ନୂଆଦିଲ୍ଲୀ,୨୯/୧୧: ଫ୍ଲାରିଡାର ଲେକ୍ ୱେଲ୍ସ ଆକାଶରେ ଏକ ମନ୍ତ୍ରମୁଗ୍ଧକର ଦୃଶ୍ୟ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ୧୦୪ ଜଣ ସ୍କାଇଡାଇଭର୍ ଆକାଶରେ ସର୍ବବୃହତ କ୍ୟାନୋପି ରିଲେଟିଭ୍ ୱର୍କ (ସିଆର୍ଡବ୍ଲ୍ୟୁ) ଆକୃତି ଗଠନ ଜରିଆରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି । ଏକ ଚମତ୍କାର ଭିଡିଓରେ ଏହି ଆଶ୍ଚର୍ଯ୍ୟଜନକ ସଫଳତାର ଦୃଶ୍ୟ କଏଦ ହୋଇଛି । କୁହୁଡ଼ିପୂର୍ଣ୍ଣ ଭୋର ସମୟରେ ସ୍କାଇଡାଇଭର୍ମାନେ ପରସ୍ପରର ପାରାସୁଟ୍କୁ ଯୋଡ଼ି ମଝି ଆକାଶରେ ଠିକିରି ଆକୃତି ପ୍ରସ୍ତୁତ କରୁଥିବା ଏଥିରେ ଦେଖିବାକୁ ମିଳିଛି ।

୧୮ ବର୍ଷ ତଳେ ୧୦୦ ଜଣ ସ୍କାଇଡାଇଭର୍ ଏହି ରେକର୍ଡ କରିଥିଲେ, ଯାହାକୁ ଏବେ ୧୦୪ ଜଣ ଭାଙ୍ଗିଛନ୍ତି । ୩୬ ଜଣ ପାଇଲଟ୍ ପ୍ରଥମେ ଭଲ୍କିରି ପାରାସୁଟ୍ ଉପଯୋଗ କରି ଏକ ଢାଞ୍ଚା ପ୍ରସ୍ତୁତ କଲେ । ଅନ୍ୟ ସ୍କାଇଡାଇଭର୍ମାନେ ଏଥିରେ ଯୋଡ଼ିହୋଇ ଢାଞ୍ଚାର ଆକୃତିକୁ ବଢ଼ାଇଲେ । ୧୯ ଦେଶରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ । ମାତ୍ର କିଛି ସେକେଣ୍ଡ୍ର ପ୍ରଦର୍ଶନ ଲାଗି ପବନ ଉପରେ କାବୁ ପାଇବା ସହିତ ଅବିକଳ ଠିକିରି ଆକୃତି ଗଠନରେ ସୁଦୃଢ଼ ଅନୁଶାସନ ଓ ଦଳଗତ କାର୍ଯ୍ୟକୁ ଏହା ଦର୍ଶାଇଛି । ରଙ୍ଗୀନ୍ ଢାଞ୍ଚାରେ ପାରାସୁଟ୍ଗୁଡ଼ିକ ବ୍ରହ୍ମାଣ୍ଡୀୟ ଫୁଲ ଭଳି ଦିଶୁଛି । ଏହାର ଆୟୋଜକ ଭିଡିଓ ପୋଷ୍ଟ୍ କରି କ୍ୟାପ୍ସନ ଲେଖିଛନ୍ତି- ଥ୍ୟାଙ୍କ୍ସଗିଭିଙ୍ଗ୍ ଅବସରରେ କ୍ୟାନୋପି ରିଲେଟିଭ୍ ୱର୍କ ବିଶ୍ୱ ରେକର୍ଡ ନିମନ୍ତେ ଧନ୍ୟବାଦ! ଏହି ଐତିହାସିକ ଆକୃତି ଗଠନ କରିଥିବା ପ୍ରତ୍ୟେକଙ୍କୁ ଅଭିନନ୍ଦନ । ଆପଣମାନେ ଏକ ଅବିସ୍ମରଣୀୟ କାମ କରିଛନ୍ତି । ଆକାଶରେ ଏହି ଆକୃତି ଗଠନ ଲାଗି ଦୀର୍ଘ ବର୍ଷ ତାଲିମ ନେବାକୁ ପଡ଼େ । ସ୍କାଇଡାଇଭର୍ଙ୍କୁ ପବନର ବେଗ, ଓଜନ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼େ । ଏହି ରେକର୍ଡ ସ୍କାଇଡାଇଭିଂର ପେଣ୍ଠସ୍ଥଳୀ ରୂପେ ଫ୍ଲୋରିଡାକୁ ପ୍ରସିଦ୍ଧ କରିଛି । ଆୟୋଜକମାନେ ଏହାଠୁ ଆହୁରି ବିଶାଳ ଆକୃତି ଗଠନ ନିମନ୍ତେ ଯୋଜନା କରୁଛନ୍ତି ।