ସମ୍ବଲପୁର,୦୬/୦୪: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ କରିବେ ୭ ଜଣିଆ ଟିମ୍ । ୨ ଏଡିଏମ୍ଓଙ୍କ ସହ ବୁର୍ଲା ଭିମାସର୍‌ର ୨ ଜଣ ଡାକ୍ତର ଓ ଅନ୍ୟ ୩ ଜଣଙ୍କୁ ନେଇ ଟିମ୍ ଗଠନ କରାଯିବ । ଏହି ଘଟଣାର ପ୍ରାଥମିକ ତଦନ୍ତ ସରିଛି । ଅବହେଳାରୁ ମୃତ୍ୟୁ ନା ଅନ୍ୟ କୌଣସି କାରଣରୁ ଘଟିଛି ତାହାର ରିପୋର୍ଟ ଆସିବା ପରେ ଜଣାପଡ଼ିବ । ୭ ଜଣିଆ ଟିମ୍‌ର ରିପୋର୍ଟ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଦୀପ ହୋତା ସୂଚନା ଦେଇଛନ୍ତି ।

ଡ.ହୋତା କହିଛନ୍ତି, ଘଟଣାର ପ୍ରାଥମିତ ତଦନ୍ତ ମୋ ଉପସ୍ଥିତିରେ ସରିଛି । କିଏ କିଏ ସେହି ସମୟରେ ଡ୍ୟୁଟିରେ ଥିଲେ । ଏସ୍ଏନ୍ସିୟୁରେ ନବଜାତକୁ ରଖିବାର ଆବାଶ୍ୟକତା ଥିଲା କି ନାହିଁ? କାହିଁକି ଡାକ୍ତରଙ୍କୁ ତୁରନ୍ତ ସୂଚନା ଦିଆଗଲା ନାହିଁ? ସେନେଇ ପ୍ରାଥମିକ ତଦନ୍ତ ସରିଛି । କିନ୍ତୁ ଏହାର ବୈଷୟିକ ଦିଗରେ ତଦନ୍ତ କରିବାକୁ ଆଉ ଏକ ଟିମ୍ ଗଠନ କରାଯିବ । ଯେଉଁଥିରେ ଜଣେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରହିବେ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ(ଏଫ୍ଡବ୍ଲ୍ୟୁ) ଓ ଏଡିଏମ୍ଓ(ମେଡିକାଲ୍) ସାମିଲ ହେବେ । ଏହି ଟିମ୍ ସବିଶେଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ଆଧାରରେ ନିଷ୍ପତ୍ତି ହେବ ।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧ ଏପ୍ରିଲ୍‌ରେ ମହେଶ ବଗର୍ତ୍ତୀଙ୍କ ସ୍ତ୍ରୀ ଏକ ଶିଶୁ ପୁତ୍ର ପ୍ରବସ ଦେଇଥିଲେ । ୨ ତାରିଖ ଦିନ ଶିଶୁକୁ ଡାକ୍ତରଖାନା ପକ୍ଷରୁ ଟିକା ଦିଆଯାଇଥିଲା । କିନ୍ତୁ ଏହା ପରେ ନବଜାତର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ଏନେଇ ସେଠାରେ ଥିବା ନର୍ସଙ୍କୁ ସୂଚନା ଦିଆଯିବା ପରେ କୌଣସି ଅସୁବିଧା ହୋଇନଥିବା କହିଥିଲେ । ଆସନ୍ତାକାଲି ଡାକ୍ତରଙ୍କୁ ଦେଖାଇବ ବୋଲି କହିଥିଲେ । କିନ୍ତୁ ସକାଳେ ଡାକ୍ତର ଆସିବାବେଳକୁ ଶିଶୁର ମୃତ୍ୟୁ ହୋଇଥିଲା । ତେଣୁ ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ମହେଶ ଅଭିଯୋଗ କରି ଟାଉନ ଥାନାରେ ଏତଲା ଦେଇଛନ୍ତି।

ଅଧିକ ପଢ଼ନ୍ତୁ :-  ଏପ୍ରିଲରେ ରାଉରକେଲା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉଦ୍ଘାଟନ ହେବ ଜନଜାତି ସଂଗ୍ରହାଳୟ