ବାରିପଦା,୧୮/୦୪: ଆଜି ବିଜୁଜନତା ଦଳର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ ଡାକରାକୁ କଂଗ୍ରେସର ସମର୍ଥନ।। ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ ଓ ଜଣେ ଛାତ୍ରୀର ମୃତ୍ୟୁ ଘଟଣାକୁ ନେଇ ନ୍ୟାୟ ଦାବିରେ ବିଜେଡି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହରତାଳ ଡାକରା ଦେଇଥିବା ବେଳେ ଏହାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଥିବା ନେଇ ଘୋଷଣା ହୋଇଛି। ସକାଳୁ ସକାଳୁ ବିଭିନ୍ନ ଛକରେ ବିଜେଡ଼ି ଓ କଂଗ୍ରେସ ମିଳିତ ଭାବେ ହରତାଳ ପ୍ରଦର୍ଶନ କରୁଛନ୍ତି। ବନ୍ଦ ପ୍ରଭାବ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ ଯେ, ବିଷାକ୍ତ ଖାଦ୍ୟ ଖାଇ କାକବନ୍ଧ ଆଶ୍ରମ ସ୍କୁଲର ୧୪୬ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଗତ ୧୨ ତାରିଖ ଆକ୍ରାନ୍ତ ହୋଇଥଲେ । ସେଥି ମଧ୍ୟରୁ ୬୦ ଜଣ ଗୁରୁତର ଅସୁସ୍ଥଙ୍କୁ ପିଆରଏମ୍ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାସଗୋବିନ୍ଦପୁର ବ୍ଲକର ଲୁଣଚାଟି ଗ୍ରାମର ଦୁର୍ଗା ବେଶ୍ରାଙ୍କ ଝିଅ ରୂପାଲି ବେଶ୍ରା (୧୨) ଙ୍କର ୧୪ ତାରିଖରେ ମୃତ୍ୟୁ ପରେ ମେଡିକାଲ୍ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ନଳଗଜା ଠାରେ ବାରିପଦା ଜଳେଶ୍ୱର ରାଜ୍ୟ ରାଜପଥକୁ ମଧ୍ୟ ଅବରୋଧ କରାଯାଇଥିଲା । ହସ୍ପିଟାଲ ସମ୍ମୁଖରେ ଶବ ରଖି ନ୍ୟାୟ ପାଇଁ ବିଜେଡି, କଂଗ୍ରେସ, ଜେଏମ୍ଏମ୍, ମାସାଆର୍ମୀ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା ହୋଇଥିବା ବେଳେ ଏହି ଘଟଣାରେ ବିଜେଡି ସିଧାସଳଖ ପ୍ରଶାସନକୁ ଓ ସରକାରଙ୍କୁ ଦାୟୀ କରି ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା ।
ଏହି ଘଟଣାରେ ସରକାର ଉତ୍ତରାଞ୍ଚଳ ଆରଡିସିଙ୍କୁ ତଦନ୍ତଭାର ଦେଇ ଘଟଣାସ୍ଥଳକୁ ପଠାଇଥିବା ବେଳେ ବିଜେଡି ଅନୁସୂଚିତ ଜାତି ଓ ଜନଜାତି ଆୟୋଗଙ୍କ ତତ୍କାଳ ହସ୍ତକ୍ଷେପ ପାଇଁ ଦାବି କରିଛି । ଜିଲ୍ଲାରେ ୧୨ଘଣ୍ଟିଆ ହରତାଳ ପାଇଁ ଡାକବାଜି ଯନ୍ତ୍ରରେ ଏହାକୁ ସଫଳ କରିବାକୁ ବିଜେଡିର ସମସ୍ତ ଛାମୁଆ ସଂଗଠନ ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ।ଏହି ହରତାଳ ଫଳରେ ଜିଲ୍ଲାରେ ଯାନବାହାନ ଚଳାଚଳ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହେବ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ୟାଙ୍କ, ପୋଷ୍ଟଅଫିସ, କୋର୍ଟ କଚେରୀ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିବ । ବନ୍ଦ ସମୟରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅଯଥା ଗଣ୍ଡଗୋଳ ନ କରିବା ପାଇଁ ପୁଲିସ ପକ୍ଷରୁ ଅପିଲ କରାଯାଇଥିବା ବେଳେ କୌଣସି ଅପ୍ରିତୀକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଉପଖଣ୍ଡର ଏସଡିଓଙ୍କ ସମେତ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆ ଯାଇଥିବା ନେଇ ଡିଆଇବି ଡିଏସପି ଗୌତମ କିଶାନ କହିଛନ୍ତି ।
ଶ୍ରୀ କିଶାନ କହିଛନ୍ତି ଯେ, କୌଣସି ଗଣ୍ଡଗୋଳକୁ ପ୍ରଶ୍ରୟ ନ ଦେବାକୁ ଜିଲ୍ଲାରେ ୧୦ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ବିଶେଷ କରି ବାରିପଦାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ, ମୁର୍ଗାବାଡି ଗୋଲେଇ, ପାଲବଣି ଗୋଲେଇ, ରେଳ ଷ୍ଟେସନ, କୃଷ୍ମଚନ୍ଦ୍ର ଗୋଲେଇ ଓ ବଜାରରେ ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖା ଯିବ । ସେପଟେ ବେତନଟୀ ବଜାର ଓ ବଙ୍ଗଳାଛକ, ବୈଶିଙ୍ଗା ଟୋଲଗେଟ, ଝାରପୋଖରିଆ, ବାଙ୍ଗିରିପୋଷି, ରାସଗୋବିନ୍ଦପୁର, କାକବନ୍ଧ, ନଳଗଜା, ଚିତ୍ରଡା ମୋରଡା, କରଂଜିଆ, ଯଶୀପୁର, ରାଇରଙ୍ଗପୁର, ଜାମଦା, ତିରିଂ ସମେତ ଅନ୍ୟାନ୍ୟ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆରକ୍ଷୀବାହିନୀ ଓ ଫୋର୍ସ କାର୍ଯ୍ୟ କରିବେ । ବନ୍ଦ ସମୟରେ ପିକେଟିଂ କରୁଥିବା ଆନ୍ଦୋଳନକାରୀଙ୍କ ଦ୍ୱାରା ଯେପରି ସାଧାରଣ ଲୋକେ ହଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ନଜର ଦେବେ ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ :- ଚତୁର୍ଥୀ ପୂର୍ବରୁ ପ୍ରେମିକ ସହ ନବବଧୂ ଫେରାର୍, ଭଣ୍ଡୁର ହେଲା ରିସେପ୍ସନ ଭୋଜି