ଭୁବନେଶ୍ୱର,୦୩/୧୦: ବନ ବିଭାଗର ଶକ୍ତି ବଢାଇବେ ଦେଶର ଅନ୍ୟତମ  ଶ୍ରେଷ୍ଠ ସନ୍ଧାନୀ କୁକୁର । ରାଜ୍ୟରେ ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ଦକ୍ଷ ବେଲଜିଆନ୍‌ ମାଲିନୋସ ପ୍ରଜାତିର ସନ୍ଧାନୀ କୁକୁର ଅଣାଯାଉଛି । ପ୍ରାରମ୍ଭିକ  ପର୍ଯ୍ୟାୟରେ ୧୨ଟି ତାଲିମପ୍ରାପ୍ତ ବେଲଜିଆନ୍‌ ମାଲିନୋସଙ୍କୁ ଓଡିଶା ଅଣାଯିବ ।  

ଶିମିଳିପାଳ, ସାତକୋଶିଆ, ଢେଙ୍କାନାଳର ହିନ୍ଦୋଳ, ଚନ୍ଦକା ଏବଂ ଦେବ୍ରିଗଡରେ  ସେମାନେ କଡା ପହରା ଦେବେ । ତେବେ ଗୋଟିଏ ବେଲଜିଆନ୍‌ ମାଲିନୋସ  କୁକୁରର ପ୍ରଶିକ୍ଷଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ପ୍ରାୟ ୫  ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂତ୍ରରୁ ଜଣାପଡିଛି । ଏନେଇ  ଗତ ଅଗଷ୍ଟରେ ଟେଣ୍ଡର ହୋଇଥିଲା । ଟେଣ୍ଡରରେ କିଛି ବିଡର  ଭାଗନେଇଥିଲେ । ଅକ୍ଟୋବର ଶେଷ ସୁଦ୍ଧା ଏମାନେ ଓଡିଶା ଆସିବେ ବୋଲି ଜଣାପଡିଛି । ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା  ପ୍ରୟାସକୁ ସୁଦୃଢ କରିବାକୁ ବର୍ତ୍ତମାନ ଶିମିଳିପାଳରେ ୪ଟି ଏବଂ ସାତକୋଶିଆରେ ୩ଟି ଜର୍ମାନ୍‌ ସେଫର୍ଡ ଡଗ୍‌ ସ୍କ୍ୱାଡ୍‌ ନିୟୋଜିତ  ଅଛନ୍ତି । ତେବେ ଏମାନଙ୍କଠାରୁ ଆହୁରି ଦକ୍ଷ, ବୁଦ୍ଧିମାନ  ଏବଂ ଚତୁର ହେଉଛନ୍ତି ବେଲଜିଆନ୍‌ ମାଲିନୋସ  ପ୍ରଜାତି କୁକୁର । ବିଶେଷତଃ ଦେଶର ପ୍ରତିରକ୍ଷା,  ଆର୍ମୀ ଏବଂ ବନ ବିଭାଗ ଏହି ପ୍ରଜାତିର କୁକୁରଙ୍କୁ ସୁରକ୍ଷା ଓ ସନ୍ଧାନ କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଏମାନେ ଅତ୍ୟନ୍ତ ବିଶ୍ୱସ୍ଥ ଏବଂ କର୍ମଠ ତଥା ସକ୍ରିୟ  ହୋଇଥିବାରୁ ସୁରକ୍ଷାକର୍ମୀଙ୍କ ମନପସନ୍ଦର ସନ୍ଧାନୀ  କକୁର ମଧ୍ୟ ହୋଇଥାନ୍ତି ।