ବିନିକା, ୦୮/୦୯: ବିନିକା ପୁଲିସକୁ ବଡ଼ ସଫଳତା । ଏକ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ । ଡଭଲା ବେଲପଡା ଛକ ନିକଟରୁ ଏକ ବାଇକ୍ ଓ କାର୍ ସହ ଗଞ୍ଜେଇ ଜବତ କରିଛି ପୁଲିସ । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବତୀଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି l ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ମଦୁରେଇ ଜିଲ୍ଲା ସିନାପରି ଗାଁର ୟାସ୍ ଚୌଧୁରୀ (୨୪ ବର୍ଷ), ଏତାମରା ଜିଲ୍ଲା ୟୁଦିମୋରା ଗାଁର ସ୍ୱେତା ଯାଦବ (୧୯ବର୍ଷ) ଓ ସମ୍ବଲପୁର ଜିଲ୍ଲା ଛିପିଲିମା ଗାଁର ସ୍ୱାଧୀନ ହରିପାଲ ।
ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଏକ ନମ୍ବର ବିହୀନ କାର୍ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ପୁଲିସ ଥାନା ସମ୍ମୁଖରେ କାର୍ଟିକୁ ଅଟକାଇ ଥିଲେ l ମାତ୍ର କାର୍ଟି ପୁଲିସକୁ ଦେଖି ଦ୍ରୁତ ଗତିରେ ଫେରାର ମାରିଥିଲା l ପୁଲିସ କାର୍ର ପିଛା କରିବାରୁ ଅଭିଯୁକ୍ତମାନେ କାର୍ ଛାଡ଼ି ପଳାଉଥିବା ବେଳେ ପୁଲିସ ପିଛା କରି ଜଣେ ଯୁବତୀଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିଲା । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଛି । ଓଜନ ପରେ ୧୦୧ କିଲୋ ଗଞ୍ଜେଇ ଥିବା ଜଣାପଡିଛି l