ନୂଆଦିଲ୍ଲୀ,୨୧/୦୭: ନ୍ୟୁଜର୍ସୀର ମେଟ୍‌ଲାଇଫ୍‌ ଷ୍ଟାଡିୟମରେ ସ୍ପେନ୍‌ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଛି ଫିଫା ବିଶ୍ୱକପ୍‌ର ଚୂଡ଼ାନ୍ତ ମ୍ୟାଚ୍‌  । ଏଥିରେ ସ୍ପେନ୍‌ ରୋମାଞ୍ଚକ ମୁକାବିଲା କରି ପୂର୍ବ ଚାମ୍ପିୟନ ଆର୍ଜେଣ୍ଟିନାକୁ ୧-୦ରେ ହରାଇ ୧୬ ବର୍ଷ ପରେ ଫିଫା ବିଶ୍ୱକପ୍‌-୨୦୨୬ର ଚାମ୍ପିୟନ ପାଲଟିଛି । ଫାଇନାଲ ମ୍ୟାଚ୍‌ ପାଇଁ ୮୨,୫୦୦ ଦର୍ଶକଙ୍କ କ୍ଷମତାଯୁକ୍ତ ଏହି ଷ୍ଟାଡିୟମ ଖଚାଖଚ ଭରିଯାଇଥିଲା । ଏହାକୁ ଆମେରିକା ଇତିହାସରେ ସବୁଠୁ ମହଙ୍ଗା କ୍ରୀଡ଼ା ଇଭେଣ୍ଟ ଭାବେ ଗଣନା କରାଯାଉଛି । ମଜାଦାର କଥା ହେଉଛି, ଏ ଷ୍ଟାଡିୟମରେ ଏକ ଖାସ୍‌ ସିଟ୍‌ର ଦାମ ଥିଲା ୨୨ କୋଟି ଟଙ୍କା । 

ବିଶ୍ୱକପ ଫାଇନାଲ ପାଇଁ ଅପର୍‌ ଏବଂ ମିଡିଲ୍‌-ଡେକ୍‌ ସିଟ୍‌ଗୁଡ଼ିକର ଟିକଟ ଦାମ ୬,୮୦୦ ଡଲାରରୁ ୧୨,୦୦୦ ଡଲାର ମଧ୍ୟରେ ଥିଲା । ପ୍ରିମିୟମ ଲୋୟର-ଲେବଲ ଏବଂ ଲାଉଞ୍ଜ ଟିକଟ ଦାମ ୨୦,୦୦୦ ଡଲାରରୁ ୩୦,୦୦୦ ଡଲାର ମଧ୍ୟରେ ଥିଲା । ଟିକଟମାଷ୍ଟର ଏବଂ ଷ୍ଟବ୍‌ହବ ଭଳି ରିସେଲ ପ୍ଲାଟ୍‌ଫର୍ମ ଏହାକୁ ଆମେରିକାର କୌଣସି କ୍ରୀଡ଼ା ଇଭେଣ୍ଟ ପାଇଁ ଏଯାବତ ସବୁଠୁ ଅଧିକ ହାରାହାରି ବିକ୍ରି ମୂଲ୍ୟ ଦର୍ଶାଇଛି । ଯଦି ଭାରତୀୟ ଟଙ୍କାରେ ହିସାବ କରିବା ତେବେ ଏହି ଷ୍ଟାଡିୟମରେ ପ୍ରତି ଟିକଟ ହାରାହାରି ଦର ୧୧,୫୬,୬୯୫ ଟଙ୍କା ରହିଥିଲା । ଲାଉଞ୍ଜ ଟିକଟ ଦର ପ୍ରାୟ ୨୮,୯୧,୭୨୭ ଟଙ୍କା ଥିଲା । ମେଟ୍‌ଲାଇଫ୍‌ ଷ୍ଟାଡିୟମ ଏକ ବହୁଉପଯୋଗୀ ଷ୍ଟାଡିୟମ । ଫିଫାର ରିସେଲ୍‌ ମାର୍କେଟପ୍ଲେସ ଅନୁସାରେ, ମେଟ୍‌ଲାଇଫ୍‌ ଷ୍ଟାଡିୟମରେ କ୍ୟାଟେଗୋରୀ-୩ରେ ସବୁଠୁ ଶସ୍ତା ସିଟ୍‌ ପ୍ରାୟ ୮,୦୦୦ ଡଲାର(୭,୭୦,୨୮୪ ଟଙ୍କା) ଥିଲା । 

​​​​​​​

ଏହା ବି ପଢନ୍ତୁ...Fifa World Cup: ସାହାରାରେ ମରିବାକୁ ଛାଡ଼ିଦେଇଥିଲେ ତସ୍କର, ପୁଅ ସାଜିଲା ବିଶ୍ୱ ଚାମ୍ପିଅନ୍  

ବର୍ଗ-୧ର ଦାମ ୧୧,୭୦୦ ଡଲାର(ପାଖାପାଖି ୧୧,୨୬,୫୪୦ ଟଙ୍କା) ରୁ ଆରମ୍ଭ । ରିସେଲ୍‌ ଟିକଟର ଦାମ ବର୍ଗ ୧ ପାଇଁ ୫୭୫,୦୦୦ ଡଲାର (୫,୫୩,୬୪,୧୬୨ ଟଙ୍କା), ଫ୍ରଣ୍ଟ କ୍ୟାଟେଗୋରୀ ୧ ପାଇଁ ୫୯୫,୦୦୦ ଡଲାର (୫,୭୨,୮୯,୮୭୨ ଟଙ୍କା) ଏବଂ ବର୍ଗ-୩ରେ ଏକ ବିଶେଷ ସିଟ୍‌ ପାଇଁ ଦର ୨.୩ ନିୟୁତ ଡଲାର (୨୨.୧୪ କୋଟି ଟଙ୍କା) ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଏହି ସିଟ୍‌ ତଳ ଡେକ୍‌ରେ ଗୋଲ୍‌ ପଛରେ, ବ୍ଲକ୍‌ ୧୨୪, ଧାଡ଼ି ୪୫, ସିଟ୍‌ ୩୩-୩୬ରେ ଥିଲା ।