ନୂଆଦିଲ୍ଲୀ, ୧୩/୦୬: ୟୁକ୍ରେନ ଉପରେ ମଙ୍ଗଳବାର ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ । ମୋଟ ୬୫୬ ଡ୍ରୋନ ଓ ୭୩ ମିସାଇଲ ମାଡ଼ କରିଛି । ଏଥିରେ ଅନ୍ୟୂନ ୧୮ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ସାଙ୍ଘାତିକ ଆକ୍ରମଣ ଲାଗି ମସ୍କୋ ପ୍ରସ୍ତୁତି ଚଳାଇଥିବା ନେଇ କିଛିଦିନ ତଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୂଚନା ଦେଇଥିଲେ । ଏବେ ତାହା ସତ୍ୟରେ ପରିଣତ ହୋଇଛି । ରୁଷ୍ ସେନା ୟୁକ୍ରେନ୍‌ର ରାଜଧାନୀ କିଏଭ, ନିପ୍ରୋ ସହର ସମେତ ପୋଲଟଭା, ଖାରକିଭ ଓ ଜାପୋରିଝିଆକୁ ଟାର୍ଗେଟ୍ କରି ଅଧିକ ଆକ୍ରମଣ କରିଛି । ତେବେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୬୦୨ଟି ଡ୍ରୋନ ଏବଂ ୪୦ଟି ମିସାଇଲ୍‌କୁ ନଷ୍ଟ କରିଦେଇଛି ।

​​​​​​​

କିଏଭର ମେୟର ଭିଟାଲୀ କ୍ଲିସ୍କୋ କହିଛନ୍ତି, ରାଜଧାନୀରେ ହୋଇଥିବା ହମଲାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ପିଲାଙ୍କ ସମେତ ୬୬ ଜଣ ଆହତ ହୋଇଛନ୍ତି । ନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ ୧୨ ଜଣ ପ୍ରାଣ ହରାଇଛନ୍ତି । ୩୬ ଜଣ ଆହତ ହୋଇଛନ୍ତି । ଖାର୍କିଭରେ ଜଣେ ଶିଶୁ ସମେତ ୧୫ ଜଣ ଆହତ ହୋଇଥିବା ମେୟର ଆଇହର୍ ତେରେକୋଭ କହିଛନ୍ତି । ଗତ ୧୦ ଦିନ ଭିତରେ କିଏଭ ଉପରେ ରୁଷ୍‌ର ଏହା ଦ୍ୱିତୀୟ ବଡ଼ ଆକ୍ରମଣ । ୟୁକ୍ରେନର ଡ୍ରୋନ ଆକ୍ରମଣରେ ରୁଷ୍‌ର କୁର୍ସ୍କ ଅଞ୍ଚଳ ନିକଟରେ ଜଣଙ୍କ ମୃତ୍ୟୁ ଘଟିଛି । ୟୁକ୍ରେନର ବିଦେଶ ମନ୍ତ୍ରୀ ଆନ୍ଦ୍ରି ସିବିଗା କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ଯୁଦ୍ଧଭୂମିରେ ସଙ୍ଘର୍ଷ କରୁଥିବାରୁ ଜନବସତିକୁ ଟାର୍ଗେଟ୍ କରୁଛି । ରୁଷ ହତାଶ ହୋଇପଡ଼ିଥିବା ଏଥିରୁ ସଙ୍କେତ ମିଳୁଛି । ପୁଟିନ ଜଣେ ଯୁଦ୍ଧ ଅପରାଧୀ । ଆତଙ୍କ ଛଡ଼ା ତାଙ୍କ ପାଖରେ ଅନ୍ୟ ରାସ୍ତା ନାହିଁ । ଏଭଳି ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତି ଆମେରିକାଠାରୁ ସାମରିକ ସହାୟତା ପାଇଁ ପୁଣି ଅପିଲ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ...ହର୍ମୁଜରୁ ଆସିଲା ବଡ ଖବର, ଇରାନର ସରକାରୀ ଟିଭିର ଘୋଷଣା, ଏବେ ୨୪ ଘଣ୍ଟା ଖୋଲା ରହିବ ଟ୍ରାଫିକ୍…