ସୁନ୍ଦରଗଡ,୧୨।୩ (ଆ.ପ୍ର.) : ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ରସରାଜପୁର ଫଟାଟାଙ୍ଗର ଗ୍ରାମରେ ଗୁରୁବାର ସନ୍ଧ୍ୟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମାଟ୍ରିକ ପରୀକ୍ଷା ସରିବା ପରେ ନିଜ ଘରେ ରହୁଥିବା ଜଣେ ଛାତ୍ରୀଙ୍କୁ ଲେଫ୍ରିପଡା ଥାନା ଅଂଚଳର ଜଣେ ଯୁବକ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିଛି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଲେଫ୍ରିପଡା ଥାନା ଅନ୍ତର୍ଗତ ଗୁଣ୍ଡିଆଡିହି ଗ୍ରାମର ସନ୍ତୋଷ ଟପ୍ପୋଙ୍କୁ ଗିରଫ କରିଛି।
ଫଟାଟାଙ୍ଗର ଗ୍ରାମର ଶନିଶ୍ଚର ଗିଧିଙ୍କ ଝିଅ ଅସ୍ମିତା (୧୫) କୁଣ୍ଡୁକେଲା ସ୍ଥିତ ଲମ୍ବୋଦର ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ରହି ହାଇସ୍କୁଲ ଶିକ୍ଷା ସାମପ୍ତ କରିଥିଲେ । ମାଟ୍ରିକ ପରୀକ୍ଷା ସରିବା ପରେ ସେ ଛାତ୍ରୀ ନିବାସରୁ ଫେରି ନିଜ ଘରେ ରହି ଆସୁଥିଲେ । ଗୁରୁବାର ସନ୍ଧ୍ୟାରେ ତାଙ୍କ ଘରକୁ ଅଭିଯୁକ୍ତ ସନ୍ତୋଷ ବାଇକ (ଓଡି୧୬ଏଚ୍ -୯୩୮୯)ରେ ଆସିଥିଲା । ପୂର୍ବ ପରିଚୟ ଥିବାରୁ ଘରେ ପ୍ରାୟ ଘଂଟାଏ କାଳ ରହିବା ପରେ ହଠାତ ତାଙ୍କ ତଂଟି କାଟି ବାଇକରେ ଫେରାର ହେବାକୁ ଉଦ୍ୟମ କରୁଥିଲା । ତେବେ ସଂପୃକ୍ତ ଛାତ୍ରୀଙ୍କ ଭଉଣୀ ବାଇକକୁ ଟାଣି ଧରିବାରୁ ସେ ଏହାକୁ ଛାଡି ଫେରାର ହୋଇ ଯାଇଥିଲା । ଖବର ପାଇ ସଦର ଏସଡିପିଓ ନିର୍ମଳ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଦର ଥାନା ପୁଲିସ ସଦଳବଳ ଘଟଣାସ୍ଥଳକୁ ପଂହଚି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ କରମିଡିହି ନିକଟରେ ପୁଲିସ କର୍ମଚାରୀ ମାନେ ତାକୁ ମାଡି ବସିଥିଲେ । ଅଭିଯୁକ୍ତ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରେ କାମ କରୁଥିବା ବେଳେ କିଛି ଦିନ ତଳେ ଘରକୁ ଫେରିଥିବା ଜଣା ପଡିଛି । ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ଘଟି ଯାଇଥିବା ପୁଲିସ ସନ୍ଦେହ କରୁଛି । ଅଭିଯୁକ୍ତଙ୍କୁ ଥାନା ହାଜତରେ ରଖାଯାଇ ପଚରା ଉଚୁରା କରାଯାଉଛି । ଅପରପକ୍ଷରେ ମୃତ ଛାତ୍ରୀଙ୍କ ଶବକୁ ପୁଲିସ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମର୍ଗ ହାଉସରେ ସଂରକ୍ଷିତ ରଖାଇଛି । ଶୁକ୍ରବାର ଏହା ବ୍ୟବଚ୍ଛେଦ ହେବ । ଏ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ : ଭୟାଭୟ ଅଗ୍ନିକାଣ୍ଡ : ସିଲିଣ୍ଡର ଫାଟି ଜଳିଗଲା ୧୦ ଦୋକାନ