ବାରଙ୍ଗ,୦୮/୧୨(ମନୋଜ ସ୍ୱାଇଁ): କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ବାରଙ୍ଗ ବ୍ଲକ ଅଧୀନରେ ରହିଛି ରତାଗଡ଼ ଗାଁ । ଦୁଇ ସହରର ପ୍ରଦୂଷଣ ବଳୟ ମଧ୍ୟରେ ଏହି ସୁନ୍ଦର ସବୁଜିମା ଭରା ଗାଁଟି ପେଶି ହୋଇଯାଉଥିଲେ ମଧ୍ୟ ସୁନାର ଫସଲ ଫଳାଇ ଉଭୟ ସହରବାସୀଙ୍କ ହାଣ୍ଡିଶାଳକୁ ତଟକା ପରିବା ଯୋଗାଉଛି । ଗୋଟିଏ ପଟେ ରେଳ ଧାରଣା, ଅନ୍ୟପଟେ ଜମି ମାଫିଆ ଓ ସହରାଭିମୁଖୀ ଲୋକମାନଙ୍କ ଚାଷଜମିରେ ଗୃହ ନିର୍ମାଣର ପ୍ରତିଯୋଗିତା ମଧ୍ୟରେ ଆଜି ବି ଗାଁଟି ସୁନାର ଫସଲ ଫଳାଉଥିବା କ୍ଷେତକୁ ସଂରକ୍ଷିତ ରଖିଛି । ଆଉ ଏହି ସଂଘର୍ଷରେ ଗ୍ରାମବାସୀଙ୍କ ପାଇଁ ବରଦାନ ସାଜିଛି ପୁରୀ କେନାଲ । କେନାଲରେ ନିରନ୍ତର ମହାନଦୀର ଜଳ ପ୍ରବାହ ଓ କେନାଲ ପାଶ୍ୱର୍ବର୍ତ୍ତୀ ଉର୍ବର ଚାଷଜମି ନୂଆ ନୂଆ ଫସଲ ଫଳାଇବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରୁଛି । ଫଳରେ ଏଠାକାର ଚାଷୀମାନେ ଆଜି ୟୁଟ୍ୟୁବ୍ ଦେଖି ଭଳିକି ଭଳି ଦେଶୀ ଓ ଚାଇନିଜ୍ ପରିବା ଫଳାଉଛନ୍ତି । ମାତ୍ର ବର୍ଷସାରା ଫସଲ ଫଳାଉଥିବା ଏହି ଚାଷଜମି ଉପରେ ଏବେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଆଖି ପଡ଼ିଛି । ନୂଆ ଟାଉନ୍ ପ୍ଲାନିଂରେ ସିଡିଏ ପକ୍ଷରୁ ଏହି ଅଞ୍ଚଳର ୭୨୫ ଏକର ଜମି ଅଧିଗ୍ରହଣ କରାଯିବ, ଯେଉଁଥିରେ ୧୨୦ ଏକର ତିନି ଫସଲି ଚାଷଜମି ଚାଲିଯିବ । ଫଳରେ ଏଠାକାର ଚାଷୀମାନେ ଜୀବିକା ହରାଇବେ ।

ୟୁଟ୍ୟୁବ୍ ଦେଖି ଫଳାଉଛନ୍ତି ବିଦେଶୀ ପରିବା

ସହର ନିକଟରେ ରହିଥିଲେ ମଧ୍ୟ ରତାଗଡ଼ ଗ୍ରାମର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । ମଜା କଥା ହେଲା, ପୂର୍ବରୁ ଏମାନେ ପାରମ୍ପରିକ ପଦ୍ଧତିରେ ଚାଷବାସ କରୁଥିବାବେଳେ ଏବେ ୟୁଟ୍ୟୁବ୍ ସାଜିଛି ସେମାନଙ୍କ ପ୍ରଶିକ୍ଷକ । ୟୁଟ୍ୟୁବ୍‌ରୁ ପ୍ରଶିକ୍ଷଣ ନେଇ ସେମାନେ ଉନ୍ନତଧରଣର ପନିପରିବା ଚାଷ କରୁଛନ୍ତି । ଖାଲି ଯେ ବାଇଗଣ, କୋବି, ବିଲାତି, ଭେଣ୍ଡି ଆଦି ଏମାନେ ଚାଷ କରୁଛନ୍ତି ତାହା ନୁହେଁ, ଭଳିକି ଭଳି ଚାଇନିଜ୍ ପରିବା ମଧ୍ୟ ଫଳାଉଛନ୍ତି ।

ସେଥିମଧ୍ୟରେ ରହିଛି ବ୍ରୋକୋଲି, ଚାଇନିଜ୍ କ୍ୟାବେଜ, ରେଡ୍ କ୍ୟାବେଜ, ଜୁଚୁନି, ସ୍ପ୍ରିଙ୍ଗ୍ ଓନିଅନ, ରେଡ୍ ଓ ଗ୍ରୀନ ଲେଟୁସ । କଟକ ଓ ଭୁବନେଶ୍ୱର ବଜାରରେ ଏସବୁ ପରିବାର ବେଶ୍ ଚାହିଦା ରହିଛି । ତେଣୁ ନୂଆପିଢ଼ିର ଯୁବକମାନେ ଚାକିରି ପଛରେ ନଧାଇଁ ମୋବାଇଲ ଦେଖି ଏହି ଚାଇନିଜ ପରିବା ଚାଷ କରୁଛନ୍ତି । ଏଥିରେ ଭଲ ଦି ପଇସା ରୋଜଗାର ମଧ୍ୟ ହେଉଛି । ଏଥିସହ ପରୋକ୍ଷରେ ୩୦୦ ପରିବାର ମଧ୍ୟ ଭରଣପୋଷଣ ହେଉଛନ୍ତି । ଚାଷରୁ ରୋଜଗାର କରି ଚାଷୀମାନେ ଘରଦ୍ୱାର କରିବା ସହ ପିଲାମାନଙ୍କୁ ଭଲ ସ୍କୁଲରେ ପଢ଼ାଇ ପାରୁଛନ୍ତି ।

ଆଉ କେଉଁଠି ଫଳିବ ପେନ୍ଥି ବାଇଗଣ, ଚାଇନିଜ୍ ପରିବା

ବର୍ତ୍ତମାନ ଏସବୁ ବିଲରେ ବାଇଗଣ ଫଳିଲାଣି । ସମସ୍ତଙ୍କର ମିଶାଇ ପ୍ରତିଦିନ ୩୦ କୁଇଣ୍ଟାଲରୁ ଅଧିକ ବାଇଗଣ ଏଠାରୁ ଭୁବନେଶ୍ୱର ବଜାରକୁ ଯାଉଛି । ଆଗକୁ ଚାଇନିଜ୍ ପରିବା ଉତ୍ପାଦନ ହେବ । ଦିନକୁ ଦିନ ପରିବା ଦର ଯେଭଳି ବୃଦ୍ଧି ପାଇଚାଲିଛି, ସେଥିରେ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପରିବା ଉତ୍ପାଦନ ହେଉଥିବା ଚାଷଜମିକୁ ହାତରୁ ଛାଡ଼ିବା କଥା ଚିନ୍ତା କଲାବେଳକୁ ଚାଷୀମାନଙ୍କ ହୃଦୟ କୋରି ହୋଇଯାଉଛି ।

ଚାଷ ଜମିରେ ସିଡିଏର ଟାଉନ୍ ପ୍ଲାନିଂ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଲାଣି । ସୁନାର ପରିବା ହେଉଥିବା ଏକର ଏକର ଚାଷଜମିରେ ଠିଆ ହେବ ନୂଆ ସହର । ସେଥିପାଇଁ ମାପ ଚୁପ ଆରମ୍ଭ ହେଲାଣି । ଟାଉନ୍ ପ୍ଲାନିଂ କର, ହେଲେ ଚାଷଜମିକୁ ଛାଡ଼ିଦିଅ ବୋଲି ଚାଷୀମାନେ ଦାବି କରିଛନ୍ତି । ଏନେଇ ସେମାନେ ନେତା, ମନ୍ତ୍ରୀଙ୍କଠାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳୁନି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ବାରଙ୍ଗ ତହସିଲ ଅଞ୍ଚଳରେ ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଥିବାବେଳେ ଏ ଚାଷଜମି ଉପରେ କାହିଁକି ସିଡିଏ ନଜର ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଭୌଗୋଳିକ ଅବସ୍ଥିତି ଦେଖିଲେ ରତାଗଡ଼ ଗାଁଟି କଟକ-ଭୁବନେଶ୍ୱର ଭାୟା ବାରଙ୍ଗ ରାସ୍ତାରୁ ପୁରୀ କେନାଲ ପାଶ୍ୱର୍ରେ ବାଙ୍କୀ-କଟକ ମୁଖ୍ୟ ରାସ୍ତା ଆଡକୁ ୪ କିଲୋମିଟର ଦୂର ଗଲେ ବାମ ପାଶ୍ୱର୍ରେ ପଡ଼ିବ । ଚାଷଜମିର ପୂର୍ବ ପାଶ୍ୱର୍ରେ ପୁରୀ କେନାଲ, ପଶ୍ଚିମରେ ରେଳ ଧାରଣା ଥିବାବେଳେ ଦକ୍ଷିଣ ପାଶ୍ୱର୍ରେ ଜଟେଶ୍ୱର ଓ ଘାଘେଡେଇ ପାହାଡ଼ ରହିଛି । ବଡ଼ କଥା ହେଲା ଚନ୍ଦକା ଜଙ୍ଗଲରୁ ହାତୀମାନେ ବିଭିନ୍ନ ସମୟରେ ଘାଘେଡ଼େଇ ଓ ଜଟେଶ୍ୱର ପାହାଡକୁ ଚାଲିଆସନ୍ତି । ଏଠାରେ ସହର ତିଆରି ହେଲେ ହାତୀଙ୍କ ଯାତାୟାତ ବାଧାପ୍ରାପ୍ତ ହେବ