ନୂଆଦିଲ୍ଲୀ, ୨୧।୭: ସାଧାରଣ ଲୋକଙ୍କ ପାଇଁ ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) କୁ ନେଇ ଆସିଛି ବଡ଼ ଖବର । ଏବେ ନେଟୱାର୍କ ନଥିଲେ ବି ଆପଣ ସହଜରେ UPI ପେମେଣ୍ଟ କରିପାରିବେ । ଭାରତୀୟ ନ୍ୟାସନାଲ ପେମେଣ୍ଟସ୍ କୋର୍ପୋରେସନ୍ (NPCI) ଏପରି ଏକ ‘Tap-to-Pay’ ଫିଚର ଉପରେ କାମ କରୁଛି, ଯାହା ଦ୍ୱାରା ଗ୍ରାହକ ଏବଂ ବ୍ୟବସାୟୀ ଉଭୟଙ୍କ ମୋବାଇଲ୍‌ କିମ୍ବା ଡିଭାଇସ୍‌ରେ ଇଣ୍ଟରନେଟ୍ ନଥିଲେ ମଧ୍ୟ POS ଟର୍ମିନାଲ୍‌ ମାଧ୍ୟମରେ କାରବାର ସମ୍ଭବ ହୋଇପାରିବ । ନିୟର-ଫିଲ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ଆଧାରରେ ଏହି ସେବା କାର୍ଯ୍ୟ କରିବ । ବିମାନ ଯାତ୍ରା (In-flight) କିମ୍ବା ମେଟ୍ରୋ / ଅଣ୍ଡରଗ୍ରାଉଣ୍ଡ ଟ୍ରେନ୍ ଭଳି ଯେଉଁଠି ନେଟୱାର୍କ ଆଦୌ ନଥାଏ, ସେଠାରେ ଏହି ସୁବିଧା ବିଶେଷ ସହାୟକ ହେବ । NFC ଥିବା ଫୋନ୍‌କୁ ଅଫଲାଇନ୍ PoS ଟର୍ମିନାଲରେ ଟ୍ୟାପ୍ କରି ଗ୍ରାହକ ଥରକରେ ୨,୦୦୦ ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ।  

କିପରି କରିବେ ପେମେଣ୍ଟ ?

ପ୍ରଥମେ ଇଣ୍ଟରନେଟ୍ ଥିବା ସମୟରେ ଗ୍ରାହକ ନିଜ ଫୋନର UPI Lite Wallet ରେ ଟଙ୍କା ଲୋଡ୍ କରିବେ । ପରବର୍ତ୍ତୀ ସମୟରେ ନେଟୱାର୍କ ନଥିବା ସ୍ଥାନରେ କୌଣସି UPI PIN ନଦେଇ ବିନା ଇଣ୍ଟରନେଟରେ ସିଧାସଳଖ ଟ୍ୟାପ୍ କରି ପେମେଣ୍ଟ କରିପାରିବେ । ବ୍ୟବସାୟୀମାନଙ୍କ ପାଖରେ ଥିବା PoS hardware ଡିଭାଇସ୍ ଗୁଡ଼ିକୁ ଅଫଲାଇନ୍ କାରବାର ପାଇଁ ସକ୍ଷମ କରିବାକୁ NPCI ସାର୍ଟିଫିକେସନ୍ ଦେବ । ଅଫଲାଇନ୍ ସମୟରେ POS ଟର୍ମିନାଲ୍ ଗ୍ରାହକଙ୍କ 'ପେମେଣ୍ଟ ଅଥରାଇଜେସନ୍' କୁ ଷ୍ଟୋର୍ କରି ରଖିବ। ପରେ ଯେତେବେଳେ ଟର୍ମିନାଲ୍‌ରେ ନେଟୱାର୍କ/ଇଣ୍ଟରନେଟ୍ ଫେରିଆସିବ, ସେତେବେଳେ ଏହା ସ୍ୱୟଂଚାଳିତ ଭାବେ ବ୍ୟାଙ୍କ ନିକଟକୁ ଯାଇ ଭେରିଫିକେସନ୍ ଏବଂ ସେଟଲମେଣ୍ଟ ପ୍ରସେସ୍ ସମ୍ପୂର୍ଣ୍ଣ କରିବ । ବ୍ୟାଙ୍କ ଏବଂ ଥାର୍ଡ-ପାର୍ଟି UPI ଆପ୍ସ ଯେପରିକି Google Pay, PhonePe ଇତ୍ୟାଦି ନିଜ ଆପ୍‌ରେ ଏହି ଫିଚର ଯୋଡ଼ିବା ପାଇଁ କାମ କରୁଛନ୍ତି ।  

UPI Lite X ରୁ ଏହା କିପରି ଭିନ୍ନ ?

NPCI ପୂର୍ବରୁ ସେପ୍ଟେମ୍ବର ୨୦୨୩ରେ UPI Lite X ଆଣିଥିଲା, ଯାହା ଅଫଲାଇନ୍ ପେମେଣ୍ଟ ପାଇଁ ଡିଜାଇନ୍ କରାଯାଇଥିଲା । ଏହା ସହିତ ଗତଦିନରେ “Scan or Tap to Pay” ପାଇଁ Static/Dynamic QR Code ଓ Soundbox ର ଗାଇଡଲାଇନ୍ସ ଆସିଥିଲା । ପୂର୍ବରୁ କେବଳ ଫୋନ୍-ଟୁ-ଫୋନ୍ କିମ୍ବା NFC QR/Soundbox ମାଧ୍ୟମରେ କାରବାର ହେଉଥିବା ବେଳେ, ଏବେ ଦୋକାନୀଙ୍କ ପାଖରେ ଥିବା ପ୍ରାମାଣିକ/ସାର୍ଟିଫାଇଡ୍ PoS ଟର୍ମିନାଲ୍ ରେ ମଧ୍ୟ ଅଫଲାଇନ୍ UPI ଟ୍ୟାପ୍ ପେମେଣ୍ଟ ସମ୍ଭବ ହୋଇପାରିବ ।

ଏହା ବି ପଢ଼ନ୍ତୁ... Crude Oil Price Hike: ଯୁଦ୍ଧ ପ୍ରଭାବରେ ତେଲ ଦର ଆକାଶଛୁଆଁ; ୯୦ ଡଲାର ଡେଇଁଲା ଅଶୋଧିତ ତୈଳ, ଭାରତରେ ମହଙ୍ଗା ମାଡ଼ ଆଶଙ୍କା !

RBI ନିୟମ ଓ ସୁରକ୍ଷା:

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ନିୟମାନୁସାରେ ସାଧାରଣ ଅଫଲାଇନ କାରବାରର ସୀମା ୫୦୦ ଥିବା ବେଳେ UPI Lite X ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସୀମା ରହିଛି । ତେବେ ପ୍ରସ୍ତାବିତ ନୂଆ PoS ସିଷ୍ଟମରେ ୨,୦୦୦ ର ଲିମିଟ୍ ନେଇ NPCI ନିକଟରେ ଚୂଡ଼ାନ୍ତ ଅପରେଟିଂ ଗାଇଡଲାଇନ୍ସ ପ୍ରକାଶ କରିବ । ଅଫଲାଇନ୍ କାରବାର ପାଇଁ ଗ୍ରାହକଙ୍କ ସମ୍ମତି ଜରୁରୀ । ଡାଟା ନେଟୱାର୍କକୁ ଆସିବା କ୍ଷଣି ବ୍ୟାଙ୍କ ଗ୍ରାହକଙ୍କୁ ନୋଟିଫିକେସନ ପଠାଇବ । ବ୍ୟବସାୟୀଙ୍କ ଆଡ଼ୁ କୌଣସି ବୈଷୟିକ ତ୍ରୁଟି ଘଟିଲେ ଏକ୍ୱାୟରିଂ ସଂସ୍ଥା ଦାୟୀ ରହିବେ ଏବଂ ଗ୍ରାହକଙ୍କ ପାଇଁ ଆରବିଆଇ ଇଣ୍ଟିଗ୍ରେଟେଡ୍ ଓମବୁଦସମ୍ୟାନର ସୁବିଧା ମଧ୍ୟ ଉପଲବ୍ଧ ରହିବ ।