ମାଲକାନଗିରି /ଚିତ୍ରକୋଣ୍ଡା ୨୦/୭(ଆପ୍ର ) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବନ୍ୟଜନ୍ତୁ ଶିକାର କରୁଥିବା ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ଜୀବନ୍ତ ବାରାହା ଶାବକ, ୯ଟି ବାଇକ, ଗୋଟିଏ ଟ୍ରାକ୍ଟର, ୪୨କେଜି ବାରାହା ମାଂସ ଚିତ୍ରକୋଣ୍ଡା ବନ ବିଭାଗ ଜବତ କରିଛି।
ରାଲେଗଡା ପଞ୍ଚାୟତ ରେ କିଛି ଗ୍ରାମରେ ଗତ କିଛି ଦିନ ହେବ ଜଙ୍ଗଲ ଜନ୍ତୁ ଶିକାର ହେଉଥିବା ଚିତ୍ରକୋଣ୍ଡା ବନ ବିଭାଗକୁ ଖବର ମିଳିଥିଲା। ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ବନପାଳ ନିରଞ୍ଜନ ସାରକା ଙ୍କ ନେତୃତ୍ୱରେ ବନପାଳ ରାଜେଶ କୁମାର ସେଠି, ଗାର୍ଡ ସଞ୍ଜୟ କୁମାର ପରିଡା, ୱାଇଲଡ଼ ଲାଇଫ ପାରା ସ୍କ୍ୱାର୍ଡ ମିଳିତ ଭାବେ ଉକ୍ତ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ କଟାଯାଇଥିବା ବାରାହ ମାଂସ ଓଜନ ପାଖାପାଖି ୪୨କେଜି ୯୦୦ ଗ୍ରାମ, ଶିକାରରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର, ବାରାହ ଫାସ, ବ୍ୟବହାର କରୁଥିବା ୯ଟି ମୋଟର ସାଇକେଲ, ଗୋଟିଏ ଟ୍ରାକ୍ଟର, ଦୁଇଟି ଜୀଅନ୍ତା ବାରାହ ଶାବକ ଜବତ ହୋଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କୋତାଉରୁ, ଲିମାସେତୁ, ମଣ୍ଡାପାଲି ଏବଂ ପାପର ମେଟଲା ଅଂଚଳର ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ସମସ୍ତ ଅଭିଯୁକ୍ତକୁ କୋର୍ଟରେ ହଜାର କରାଯିବା ନେଇ ବନପାଳ ନିରଞ୍ଜନ ସାରକା ଗଣ ମାଧ୍ୟମକୁ କହିଛନ୍ତି । ଦୁଇ ବାରାହ ଶାବକକୁ ବନ ବିଭାଗ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଯିବା ନେଇ ବନପାଳ କହିଛନ୍ତି ।