସିଛି । ଏଣେ ପାଖରେ ଥିବା ଗୋବରୀ ନଦୀ ଦଳଭର୍ତ୍ତି ହୋଇ ପଡ଼ିଥିବାରୁ ଏହାର ପାଣି ମଧ୍ୟ ବ୍ୟବହାର କରିହେଉନାହିଁ । ୨ଟି ଭଙ୍ଗାରୁଜା ଟ୍ୟୁବୱେଲ୍ ଥିଲା ବେଳେ ଏହାର ପାଣି ବ୍ୟବହାର ଉପଯୋଗୀ ନୁହେଁ ।
ମିଳିଥିବା ସୂଚନା ଅନୁସାରେ, କପାଳେଶ୍ୱର ହେଉଛି କେନ୍ଦ୍ରାପଡ଼ା ସଦର ମହକୁମାର ପ୍ରମୁଖ ପଞ୍ଚାୟତ । କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଊକ୍ତ ପଞ୍ଚାୟତରେ ଜିଲ୍ଲାପାଳଙ୍କ ସମେତ ଏସ୍ପି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ, ଏସ୍ପିଙ୍କ କାର୍ଯ୍ୟାଳୟ, ରିଜର୍ଭ ଅଫିସ, ଅସ୍ତ୍ରାଗାର, ଦୁର୍ନୀତି ନିବାରଣ କାର୍ଯ୍ୟାଳୟ, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ, ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି । ୧୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ପାଣି ଯୋଗାଇବା ପାଇଁ ୩ଟି ପମ୍ପ୍ ହାଉସ୍ ଓ ୨ଟି ଓଭରହେଡ୍ ଟ୍ୟାଙ୍କ ଅଛି । କପାଳେଶ୍ୱରରେ ଥିବା ପମ୍ପ୍ ହାଉସରୁ ୨ଟି ବୋରିଂ ପଏଣ୍ଟ ଜରିଆରେ କପାଳେଶ୍ୱରର ୫ଟି ୱାର୍ଡ ଓ ଗରାପୁରର ୫ଟି ୱାର୍ଡ ସମେତ ଆଳିଜଙ୍ଗାର କିଛିଅଂଶକୁ ପାଣି ଯୋଗାଇ ଦିଆଯାଉଛି ।
ସେହିପରି ଜଜାଙ୍ଗଠାରେ ଥିବା ପମ୍ପ୍ ହାଉସ୍ ଜରିଆରେ ଜଜାଙ୍ଗର ୬ଟି ୱାର୍ଡ ଓ ଖମାର କେଶପୁର ଗ୍ରାମର ୨ଟି ୱାର୍ଡରେ ପିଇବା ପାଣି ପହଞ୍ଚୁଛି । ହେଲେ ଏଠାରେ ଥିବା ଓଭରହେଡ୍ ପାଣି ଟାଙ୍କି ଥାଇ ନଥିବା ଭଳି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଓଭରହେଡ୍ ପାଣିଟାଙ୍କିରୁ ପାଣି ଯୋଗାଣ ସମ୍ଭବ ହେଉନାହିଁ । ହଳିଦୀଡିହରେ ଥିବା ପମ୍ପ୍ହାଉସ୍ ଜରିଆରେ ହଳିଦୀଡିହ, ଆଳିଜଙ୍ଗ, ଗରୁଆଳ ଓ ସମଲପୁରକୁ ପାଣି ଯୋଗାଇ ଦିଆଯାଉଛି । ଏଠାରେ ଯେଉଁ ଓଭରହେଡ୍ ପାଣି ଟାଙ୍କି ଅଛି, ତାହା ସବୁଆଡ଼କୁ ପାଣି ଯୋଗାଇବାକୁ ସମର୍ଥ ନୁହେଁ । ଅଞ୍ଚଳରେ ଭୂତଳ ଜଳସ୍ତର ବହୁ କମ୍ ଥିବା ବେଳେ ଟ୍ୟୁବ୍ୱେଲ ଯୋଗେ ଯେଉଁ ପାଣି ମିଳେ ତାହା ପିଇବା ଉପଯୋଗୀ ନୁହେଁ । ଅଧିକାଂଶ ନଳକୂଅରୁ ଲୌହ ମିଶା ପାଣି ଆସୁଥିବା ଦେଖିବାକୁ ମିଳେ । ତେଣୁ ପ୍ରାୟ ଦେଢ଼ ହଜାର ଲୋକ ପାଇପ୍ ଯୋଗେ ପିଇବା ପାଣି ଉପରେ ନିର୍ଭର କରିଆସୁଛନ୍ତି । ଆଳିଜଙ୍ଗା, ବାଣେଶ୍ୱରପୁର, ସମଲପୁରରେ ପାଇପ୍ ବିଛା ହୋଇଛି ସତ³ ହେଲେ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ । ଏହି ଦୁଇ ଗାଁର ୨୫% ପ୍ରତିଶତ ଲୋକ ପାଣି ପାଉଥିବା ବେଳେ ଅବଶିଷ୍ଟ ୭୫% ଲୋକ ପିଇବା ପାଣିରୁ ବଞ୍ଚିତ ହୋଇଛନ୍ତି ।
ଆଳିଜଙ୍ଗାର କିଛି ଘର ଯାଏ ପାଣି ଆସୁଥିଲେ ମଧ୍ୟ ତା’ ନଆସିବା ଭଳି । ଧାରେ ଲେଖାଏଁ ପାଣି ଆସୁଥିବା ବେଳେ ତା’ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ବିଫଳ ହୋଇଛି । ଯେଉଁ ଟ୍ୟୁବୱେଲ ଅଛି ତା’ର ପାଣି ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ । ଟ୍ୟୁବ୍ୱେଲ ପାଇପ୍ ମୁହଁରେ କପଡ଼ା ଖଣ୍ଡେ ନ ବାନ୍ଧିଲେ ତାହା ବ୍ୟବହାର କରିହେବ ନାହିଁ । ଏଥିରୁ ଲୌହ ଓ ମାଟିଯୁକ୍ତ ଯୁକ୍ତ ପାଣି ବାହାରିବା ଦ୍ୱାରା ତାହା ବ୍ୟବହାର ଉପଯୋଗୀ ହୋଇ ରହୁନାହିଁ । ତେଣୁ ଦୁଇ ଗାଁର ଲୋକେ ପିଇବା ପାଣି ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ପାଖରେ ଗୋବରୀ ନଦୀ ବହି ଯାଇଥିଲେ ମଧ୍ୟ ଏହା ପରିତ୍ୟକ୍ତ ହୋଇ ପଡ଼ିଥିବାରୁ ଏହାର ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରୁନାହିଁ । କେନ୍ଦ୍ରାପଡ଼ା ଆରଡବ୍ଲୁଏସ୍ଏସ୍ ଏସ୍ଡିଓ ତପନ ରାଉତଙ୍କ ସହ ଏନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିନାହିଁ ।
ଏହି ଖବରଟିକୁ ପଢନ୍ତୁ- କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍ସର ସଞ୍ଜିବନୀ, ୨୮ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ